ଭୁବନେଶ୍ୱର: ବିଧାନସଭା ଆରମ୍ଭରୁ ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ। ବାଚସ୍ପତିଙ୍କ ପୋଡ଼ିୟମ ତଳେ ବିଜେଡି ସଦସ୍ୟଙ୍କ ହୋହଲ୍ଲା, ନାରାବାଜି। ପଞ୍ଚାୟତ ପ୍ରତିନିଧିଙ୍କ କ୍ଷମତା ସଙ୍କୁଚିତ ଅଭିଯୋଗରେ ପ୍ରତିବାଦ। ବିଜେଡି ଗୃହ ଚଳାଇ ଦେଉ ନଥିବା ଅଭିଯୋଗରେ କଂଗ୍ରେସର ପ୍ରତିବାଦ। ବାଚସ୍ପତିଙ୍କ ବାରମ୍ବାର ଅନୁରୋଧ ସତ୍ତ୍ବେ ଗୃହ କାର୍ଯ୍ୟ ଚଳାଇ ଦେଲେନି ବିରୋଧୀ। ଅପରାହ୍ଣ ୪ଟା ଯାଏଁ ଗୃହକୁ ମୁଲତବି ଘୋଷଣା କଲେ ବାଚସ୍ପତି।
ତେବେ ଗତକାଲି ଅପରାହ୍ଣରେ ଗୃହକାର୍ୟ୍ୟ ସ୍ୱାଭାବିକ ହେବା ପରେ ଆଶା କରାଯାଉଥିଲା ଆଜି ପ୍ରଶ୍ନକାଳ ସ୍ୱାଭାବିକ ହେବ, ହେଲେ ସେମିତି କିଛି ବି ଦେଖିବାକୁ ମିଳିନି । ପୂର୍ବପରି ଆଜି ବି ବିଧାନସଭାରେ ବିରୋଧୀଙ୍କ ହଙ୍ଗାମା ଦେଖିବାକୁ ମିଳିଛି । ଯାହାପରେ ବାଚସ୍ପତି ଗୃହକୁ ମୁଲତବି କରିଛନ୍ତି ।
ଆଜି ବିଧାନସଭାରେ ପ୍ରଶ୍ନକାଳ ଆରମ୍ଭ ହେବା ପରଠାରୁ ବିଜେଡି ବିଧାୟକମାନେ ଫ୍ଲୋରର ମଝିକୁ ଆସି ହୋ ହଲ୍ଲା କରିଥିଲେ । ଅନ୍ୟପଟେ କଂଗ୍ରେସ ବିଧାୟକମାନେ ନିଜ ନିଜ ସିଟରେ ଠିଆ ହୋଇ ପ୍ରତିବାଦ କରିଥିଲେ । ଗୋଟିଏ ପଟେ ବିଜେଡି ବିଧାୟକମାନେ ପଞ୍ଚାୟତ ପ୍ରତିନିଧିଙ୍କ ଆର୍ଥିକ କ୍ଷମତା ପ୍ରସଙ୍ଗରେ ଗୃହରେ ହୋହଲ୍ଲା କରୁଥିବାବେଳେ, କଂଗ୍ରେସ ବିଧାୟକମାନେ ବିଜେଡି-ବିଜେପି ଭାଇ ଭାଇ ପ୍ଲାଗକାର୍ଡ ଦେଖାଇ ପ୍ରତିବାଦ କରିଥିଲେ । ଆଉ ଶେଷରେ ବାଚସ୍ପତି ଗୃହକୁ ଅପରାହ୍ଣ ୪ଟା ଯାଏଁ ମୁଲତବି ଘୋଷଣା କରିଥିଲେ ।
Comments are closed.