Latest Odisha News

BREAKING NEWS

ଗିରଫ ହେବେ କି କଣ୍ଠଶିଳ୍ପୀ ସୌରିନ ଭଟ୍ଟ? ଅନ୍ତରୀଣ ସୁରକ୍ଷା ହଟାଇଲେ ହାଇକୋର୍ଟ

କଟକ: ଲୋକପ୍ରିୟ ଓଡ଼ିଆ ପ୍ଲେବ୍ୟାକ୍ ସିଙ୍ଗର୍ ସୌରିନ୍ ଭଟ୍ଟଙ୍କ ପାଇଁ ବଢ଼ିଲା ଅଡୁଆ। ତାଙ୍କ ବିରୋଧରେ ଜାରି ହୋଇଥିବା ଜାମିନବିହୀନ ପରୱାନା ବା NBW ଉପରେ ପୂର୍ବରୁ ଲାଗୁ ହୋଇଥିବା ରହିତାଦେଶକୁ ହାଇକୋର୍ଟ ହଟାଇ ଦେଇଛନ୍ତି। ଏଥିସହ ନିମ୍ନ ଅଦାଲତରେ ସୌରିନ କିପରି ହାଜର ହେବେ, ସେନେଇ ଦୃଢ଼ ପଦକ୍ଷେପ ଗ୍ରହଣ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଫଳରେ ଯୌନ ନିର୍ଯାତନା ମାମଲାରେ ତାଙ୍କର ସମ୍ଭାବ୍ୟ ଗିରଫଦାରୀ ପାଇଁ ପଥ ପରିଷ୍କାର ହୋଇଛି।

ଜଣେ ଯୁବତୀଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ଦୁଷ୍କର୍ମ କରିବା ଏବଂ ତାଙ୍କଠାରୁ ଲକ୍ଷାଧିକ ଟଙ୍କା ଠକି ନେବା ଭଳି ସଙ୍ଗୀନ ଅଭିଯୋଗ ସୌରିନଙ୍କ ବିରୋଧରେ ରହିଛି। ଏନେଇ କଟକ ମହିଳା ଥାନାରେ ଏତଲା ଦାୟର ହେବା ପରେ ଆଗୁଆ ଜାମିନ ପାଇଁ ସେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ହାଇକୋର୍ଟ ତାଙ୍କୁ ଅନ୍ତରୀଣ ସୁରକ୍ଷା ପ୍ରଦାନ କରିଥିଲେ । ଏହାପରେ ସୌରିନ ମହିଳା ଥାନାରେ ଆଉ ହାଜର ହୋଇନଥିଲେ । ପୋଲିସ ବାରମ୍ବାର ଖୋଜି ନପାଇବା ପରେ ତାଙ୍କ ପୈତୃକ ଘରେ ଲଟକା ଜାରି କରାଯାଇଥିଲା । ପରେ କ୍ରାଇମବ୍ରାଞ୍ଚ ସହାୟତାରେ ମହିଳା ଥାନା ପୋଲିସ ତାଙ୍କ ବିରୋଧରେ ରେଡ୍ କର୍ଣ୍ଣର ନୋଟିସ୍ ଜାରି କରିଥିଲା ।

ଏଥିସହ ୨୦୨୩ ମସିହାରେ ସୌରିନଙ୍କ ବିରୋଧରେ ଜାମିନବିହୀନ ଗିରଫ ପରୱାନା ଜାରି ହୋଇଥିଲା । NBWକୁ ଚ୍ୟାଲେଞ୍ଜ କରି ସୌରିନ ପୁଣିଥରେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ମାମଲାର ଶୁଣାଣି କରି ହାଇକୋର୍ଟ ଏନବିଡବ୍ଲୁ ଉପରେ ରହିତାଦେଶ ଜାରି କରିବା ସହ ନିମ୍ନ ଅଦାଲତରେ ସୌରିନଙ୍କୁ ଆତ୍ମସମର୍ପଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଗତ ୨୦ ତାରିଖରେ ସୌରିନ ନିମ୍ନ ଅଦାଲତରେ ଆତ୍ମସମର୍ପଣ କରିବାର ଥିଲା । ମାତ୍ର ସେ ଆତ୍ମସମର୍ପଣ କରିନଥିଲେ । ଏହାକୁ ନେଇ ହାଇକୋର୍ଟ କ୍ଷୁବ୍ଧ ହୋଇଛନ୍ତି । ଫଳରେ ସୌରିନଙ୍କ ବିରୋଧରେ ଜାରି ହୋଇଥିବା ଏନବିଡବ୍ଲୁ ଉପରେ ଥିବା ରହିତାଦେଶକୁ ହାଇକୋର୍ଟ ହଟାଇ ଦେଇଛନ୍ତି । ଏଥିସହ ଅଭିଯୁକ୍ତ ସୌରିନ ଭଟ୍ଟଙ୍କ ବିରୋଧରେ ଆଇନ ଅନୁଯାୟୀ ଦୃଢ଼ ପଦକ୍ଷେପ ଗ୍ରହଣ କରିବାକୁ ନିମ୍ନ ଅଦାଲତକୁ ନିର୍ଦ୍ଦେଶ ଦିଆଯାଇଛି ।

Comments are closed.