Latest Odisha News

୩ ଦିନ ସକାଳୁଆ ସ୍କୁଲ, ଏପ୍ରିଲ ୨୫ରୁ ଖରା ଛୁଟି

ଭୁବନେଶ୍ଵର: ଆସନ୍ତା ଏପ୍ରିଲ ୨୫ରୁ ରାଜ୍ୟର ସବୁ ସ୍କୁଲ ଛୁଟି । ରାଜ୍ୟରେ ବଢ଼ିଚାଲିଥିବା ଖରାକୁ ଦୃଷ୍ଟିରେ ଏହି ପଦକ୍ଷେପ ନିଆଯାଇଛି । ଏପ୍ରିଲ ୨୫ରୁ ଦ୍ୱାଦଶ ଶ୍ରେଣୀ ଯାଏଁ ସ୍କୁଲରେ ଗ୍ରୀଷ୍ମକାଳୀନ ଛୁଟି ଘୋଷଣା କରିଛନ୍ତି ରାଜ୍ୟ ସରକାର । ସେପଟେ ସମ୍ଭାବ୍ଯ ଗ୍ରୀଷ୍ମ ପ୍ରବାହ ଓ ପାଣିପାଗ ବିଭାଗର ସୂଚନାକୁ ଦୃଷ୍ଟିରେ ରଖି ଚଳିତ ଏପ୍ରିଲ ୨୨ରୁ ୨୪ ତାରିଖ ପର୍ଯ୍ୟନ୍ତ ତିନିଦିନ ସକାଳ ୬.୩୦ରୁ ୧୦.୩୦ ପର୍ଯ୍ୟନ୍ତ ବିଦ୍ୟାଳୟ ଖୋଲା ରହିବ।

ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ ପାଇଁ ଖରା ଛୁଟି ଘୋଷଣା ହୋଇଛି । ଏବର୍ଷ ପ୍ରବଳ ଗ୍ରୀଷ୍ମ ପ୍ରବାହ ସହ ଏକାଧିକ ସହରରେ ତାପମାତ୍ରା ୪୦ ଡିଗ୍ରୀକୁ ପାର କରିଛି । ତେଣୁ ସାଧାରଣତଃ ମେ’ ମାସରେ ହେଉଥିବା ଖରା ଛୁଟିକୁ ଏଥର ଆଗୁଆ ଘୋଷଣା କରାଯାଇଛି । କିନ୍ତୁ ଏବେ ରାଜ୍ୟରେ ଖରାର ପ୍ରକୋପ ବଢୁଥିବାରୁ ସମସ୍ତ ସ୍କୁଲ ପାଇଁ ଖରା ଛୁଟି ଘୋଷଣା କରିଛନ୍ତି ସରକାର ।

ସୂଚନାଯୋଗ୍ୟ, ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ସରକାର ସମସ୍ତ ସ୍କୁଲ ପାଇଁ ଏପ୍ରିଲ ୧୮ରୁ ୨୦ ଯାଏଁ ଛୁଟି ଘୋଷଣା କରିଥିଲେ । ତେବେ ତାତିରୁ ନିସ୍ତାର ମିଳୁ ନଥିବାରୁ ସରକାର ଆଗୁଆ ଖରା ଛୁଟି ଘୋଷଣା କରିଛନ୍ତି। ରାଜ୍ୟରେ ପ୍ରବଳ ଗ୍ରୀଷ୍ମପ୍ରବାହ ଯୋଗୁ ସକାଳ ୮ଟା ପରେ ଘରୁ ବାହାରିବା କଷ୍ଟକର ହୋଇପଡ଼ୁଛି। ଦିନ ସାଢେ ୧୧ଟା ସୁଦ୍ଧା ରାଜ୍ୟର କିଛି ସହରର ତାପମାତ୍ରା ୪୦ ଡିଗ୍ରୀ ପାଖାପାଖି ରହୁଛି।

Comments are closed.