Latest Odisha News

BREAKING NEWS

ସତ୍ୟବାଦୀ ବକୁଳ ବନରେ ପ୍ରତିଷ୍ଠା ହେବ ଓଡିଆ ବିଶ୍ୱ ବିଦ୍ୟାଳୟ

ଭୁବନେଶ୍ୱର : ପଞ୍ଚସଖାଙ୍କ କର୍ମଭୂମି ସତ୍ୟବାଦୀର ବକୁଳ ବନ ନିକଟରେ ପ୍ରତିଷ୍ଠା ହେବ ଓଡିଆ ବିଶ୍ୱବିଦ୍ୟାଳୟ । ଏନେଇ ଆଜି ସଚିବାଳୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଛି ।

ଓଡିଆ ନବଜାଗରଣର ପୀଠ ସତ୍ୟବାଦୀର ବକୁଳ ବନ ଶିକ୍ଷା କ୍ଷେତ୍ରରେ ଏକ ଆଦର୍ଶ ପୀଠ ଭାବରେ ପ୍ରସିଦ୍ଧି ଲାଭ କରିଥିଲା । ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ, ଆଚାର୍ଯ୍ୟ ହରିହର, ପଣ୍ଡିତ ନୀଳକଣ୍ଠ, ପଣ୍ଡିତ ଗୋଦାବରୀଶ ଓ ପଣ୍ଡିତ କୃପାସିନ୍ଧୁଙ୍କ ‘ମଣିଷ ତିଆରି କାରଖାନା’ ଥିଲା ବକୁଳ ବନ ।

ଅନ୍ୟପକ୍ଷରେ ପଞ୍ଚସଖାଙ୍କ ଆଦର୍ଶର ପ୍ରଚାର ଓ ପ୍ରସାର ଦିଗରେ ଏହା ବିଶେଷ ସହାୟକ ହେବା ସହ ବକୁଳ ବନ ନିକଟରେ ଏହି ବିଶ୍ୱବିଦ୍ୟାଳୟ ନିର୍ମାଣ ଏକ ଐତିହାସିକ ନିଷ୍ପତ୍ତି ।

ତେବେ ଉପାଧ୍ୟୁତ୍ତର ଶିକ୍ଷା ଠାରୁ ଆରମ୍ଭ କରି ଏମ.ଫିଲ ଓ ପି.ଏଚ.ଡି ପର୍ଯ୍ୟନ୍ତ ଓଡିଆ ଭାଷାରେ ଉଚ୍ଚତର ଶିକ୍ଷା ଓ ଗବେଷଣା ଦିଗରେ ଏହି ବିଶ୍ୱବିଦ୍ୟାଳୟ କାର୍ଯ୍ୟ କରିବ ।

ସୂଚନାଯୋଗ୍ୟ ଯେ ଚଳିତ ବର୍ଷ ବଜେଟରେ ଏଥିପାଇଁ ଦଶକୋଟି ଟଙ୍କାର ବ୍ୟୟବରାଦ ରଖାଯାଇଥିବା ବେଳେ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ଦିଗରେ ଆବଶ୍ୟକ ପ୍ରାରମ୍ଭିକ କାର୍ଯ୍ୟ ତ୍ୱରାନ୍ୱିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ପୁରୀ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ଏହି କାର୍ଯ୍ୟକ୍ରମରେ ଉଚ୍ଚଶିକ୍ଷା ମନ୍ତ୍ରୀ ଅନନ୍ତ ଦାସ, ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିଶନର, ଆଇନ ସଚିବ, ଉଚ୍ଚଶିକ୍ଷା ସଚିବ, ପୁରୀ ଜିଲ୍ଲାପାଳଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହିଥିଲେ ।

Leave A Reply

Your email address will not be published.