ଭୁବନେଶ୍ୱର: ସମୟ ପୂର୍ବରୁ ସରିଲା ଓଡ଼ିଶା ବିଧାନସଭାର ମୌସୁମୀ ଅଧିବେଶନ। ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବି ଘୋଷଣା କଲେ ବାଚସ୍ପତି ସୁରମା ପାଢ଼ୀ। ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ପ୍ରସ୍ତାବ ଆଣିଥିଲେ ମୁଖ୍ୟ ସଚେତକ। ୯ଟି କାର୍ଯ୍ୟ ଦିବସ ମଧ୍ୟରୁ ମାତ୍ର ୫ ଦିନ ଚାଲିଲା ବିଧାନସଭା ଅଧିବେଶନ। ବିଧାନସଭାର ୫ଟି କାର୍ଯ୍ୟ ଦିବସରେ କେବଳ ୪ଟି ବିଲ୍ ହେଲା ପାରିତ।
ମୂଳ କାର୍ଯ୍ୟସୂଚୀ ଅନୁସାରେ ଅଧିବେଶନ ଅକ୍ଟୋବର ୩ ତାରିଖ ପର୍ଯ୍ୟନ୍ତ ଚାଲିବାର ଥିଲା। କିନ୍ତୁ ଲଗାତାର ହଙ୍ଗାମା ଓ ବିଭିନ୍ନ ପ୍ରସଙ୍ଗକୁ ନେଇ ଗୃହ କାର୍ଯ୍ୟ ବାଧାପ୍ରାପ୍ତ ହେବା ପରେ ଆଜି ଅଧିବେଶନର ଆଗୁଆ ସମାପ୍ତି ହୋଇଛି। ୯ ଦିନିଆ ମୌସୁମୀ ଅଧିବେଶନରେ ମାତ୍ର ୫ଟି କାର୍ଯ୍ୟଦିବସରେ ବିଧାନସଭା ବସିପାରିଥିଲା। ଏହି ସମୟ ମଧ୍ୟରେ ପ୍ରଶ୍ନକାଳ ନିୟମିତ ଭାବେ ଚାଲିପାରିନଥିଲା।
ଅଧିବେଶନର ପ୍ରଥମ ଦିନରୁ ହିଁ ପାଠ୍ୟପୁସ୍ତକରେ ତ୍ରୁଟି ଓ ଏମ୍ଏମ୍ଡିଆର୍ ସଂଶୋଧନ ଆଇନକୁ ନେଇ ବିରୋଧୀ ଦଳଗୁଡ଼ିକର ପ୍ରତିବାଦ ଆରମ୍ଭ ହୋଇଥିଲା। ଫଳରେ ବାରମ୍ବାର ଗୃହ ମୁଲତବି ରହିଥିଲା। ବିଶେଷକରି ଏମ୍ଏମ୍ଡିଆର୍ ସଂଶୋଧନ ଆଇନକୁ ନେଇ କଂଗ୍ରେସ ଓ ବିଜେଡି ସଦସ୍ୟମାନେ ଗୃହରେ ପ୍ରତିବାଦ କରିଥିଲେ। ସଦସ୍ୟମାନେ ପୋଷ୍ଟର ଓ ପ୍ଲାକାର୍ଡ ଧରି ଗୃହର ମଧ୍ୟଭାଗକୁ ଆସିବାରୁ ପ୍ରଶ୍ନକାଳ ଓ ଶୂନ୍ୟକାଳ ପ୍ରଭାବିତ ହୋଇଥିଲା। ସେପ୍ଟେମ୍ବର ୨୩ରେ ମଧ୍ୟ ଲଗାତାର ଦ୍ୱିତୀୟ ଦିନ ପାଇଁ ପ୍ରଶ୍ନକାଳ, ଶୂନ୍ୟକାଳ ଓ ମୁଲତବି ପ୍ରସ୍ତାବ ଉପରେ ଆଲୋଚନା ହୋଇପାରିନଥିଲା।
ଏହି ଅଧିବେଶନରେ ମୋଟ ୫ଟି କାର୍ଯ୍ୟଦିବସରେ ମାତ୍ର ୪ଟି ବିଲ୍ ପାରିତ ହୋଇଥିବା ବେଳେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ବିଧାନସଭାରେ ବିସ୍ତୃତ ଆଲୋଚନା ହୋଇପାରିନଥିଲା। ଆଜି ଅଧିବେଶନର ପଞ୍ଚମ କାର୍ଯ୍ୟଦିବସରେ ମଧ୍ୟ ଏମ୍ଏମ୍ଡିଆର୍ ଆଇନକୁ ନେଇ ବିରୋଧୀଙ୍କ ହଙ୍ଗାମା ଜାରି ରହିଥିଲା। ଗୃହ ଆରମ୍ଭ ହେବାର କିଛି ମିନିଟ୍ ମଧ୍ୟରେ ବାଚସ୍ପତି ଗୃହକୁ ମୁଲତବି କରିଥିଲେ।

