ମଦୁରାଇ: ତାମିଲନାଡୁ ମୁଖ୍ୟମନ୍ତ୍ରୀ ସି. ଜୋସେଫ ବିଜୟ ରାଜ୍ୟର ସରକାରୀ ହସ୍ପିଟାଲଗୁଡ଼ିକରେ ଜନ୍ମଗ୍ରହଣ କରୁଥିବା ନବଜାତ ଶିଶୁମାନଙ୍କ ପାଇଁ ଏକ ଅଭିନବ ସରକାରୀ ଯୋଜନା ‘ଥାଇମାମନ ଥଙ୍ଗା ମୋତିରମ ଥିଟ୍ଟମ’ ବା ମାମୁ ସୁନା ମୁଦି ଯୋଜନା ର ଆନୁଷ୍ଠାନିକ ଶୁଭାରମ୍ଭ କରିଛନ୍ତି। ମଦୁରାଇସ୍ଥିତ ଗଭର୍ଣ୍ଣମେଣ୍ଟ ରାଜାଜୀ ହସ୍ପିଟାଲଠାରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ସେ ଏହି ଯୋଜନାର ଉଦ୍ଘାଟନ କରି ନବଜାତ ଶିଶୁଙ୍କ ମା’ମାନଙ୍କୁ ସୁନା ମୁଦି ବଣ୍ଟନ କରିଛନ୍ତି। ଏହି ଯୋଜନା ପାଇଁ ତାମିଲନାଡୁ ସରକାର ବାର୍ଷିକ ପ୍ରାୟ ୭୫୫.୮୩ କୋଟି ଟଙ୍କାର ବଜେଟ୍ ଆବଣ୍ଟନ କରିଛନ୍ତି । ଯୋଜନା ଅଧୀନରେ ପ୍ରତ୍ୟେକ ଯୋଗ୍ୟ ନବଜାତ ଶିଶୁଙ୍କୁ ୧ ଗ୍ରାମ ଓଜନର ୨୨-କ୍ୟାରେଟ୍ ବିଆଇଏସ୍ ହଲମାର୍କ ଯୁକ୍ତ ସୁନା ମୁଦି ପ୍ରଦାନ କରାଯିବ। ପ୍ରଥମ ପର୍ଯ୍ୟାୟରେ ସରକାର ୧.୨୮ ଲକ୍ଷ ସୁନା ମୁଦି ସଂଗ୍ରହ କରିସାରିଛନ୍ତି। ପ୍ରତିବର୍ଷ ପ୍ରାୟ ୪.୪୧ ଲକ୍ଷ ନବଜାତ ଶିଶୁ ଏହି ଯୋଜନାରେ ଲାଭାନ୍ୱିତ ହେବେ ବୋଲି ଆକଳନ କରାଯାଇଛି।
କଣ ରହିଛି ଯୋଗ୍ୟତା- ଶିଶୁଟି ତାମିଲନାଡୁର କୌଣସି ସରକାରୀ ହସ୍ପିଟାଲ କିମ୍ବା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଜନ୍ମଗ୍ରହଣ କରିଥିବା ଆବଶ୍ୟକ । ମା’ ତାମିଲନାଡୁର ସ୍ଥାୟୀ ନିବାସୀ ହୋଇଥିବା ସହ ‘PICME’ ସିଷ୍ଟମରେ ପଞ୍ଜୀକୃତ ହୋଇ RCH ID ଧାରଣ କରିଥିବା ଜରୁରୀ। ୨୦୨୬ ଜୁନ୍ ୨୨ କିମ୍ବା ତା’ପରେ ଜନ୍ମଗ୍ରହଣ କରିଥିବା ଶିଶୁମାନେ ଏହି ଯୋଜନା ପାଇଁ ଯୋଗ୍ୟ ବିବେଚିତ ହେବେ।
ତାମିଲ ପରମ୍ପରାରେ ନବଜାତ ଶିଶୁକୁ ମାମୁଙ୍କ ପକ୍ଷରୁ ସୁନା ଉପହାର ଦେବାର ଏକ ସଂସ୍କୃତି ରହିଛି, ଯାହାକୁ ‘ଥାଇମାମନ ସୀର’ କୁହାଯାଏ। ସରକାର ଏହି ସାଂସ୍କୃତିକ ପରମ୍ପରାକୁ ସମ୍ମାନ ଜଣାଇବା ସହ ସରକାରୀ ଚିକିତ୍ସାଳୟଗୁଡ଼ିକ ପ୍ରତି ସାଧାରଣ ଜନତାଙ୍କ ବିଶ୍ୱାସ ବୃଦ୍ଧି କରିବା, ହସ୍ପିଟାଲରେ ସୁରକ୍ଷିତ ପ୍ରସବକୁ ଉତ୍ସାହିତ କରିବା ଏବଂ ମା’ ଓ ଶିଶୁ ସ୍ୱାସ୍ଥ୍ୟ ସୁରକ୍ଷାକୁ ସୁଦୃଢ଼ କରିବା ଲକ୍ଷ୍ୟରେ ଏହି ଯୋଜନା କାର୍ଯ୍ୟକାରୀ କରିଛନ୍ତି।

