Latest Odisha News

BREAKING NEWS

ବିଧାନସଭା ମୁଲତବୀ ରହିଲା, ସମବାୟ ଦୁର୍ନୀତି ଓ ଓକିଲ ଆନ୍ଦୋଳନ ନେଇ ଗୃହରେ ହଟ୍ଟଗୋଳ

ଭୁବନେଶ୍ୱର: ବିଧାନସଭାରେ ଗୃହକାର୍ଯ୍ୟ ଆରମ୍ଭ ହେଉ ହେଉ ଆଜି ଗୃହରେ ବେଶ୍ ଉଷ୍ମତା ପରିଲକ୍ଷିତ ହୋଇଥିଲା । ବୁଧବାର ଦିନ ବିଧାନସଭାରେ ଗୃହକାର୍ଯ୍ୟ ଆରମ୍ଭ ହେଲା ମାତ୍ରେ ବିରୋଧି କଂଗ୍ରେସ ଓ ବିଜେପି ସଦସ୍ୟମାନେ ସମବାୟ ବ୍ୟାଙ୍କ ଋଣ ଦୁର୍ନୀତି ଓ କଟକରେ ଓକିଲଙ୍କ ଆନ୍ଦୋଳନ ନେଇ ବିଭିନ୍ନ ସ୍ଲୋଗାନ ଦେଇଥିଲେ । ଗୃହର ମଧ୍ୟଭାଗକୁ ପ୍ରାୟ ସମସ୍ତ ବିରୋଧି ସଦସ୍ୟ ଚାଲିଆସି ହଟ୍ଟଗୋଳ କରୁଥିବାର ଦେଖାଯାଇଥିଲା । ଗୃହକାର୍ଯ୍ୟକୁ ଆଉ ଆଗକୁ ବଢାଇ ନପାରି ବାଚସ୍ପତି ପ୍ରଦୀପ କୁମାର ଅମାତ ଗୃହକୁ ମୁଲତବୀ ରଖିବାକୁ ବାଧ୍ୟ ହୋଇଥିଲେ ।

ଗୃହରେ ଠିକ୍ ଦିନ ୧୦:୩୦ ସମୟରେ ପ୍ରଶ୍ନକାଳ ଆରମ୍ଭ ହେଉ ହେଉ କଂଗ୍ରେସ ସଦସ୍ୟମାନେ କଟକ ବାର୍ ଆସୋସିଏସନ ପକ୍ଷରୁ ଓକିଲମାନେ କରୁଥିବା ଆନ୍ଦୋଳନ ଏବଂ ପୋଲିସର ଆକ୍ରମଣକୁ ନେଇ ସରକାରଙ୍କୁ ସମାଲୋଚନା କରିବାକୁ ଲାଗିଥିଲେ । ଓକିଲମାନଙ୍କ ଆନ୍ଦୋଳନ ଯୋଗୁଁ କୋର୍ଟକାର୍ଯ୍ୟ ସମ୍ପୂର୍ଣ୍ଣ ବନ୍ଦ ହେବା ଅବସ୍ଥା ନେଇ ସଦସ୍ୟମାନେ ପ୍ରବଳ ପାଟିତୁଣ୍ଡ କରିଥିଲେ ।

ସେପଟେ ଶାସକ ବିଜେଡ଼ି ସଦସ୍ୟମାନେ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ସାମ୍ବାଦିକ ବନ୍ଧୁ ଅଭିଜିତ ଆୟାର୍ ମିତ୍ରଙ୍କ କୋଣାର୍କ ମନ୍ଦିର ଭାସ୍କର୍ଯ୍ୟ ସମ୍ପର୍କରେ ଦେଇଥିବା ଅଶାଳୀନ ମନ୍ତବ୍ୟ ବିରୋଧରେ ଗୃହରେ ଦୃଢ ପ୍ରତିବାଦ କରିଥିଲେ । ଓଡ଼ିଶାର ସ୍ୱାଭିମାନ ପ୍ରତି ଏହା କୁଠାରଘାତ ସଦୃଶ ବୋଲି ବର୍ଣ୍ଣନା କରିବା ସହିତ ବିଜେଡ଼ି ସଦସ୍ୟମାନେ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ହେଲିକପ୍ଟର ପ୍ରସଙ୍ଗରେ ତଦନ୍ତ କରିବାକୁ ଦାବି କରିଥିଲେ ।

ପ୍ରବଳ ହଟ୍ଟଗୋଳ ମଧ୍ୟରେ ଗୃହକାର୍ଯ୍ୟ ଚଳାଇବାକୁ ଅକ୍ଷମ ପ୍ରକାଶ କରି ବାଚସ୍ପତି ବାଧ୍ୟହୋଇ ଗୃହକୁ ୧୧:୩୦ ଯାଏଁ ମୁଲତବୀ ରଖିଥିଲେ ।

ଗୃହ ମୁଲତବୀ ହେବାପରେ ବିଜେଡ଼ି ସଦସ୍ୟମାନେ ବିଧାନସଭା ପରିସର ମଧ୍ୟରେ ଥିବା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ସାମ୍ନାରେ ଧାରଣା ଦେଇଥିଲେ ।

Leave A Reply

Your email address will not be published.