Latest Odisha News

BREAKING NEWS

ଆରମ୍ଭ ହୋଇଛି ବିଧାନସଭା ବଜେଟ୍ ଅଧିବେଶନ, ଗୃହ କାର୍ଯ୍ୟ ପୂର୍ବରୁ ରାଜ୍ୟପାଳଙ୍କ ଅଭିଭାଷଣ

ଭୁବନେଶ୍ଵର: ଆଜିଠାରୁ ଆରମ୍ଭ ହୋଇଛି ବିଧାନସଭା ବଜେଟ୍ ଅଧିବେଶନ । ରାଜ୍ୟପାଳ ରଘୁବର ଦାସଙ୍କ ଅଭିଭାଷଣରୁ ଆରମ୍ଭ ହୋଇଛି ଗୃହ କାର୍ଯ୍ୟ । ଗୃହ କାର୍ଯ୍ୟ ଆରମ୍ଭରୁ ପ୍ରଥମେ ଦିବଙ୍ଗତ ପୂର୍ବତନ ସଦସ୍ୟଙ୍କୁ ଶ୍ରଦ୍ଧାଞ୍ଜଳୀ ଜଣାଇବା ସହ ସହିଦ ଯବାନ ମାନଙ୍କୁ ମଧ୍ୟ ଶ୍ରଦ୍ଧାଞ୍ଜଳୀ ଜଣାଇଛନ୍ତି ରାଜ୍ୟପାଳ।

ପ୍ରାରମ୍ଭରେ ପୁରୀ ପରିକ୍ରମା ପ୍ରକଳ୍ପର ପ୍ରଶଂସା କରିଛନ୍ତି ରାଜ୍ୟପାଳ । ୮ ଶହ କୋଟି ବ୍ୟୟରେ ସମ୍ପର୍ଣ୍ଣ ହୋଇଛି ଏହି ପରିକ୍ରମା ପ୍ରକଳ୍ପ କାର୍ଯ୍ୟ । ଶ୍ରଦ୍ଧାଳୁଙ୍କୁ ଏହା ଅନେକ ସୁବିଧା ଦେବା ସହ ଏହି ପ୍ରକଳ୍ପ ଆଗନ୍ତୁକଙ୍କୁ ମଧ୍ୟ ଅତ୍ୟାଧୁନିକ ସୁବିଧା ଯୋଗାଇଦେବ ବୋଲି କହିଛନ୍ତି ରାଜ୍ୟପାଳ ରଘୁବର ଦାସ୍ । ସେ ଆହୁରି ମଧ୍ୟ କହିଛନ୍ତି ଯେ, ଶ୍ରୀମନ୍ଦିର ସୁରକ୍ଷାରେ ଏହି ପ୍ରକଳ୍ପ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ । ସେପଟେ ଶ୍ରୀମନ୍ଦିରକୁ ଆସୁଥିବା ଲୋକଙ୍କୁ ସୁବିଧାରେ ଦର୍ଶନ ପାଇଁ ଶ୍ରୀଜଗନ୍ନାଥ ଏକ୍ସପ୍ରେସ ଆରମ୍ଭ ହୋଇଛି । ଅନ୍ୟପଟେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପରେ ପରେ ଲୋକାର୍ପିତ ହୋଇଛି ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଇଙ୍କ ସମଲେଇ ପ୍ରକଳ୍ପ ।

ସେହିଭଳି ରାଜ୍ୟପାଳ କହିଛନ୍ତି, ନୂଆ-ଓ ଯୁବ ସମ୍ପୃକ୍ତିକରଣ ତଥା ସଶକ୍ତିକରଣ ଦିଗରେ ଏକ ଯୁଗାନ୍ତକାରୀ ଅଭିଯାନ । ବିଦେଶରେ ଓଡ଼ିଶା ଭାଷାକୁ ଅଧିକ ସୁଦୂର ପ୍ରସାରୀ କରିବାକୁ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀର ଆୟୋଜନ କରିଛନ୍ତି । ଏହାଦ୍ୱାରା ଓଡ଼ିଆ ଭାଷାର ପ୍ରଚାର ଓ ପ୍ରସାର ବିଶ୍ୱବ୍ୟାପୀ ହୋଇପାରିବ । ଓଡ଼ିଆ ବିଶ୍ୱବିଦ୍ୟାଳୟ ଲୋକାର୍ପଣ କରି ଓଡ଼ିଆ ଭାଷା ସାହିତ୍ୟକୁ ଆହୁରି ରୁଦ୍ଧିମନ୍ତ କରିବାକୁ ରାଜ୍ୟ ସରକାରଙ୍କ ଉଦ୍ୟମ ବାସ୍ତବରେ ପ୍ରଂଶସନୀୟ । ଫାଇଭ୍‌-ଟି ଓ ମୋ ସରକାର ରୂପାନ୍ତରିତ ପ୍ରଶାସନିକ ବ୍ୟବସ୍ଥାର ଏହା ନୂତନ ଯୁଗ ।

ରାଜ୍ୟପାଳ ଆହୁରି ମଧ୍ୟ କହିଛନ୍ତି ଯେ, ୨୦୨୨-୨୩ରେ ୬.୦୩ ଲକ୍ଷ କୁଇଣ୍ଟାଲ ମାଣ୍ଡିଆ ସଂଗ୍ରହ ହୋଇଛି । ସେହିପରି ୧୧୩.୭୬ ରେସନକାର୍ଡଧାରୀଙ୍କୁ ୪ ଲକ୍ଷ କୁଇଣ୍ଟାଲ ମାଣ୍ଡିଆ ଦିଆଯାଇଛି । ଅନ୍ୟପଟେ ୪୩.୮୮ ଲକ୍ଷ କ୍ଷୁଦ୍ର ଓ ୧୮.୯୩ ଲକ୍ଷ ଭୂମିହୀନ ଚାଷୀଙ୍କୁ କାଳିଆ ସହାୟତା ମିଳିଛି । ବହୁ ପ୍ରତୀକ୍ଷାର ଅନ୍ତ ଘଟାଇ ବଲାଙ୍ଗିର ଜିଲ୍ଲାରେ ଲୋୟର ସୁକତେଲ ପ୍ରକଳ୍ପ ଆରମ୍ଭ ହୋଇଛି । ଏଥିସହ ଅନେକ ମଧ୍ୟମ ଓ କ୍ଷୁଦ୍ର ଜଳସେଚନ ଯୋଜନା ଆରମ୍ଭ ହୋଇଛି । ଯାହାଦ୍ଵାରା ଅନେକ ଚାଷୀ ଉପକୃତ ହେବେ ।

ସେପଟେ ସ୍ଵାସ୍ଥ୍ୟ କାର୍ଡ ଜରିଆରେ ପ୍ରତି ପରିବାରକୁ ୫ ଲକ୍ଷ ଏବଂ ମହିଳା ସଦସ୍ୟଙ୍କୁ ଆଉ ୫ ଲକ୍ଷର ଚିକିତ୍ସା ସହାୟତା ମିଳୁଛି । ବର୍ତ୍ତମାନ ବିଜୁ ସ୍ବାସ୍ଥ୍ୟକଲ୍ୟାଣ ଯୋଜନା ୩.୫ କୋଟି ଲୋକଙ୍କ ପାଖରେ ପହଞ୍ଚିଛି । ଧିରେ ଧିରେ ଏହା ସମସ୍ତ ଲୋକଙ୍କ ପାଖରେ ପହଞ୍ଚିବା ନେଇ ଆଶା କରାଯାଉଛି । ୭୫୦ କୋଟି ଟଙ୍କା ବ୍ୟୟରେ ‘ଆମ ହସ୍ପିଟାଲ’ ଯୋଜନା ଆରମ୍ଭ କରିଛନ୍ତି ସରକାର । ଦୁର୍ବଳ ଓ ଆପଦଗ୍ରସ୍ତ ପରିବାରକୁ ମାସିକ ମୁଣ୍ଡପିଛା ୫ କେଜି ଚାଉଳ ମାଗଣା ମିଳୁଛି । ସେହିପରି ଅନ୍ତ୍ୟୋଦୟ ଅନ୍ନ ଯୋଜନାରେ ମାସିକ ୩୫ କେଜି ଚାଉଳ ମାଗଣା ମିଳୁଛି । ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରୁ ବାଦ୍‌ ପରିବାରକୁ ରାଜ୍ୟ ଚାଉଳ ଦେଉଛି । ବର୍ତ୍ତମାନ ୩.୧୫ ଲକ୍ଷ ପରିବାରର ୯.୯୭ ଲକ୍ଷ ଲୋକଙ୍କୁ ରାଜ୍ୟ ଚାଉଳ ଦେଉଛି ।

ଚଳିତ ସିଜିନରେ ୧୭.୧୧ ଲକ୍ଷ ଚାଷୀଙ୍କଠାରୁ ୭୯.୧୬ ଲକ୍ଷ ଟନ୍‌ ଧାନ ସଂଗ୍ରହ ହୋଇଛି । ସେହିପରି ରାଜ୍ୟର ୪୦% ଅଂଶଧନରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଚାଲିଛି । ୨୦୧୪-୧୫ରୁ ଏଯାଏଁ ୩୪.୨୫ ଲକ୍ଷ ପକ୍କା ଘର ନିର୍ମାଣ ହୋଇଛି । ସମୟ ପୂର୍ବରୁ ଘର ସାରିଥିବାରୁ ୧୩୮୭ କୋଟିର ପ୍ରୋତ୍ସାହନ ମଧ୍ୟ ଦିଆଯାଇଛି । ମଧ୍ୟବିତ୍ତ ପରିବାରର ଗୃହ ନିର୍ମାଣ ସ୍ୱପ୍ନ ସାକାର ପାଇଁ ସରକାର ଆରମ୍ଭ କରିଛନ୍ତି ‘ମୋ ଘର’ ଯୋଜନା । ଆମ ଓଡ଼ିଶା ନବୀନ ଓଡ଼ିଶା’ରେ ପ୍ରତି ପଞ୍ଚାୟତକୁ ୫୦ ଲକ୍ଷ ଟଙ୍କା ଲେଖାଏଁ ଦିଆଯାଉଛି । ସେହିପରି ରାଜ୍ୟର ୧୦ଟି ସହର ବସ୍ତିମୁକ୍ତ ମାନ୍ୟତା ଲାଭ କରିସାରିଛି । ୨୦୨୪ ଡିସେମ୍ବର ସୁଦ୍ଧା ରାଜ୍ୟର ସବୁ ସହରାଞ୍ଚଳ ବସ୍ତିମୁକ୍ତ ହେବା ନେଇ ଆଶା ରଖାଯାଇଛି ।

ନ୍ୟୁୟର୍କ, ଟୋକିଓ, ସିଙ୍ଗାପୁର ଭଳି ଆମ ଓଡ଼ିଶାରେ ମଧ୍ୟ ଡ୍ରିଙ୍କ ଫ୍ରମ୍‌ ଟ୍ୟାପ୍‌ ବ୍ୟବସ୍ଥା କରାଯାଇଛି । ଡ୍ରିଙ୍କ ଫ୍ରମ୍‌ ଟ୍ୟାପ୍‌ରେ ପୁରା ଦେଶରେ ପୁରୀ ପ୍ରଥମ ସ୍ଥାନରେ ଥିବା ବେଳେ ଦ୍ଵିତୀୟ ସ୍ଥାନରେ ଗୋପାଳପୁର ସହର ରହିଛି । ୨୪ ସହରାଞ୍ଚଳର ୨୩ ଲକ୍ଷ ବାସିଦ୍ଦା ଡ୍ରିଙ୍କ ଫ୍ରମ୍‌ ଟ୍ୟାପ୍‌ ସୁବିଧା ପାଉଛନ୍ତି । ଅନ୍ୟପଟେ ୩୪୧୧ କୋଟି ଖର୍ଚ୍ଚରେ ୬୮୭୨ଟି ହାଇସ୍କୁଲର ରୂପାନ୍ତରଣ ହୋଇଛି । କୋରାପୁଟ ଜିଲ୍ଲା କୋଟିଆରେ ସ୍ୱତନ୍ତ୍ର ଆଦର୍ଶ ବିଦ୍ୟାଳୟ କରାଯାଇଛି ବୋଲି ନିଜ ଅଭିଭାଷଣରେ କହିଛନ୍ତି ରାଜ୍ୟପାଳ ରଘୁବର ଦାସ୍ ।

 

Leave A Reply

Your email address will not be published.