Latest Odisha News

BREAKING NEWS

ନିର୍ଦ୍ଧାରିତ ଅବଧି ପୂର୍ବରୁ ସ୍ଥଗିତ ହୋଇପାରେ ବିଧାନସଭା ଶୀତକାଳୀନ ଅଧିବେଶନ !

ଭୁବନେଶ୍ୱର: ଓଡ଼ିଶା ବିଧାନସଭାର ଶୀତକାଳୀନ ଅଧିବେଶନ ନିର୍ଦ୍ଧାରିତ ଅବଧି ପୂର୍ବରୁ ଗୁରୁବାର କିମ୍ବା ଶୁକ୍ରବାର ଦିନ ସ୍ଥଗିତ ରହିପାରେ ବୋଲି ବିଶେଷ ସୂତ୍ରରୁ ଜଣାପଡ଼ିଛି ।

ଚଳିତ ଶୀତକାଳୀନ ଅଧିବେଶନ ନଭେମ୍ବର ୧୩ ତାରିଖରୁ ଆରମ୍ଭ ହୋଇଥିବା ବେଳେ ଏହା ଆସନ୍ତା ଡ଼ିସେମ୍ବର ୧୯ ତାରିଖରେ ଶେଷ ହେବାର ଥିଲା ।

ବିରୋଧି ଦଳ ନେତା ପ୍ରଦୀପ୍ତ ନାୟକ ଗୃହର ଶୂନ୍ୟକାଳରେ ବୁଧବାର ଦିନ ଏହାକୁ ନେଇ ସରକାରଙ୍କୁ ପ୍ରଶ୍ନ ପଚାରିଥିଲେ । ସରକାର ଏହାକୁ ନେଇ ପୂର୍ବରୁ ଦେଇଥିବା କିଛି ବିବୃତିକୁ ଉଦ୍ଧାର କରି ଶ୍ରୀ ନାୟକ କହିଛନ୍ତି ଯେ, ବିଧାନସଭାରେ ଆଉ ସେପରି କିଛି ବୈଧାନିକ ପ୍ରସଙ୍ଗ ଓ ବିଷୟ ଆଲୋଚନା ହେବାକୁ ନାହିଁ ।

“ଏହି ଶୀତକାଳୀନ ଅଧିବେଶନରେ ଯେତିକି କାର୍ଯ୍ୟକାରୀ ଦିବସ ରହିଛି ତାହା ସମ୍ପୂର୍ଣ୍ଣ ହୋଇପାରିବ କି ନାହିଁ ଏବଂ ଏହି ଅଧିବେଶନରେ କେଉଁ କେଉଁ ପ୍ରସଙ୍ଗ ଓ ବିଷୟବସ୍ତୁକୁ ନେଇ ଆଲୋଚନା ହେବ ତାହା ପୂର୍ବରୁ କ’ଣ ସରକାର ଅବଗତ ନାହାନ୍ତି କି? ହଜାର ହଜାର ପ୍ରଶ୍ନ ରହିଛି ଉତ୍ତର ଦେବାକୁ । ସରକାର କାହିଁକି ଆଲୋଚନା କରିବାକୁ ପ୍ରସ୍ତୁତ ନାହାନ୍ତି,” ବୋଲି ସରକାରଙ୍କୁ ପ୍ରଶ୍ନ ପଚାରିଛନ୍ତି ଶ୍ରୀ ନାୟକ ।

ସରକାର ଜାଣିଶୁଣି ବିଭିନ୍ନ ପ୍ରଶ୍ନୋତ୍ତର କୁ ନେଇ ଆଲୋଚନାର ତୁରନ୍ତ ପରିସମାପ୍ତି ଚାହାନ୍ତି, କୌଣସି ପ୍ରସଙ୍ଗକୁ ନେଇ ସରକାର ସ୍ୱଳ୍ପ ସମୟ ମଧ୍ୟରେ ଆଲୋଚନାକୁ ଅନ୍ତ କରିଦେବାକୁ ଚାହୁଁଛନ୍ତି ବୋଲି ଶ୍ରୀ ନାୟକ ଅଭିଯୋଗ କରି କହିଛନ୍ତି ।

ଏହି ପ୍ରସଙ୍ଗରେ ବିରୋଧୀ ଦଳର ନେତା କହିଛନ୍ତି ଯେ, ଗୃହ ମଧ୍ୟରେ ଯେକୌଣସି ପ୍ରସଙ୍ଗକୁ ନେଇ ଆଲୋଚନା ଜାରି ରହିବା ଉଚିତ । ଗୃହରେ ବିଭିନ୍ନ ପ୍ରସଙ୍ଗକୁ ନେଇ ଆଲୋଚନା ଏବଂ ସରକାରଙ୍କ ଏହାକୁ ନେଇ ପ୍ରତିକ୍ରିୟା ହିଁ ଗଣତନ୍ତ୍ରର ମୁଖ୍ୟ ଆଧାର ହୋଇଥାଏ । “ସରକାର ଏହି ଗଣତାନ୍ତ୍ରିକ ପ୍ରକ୍ରିୟାକୁ ରକ୍ଷା ନକରିବା ଅତ୍ୟନ୍ତ ଦୁଃଖଦାୟକ,” ବୋଲି କହିଛନ୍ତି ଶ୍ରୀ ନାୟକ ।

ସେହିପରି ଭାବେ କଂଗ୍ରେସ ଦଳର ବିରୋଧି ଦଳ ନେତା ନରସିଂହ ମିଶ୍ର ଆଶ୍ଚର୍ଯ୍ୟ ପ୍ରକାଶ କରି କହିଛନ୍ତି ଯେ, ରାଜ୍ୟ ସରକାର କାର୍ହିକି ନିର୍ଦ୍ଧାରିତ ସମୟର ଯଥେଷ୍ଟ ପୂର୍ବରୁ ଏହି ଅଧିବେଶନକୁ ସ୍ଥଗିତ ରଖିବାକୁ ଚାହୁଁଛନ୍ତି?

Leave A Reply

Your email address will not be published.