Latest Odisha News

BREAKING NEWS

ଏସିଆ ବୁକ ଅଫ୍ ରେକର୍ଡସର ଅଧିକାରୀ ଓଡ଼ିଆ ପୁଅ ସୌମ୍ୟରଞ୍ଜନ

ଯାଜପୁର: ଏସିଆ ବୁକ ଅଫ୍ ରେକର୍ଡସର ଅଧିକାରୀ ହୋଇଛନ୍ତି ଜଣେ ଓଡ଼ିଆ ପୁଅ । ନାଁ- ସୌମ୍ୟରଞ୍ଜନ ରାଉତ । ଶରୀରରେ ୩୦ କିଲୋ ଓଜନ ଧରି ଦୀର୍ଘ ସମୟ ଚକ୍ରାସନ କରି ସେ ଏହି ରେକର୍ଡର ଅଧିକାରୀ ହୋଇଛନ୍ତି । ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ ମୁରାରୀପୁର ଗାଁର ମନୋରଞ୍ଜନ ରାଉତ ଓ ରଞ୍ଜିତା ରାଉତଙ୍କ ଏକ ମାତ୍ର ପୁଅ ସୌମ୍ୟରଞ୍ଜନ ରାଉତ । ବୟସ ୨୩ ବର୍ଷ । କିନ୍ତୁ ଅନେକ କିଛି କରିବାର ଇଚ୍ଛାଶକ୍ତି ତାଙ୍କୁ ସଫଳତାର ଶୀର୍ଷରେ ପହଞ୍ଚାଉଛି ।

କିଛି ଦିନ ପୂର୍ବେ ସୌମ୍ୟରଞ୍ଜନ ଇଣ୍ଡିଆ ବୁକ ଅଫ ରେକର୍ଡସରେ ସ୍ଥାନ ପାଇଥିଲେ । ତାଙ୍କର ଏଭଳି ଅନନ୍ୟ କୃତି ପାଇଁ ବିଞ୍ଝାରପୁର ବିଧାୟିକା ତଥା ସରକାରୀ ଦଳର ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ସୌମ୍ୟଙ୍କ ଉଜ୍ଜଳ ଭବିଷ୍ୟତ କାମନା କରିବା ସହ ଆର୍ଥିକ ପୁରସ୍କାର ପ୍ରଦାନ କରିଛନ୍ତି ।
ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ ମଧ୍ୟ ସୌମ୍ୟଙ୍କୁ ସବୁ ସୁବିଧା ସୁଯୋଗ ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି । ସୌମ୍ୟରଞ୍ଜନ ପ୍ରତିଦିନ ବିଭିନ୍ନ ଯୋଗ ଓ ବ୍ୟାୟାମ କରନ୍ତି । କଲେଜ ଶିକ୍ଷା ସମୟରେ ଛାତ୍ର ରାଜନୀତିରେ ସକ୍ରିୟ ଅଂଶଗ୍ରହଣ କରୁଥିବା ସୌମ୍ୟ ଶିକ୍ଷା ସମାପ୍ତ ପରେ ବିଭିନ୍ନ ସାମାଜିକ ସଂଗଠନ ସହ ନିଜକୁ ନିୟୋଜିତ କରିଛନ୍ତି ।

ବର୍ତ୍ତମାନ ସେ ଉଦ୍ଧାର ଫାଉଣ୍ଡେସନର ଯାଜପୁର ଶାଖା ସଭାପତି ସହ ଉଡ୍ର ଚାରିଟେବଲ ଟ୍ରଷ୍ଟ ଓ ସତ୍ୟସାଇ ସେବା ସଂଗଠନରେ କାର୍ଯ୍ୟରତ ଅଛନ୍ତି । କରୋନା ମହାମାରୀ ସମୟରେ ରାଜ୍ୟ ବାହାରେ ଫସିଥିବା ଶ୍ରମିକଙ୍କୁ ଫେରାଇ ଆଣିବାରେ ତାଙ୍କର ଉଦ୍ୟମ ବେଶ ପ୍ରଶଂସନୀୟ ।

ପଶୁ ଓ ପକ୍ଷୀ ପ୍ରେମୀ ସୌମ୍ୟରଞ୍ଜନ । ଆଗାମୀ ଦିନରେ ବୁଲା କୁକୁରଙ୍କ ପାଇଁ ଆଶ୍ରୟସ୍ଥଳୀ ସ୍ଥାପନ ସହ ଶିଶୁ ଶ୍ରମିକଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ ନେଇ ସେମାନଙ୍କୁ ଶିକ୍ଷା ପ୍ରଦାନ କରିବାକୁ ଆଶା ରଖିଛନ୍ତି । ବିଭିନ୍ନ ମଞ୍ଚ ନାଟକ ଓ କିଛି ଧାରାବାହିକରେ ଅଭିନୟ କରି ପ୍ରଶଂସା ସାଉଁଟିଛନ୍ତି ସୌମ୍ୟରଞ୍ଜନ ରାଉତ ।

Leave A Reply

Your email address will not be published.