Latest Odisha News

BREAKING NEWS

ବୈଜୟନ୍ତଙ୍କ ହେଲିକପ୍ଟରକୁ ପୋଲିସ ଜବତ କଲା, ବିନା ଅନୁମତିରେ ଚିଲିକାରେ ଓହ୍ଲାଇଥିଲେ ଚପର୍

ଭୁବନେଶ୍ୱର: ପୂର୍ବତନ କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କ ହେଲିକପ୍ଟରକୁ ପୋଲିସ ଜବତ କରିଛି । ସେପ୍ଟେମ୍ବର ୧୫ ତାରିଖ ଦିନ ବିନା ଅନୁମତିରେ ଚିଲିକା ହ୍ରଦରେ ନିଜର ହେଲିକପ୍ଟରକୁ ଅବତରଣ କରିବା ଅଭିଯୋଗରେ ତାଙ୍କ ନାମରେ ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ ଏକ ଏତଲା ଦେଇଛି ।

ସୋମବାର ଦିନ ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ (ସିଡ଼ିଏ)ର ଏସିଏଫ ବିନୋଦ ଆଚାର୍ଯ୍ୟ ଏନେଇ ପୁରୀର ଅରଖକୁଦ ମେରାଇନ ପୋଲିସ ଷ୍ଟେସନରେ ଏକ ଅଭିଯୋଗ କରିଥିଲେ । ଏହି ଏଫଆଇଆର ରେ ବିପଦପୂର୍ଣ୍ଣ ଭାବେ ଏକ ଅଚିହ୍ନା ହେଲିକପ୍ଟର୍ ଚିଲିକା ହ୍ରଦରେ ଉଡୁଥିବାର ମତ୍ସ୍ୟଜୀବୀ, ସ୍ଥାନୀୟ ବାସିନ୍ଦା ତଥା ପର୍ଯ୍ୟଟକମାନେ ଦେଖିଥିଲେ ।

“ବିନା ଅନୁମତି ଏବଂ ବେଆଇନ ଭାବେ ଏହି ହେଲିକପ୍ଟରଟି ଚିଲିକାର ‘ନୋ ଫ୍ଲାଇଂ ଇକୋ ସେନସିଟିଭ୍ ଜୋନ’ ମଧ୍ୟରେ ଉଡୁଥିବାରୁ ଚିଲିକାର ପରିବେଶ ଓ ଜଳ ଉପରେ ପ୍ରତିକୂଳ ପ୍ରଭାବ ପକାଇଛି,”ବୋଲି ଏହି ଏଫଆଇଆରରେ ଦର୍ଶାଇଛନ୍ତି ସିଡ଼ିଏର ଏସିଏଫ ଶ୍ରୀ ଆଚାର୍ଯ୍ୟ ।

ଏହି ଘଟଣା ବିଷୟରେ ଅବଗତ ହୋଇ ପୁରୀ ଏସପି ସାର୍ଥକ ଷଡ଼ଙ୍ଗୀ ଘଟଣାଟି ସମ୍ପର୍କରେ ତଦନ୍ତ କରାଯିବ ବୋଲି କହିଛନ୍ତି ।

“ବିପଦ ପୂର୍ଣ୍ଣ ଭାବରେ ଏହି ହେଲିକପ୍ଟରଟି ଚିଲିକା ପାଣି ଉପରେ ୧୦ରୁ ୧୫ ମିନିଟ ପର୍ଯ୍ୟନ୍ତ ରହିଥିଲା । ଏହି ହେଲିକପ୍ଟରରେ ପୂର୍ବତନ ସାଂସଦଙ୍କ ସହିତ ମୋଟ ତିନିଜଣ ବ୍ୟକ୍ତି ଥିଲେ,”ବୋଲି ଏସପି ସୂଚନା ଦେଇଛନ୍ତି ।

ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନ ବନ୍ଦର (ବିପିଆଇଏ)ର ନିର୍ଦ୍ଦେଶକ ଏସସି ହୋତା କହିଛନ୍ତି, ଏହି ହ୍ୟାଙ୍ଗରଟି କୁ ଜବତ କରାଯାଇଛି ଏବଂ ଜବତ ହୋଇଥିବା ଏହି ହେଲିକପ୍ଟରଟି ବୈଜୟନ୍ତ ପଣ୍ଡାଙ୍କ ପରିବାର ପରିଚାଳିତ ‘ଇମଫା’ କମ୍ପାନୀର ବୋଲି ଜଣାପଡ଼ିଛି । ଏହି ହେଲିକପ୍ଟରଟିର ‘ବ୍ଲାକ ବକ୍ସ’ ଡ଼ାଟା ଜାଞ୍ଚ କରାଯିବ । ଏପରିକି ଏହି ହେଲିକପ୍ଟରଟି ଚିଲିକା ହ୍ରଦ ଉପରେ ତଥା ଚିଲିକା ଅଭୟାରଣ୍ୟର କେତେ ନିମ୍ନ ଉଚ୍ଚତାରେ ଉଡୁଥିଲା ତାହାର ସଠିକ୍ ଯାଞ୍ଚ ହେବ ବୋଲି ବିପିଆଇଏର ନିର୍ଦ୍ଦେଶକ ଏସସି ହୋତା ଜଣାଇଛନ୍ତି ।

ଅବଶ୍ୟ ବୈଜୟନ୍ତ ପଣ୍ଡା ସ୍ୱୀକାର କରିଛନ୍ତି ଯେ, ସେହି ଦିନ ତାଙ୍କ ହେଲିକପ୍ଟର ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ବିଭିନ୍ନ ସମୟରେ ଅବତରଣ କରିଥିଲା । ଏହା ଏଟିସି ରେକର୍ଡରୁ ଯାଞ୍ଚ କରାଯାଇପାରେ ।

ସୂଚନାଯୋଗ୍ୟ ଯେ, ଶନିବାର ଦିନ ପ୍ରାୟ ସାଢେ ଗୋଟେ ବେଳେ ଚିଲିକା ହ୍ରଦର ନଙ୍ଗନାଶୀ ମୁହାଣରେ ଅବତରଣ କରି କିଛି ସମୟ ରହି ଉଡ଼ି ଚାଲିଯାଇଥିଲା । ଏହି ଘଟଣାରେ ସ୍ଥାନୀୟ ଅଞ୍ଚଳରେ ଏକ ଅଜଣା ଆତଙ୍କ ସୃଷ୍ଟି କରିଥିଲା ।  ଶ୍ରୀଯୁକ୍ତ ପଣ୍ଡାଙ୍କ କହିବା କଥା ହେଲା ସେ ବିଭିନ୍ନ ଗଣମାଧ୍ୟମରୁ ଜାଣିଲେ ଯେ, ପ୍ରାୟ ଦିନ ୧:୩୦ ମିନିଟ ସମୟରେ ଏକ ସି-ପ୍ଲେନ ଚିଲିକା ହ୍ରଦରେ ଅବତରଣ କରିଥିଲା । କିନ୍ତୁ ସେଦିନ ଠିକ୍ ୧:୩୦ ମିନିଟ ସମୟରେ ସେ ଭୁବନେଶ୍ୱରରେ ଥିଲେ ।

ପୂର୍ବତନ ସାଂସଦ ଶ୍ରୀ ପଣ୍ଡା କହିଛନ୍ତି “ମୋତେ ଜାଣିଶୁଣି ବିବାଦ ମଧ୍ୟକୁ ଟଣାଯାଉଛି । ଓଡ଼ିଶାରେ ମୋର ଯିବା ଆସିବା ବନ୍ଦ କରିବାକୁ ଏପରି ଉଦ୍ୟମ ହେଉଛି, କିନ୍ତୁ ସେମାନେ ବନ୍ଦ କରିପାରିବେ ନାହିଁ,” ବୋଲି ଟ୍ୱିଟ୍ କରି କହିଛନ୍ତି ବୈଜୟନ୍ତ ।

Leave A Reply

Your email address will not be published.