Latest Odisha News

BREAKING NEWS

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ବିରୋଧରେ ଆଦର୍ଶ ଆଚରଣବିଧି ଉଲ୍ଲଙ୍ଘନ ଅଭିଯୋଗ ଆଣିଲା ବିଜେଡି

ଭୁବନେଶ୍ୱର: ବିଜେପୁର ଏବଂ ପଦ୍ମପୁର ଉପନିର୍ବାଚନ ଭଳି ଝାରସୁଗୁଡ଼ା ଉପନିର୍ବାଚନରେ ମଧ୍ୟ ଓଡ଼ିଶା ବିଜେପି ଆଦର୍ଶ ଆଚରଣବିଧି ଉଲ୍ଲଂଘନ କରି ଆସୁଛି । ଏ ଏଭିଯୋଗ କରିବା ସହ ବିଜେଡି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଦ୍ୱାରସ୍ଥ ହୋଇଛି । ଓଡ଼ିଶା ବିଜେପିର ବରିଷ୍ଠ ନେତା ଖୋଦ୍ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଝାରସୁଗୁଡ଼ା ଉପନିର୍ବାଚନରେ ଆଦର୍ଶ ଆଚରଣବିଧି ଉଲ୍ଲଂଘନ କରିଥିବା ଅଭିଯୋଗ କରିଛି ବିଜେଡି ।

ଆଜି ବିଜୁ ଜନତା ଦଳ ପକ୍ଷରୁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଏଭଳି ଗୁରୁତର ଅଭିଯୋଗ କରାଯାଇଛି ଏବଂ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରାଯାଇଛି ।

ନିର୍ବାଚନ କମିଶନଙ୍କ ନିକଟକୁ ବିଜେଡି ପ୍ରତିନିଧି ଦଳରେ ଯାଇଥିବା ଦଳର ମୁଖପାତ୍ର ଗୌତମବୁଦ୍ଧ ଦାସ ଏ ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, ଆଜି ନିର୍ବାଚନ ପ୍ରଚାରରେ ଝାରସୁଗୁଡ଼ା ଯାଇଥିବା ଶ୍ରୀ ପ୍ରଧାନ ତାଙ୍କ ନିଜ ଟୁଇଟର ଆକାଉଣ୍ଟରୁ ତାଙ୍କ ଜନସଭା ପାଇଁ ପ୍ରସ୍ତୁତ ଏକ ପୋଷ୍ଟରକୁ ରି-ଟୁଇଟ୍ କରିଛନ୍ତି ।

ଉକ୍ତ ପୋଷ୍ଟରରେ ଜି-୨୦ ସମ୍ମିଳନୀ ପାଇଁ ଭାରତ ସରକାରଙ୍କ ଲୋଗୋ ଏବଂ ସ୍ୱାଧୀନତାର ୭୫ ବର୍ଷ ପାଳନ ପାଇଁ ଉଦ୍ଧିଷ୍ଟ ଆଜାଦି କା ଅମୃତ ମହୋତ୍ସବର ଲୋଗୋ ସ୍ଥାନ ପାଇଛି । ଏହାକୁ ଆମେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ପ୍ରମାଣ ଭାବେ ଉପସ୍ଥାପନ କରିଛୁ । ଆଦର୍ଶ ନିର୍ବାଚନ ଆଚରଣ ବିଧି ଅନୁଯାୟୀ କୌଣସି ଜାତୀୟ କିମ୍ବା ଆଞ୍ଚଳିକ ଦଳ ଭୋଟରଙ୍କୁ ପ୍ରଭାବିତ କରିବା ପାଇଁ ସରକାରୀ ଲୋଗୋ ବା ଚିହ୍ନକୁ ବ୍ୟବହାର କରିପାରିବ ନାହିଁ । କିନ୍ତୁ ବିଜେପି ବାରମ୍ଵାର ଏଭଳି ଆଚରଣ ବିଧି ଉଲ୍ଲଂଘନ କରି ଆସୁଛି । କେତେବେଳେ ଗୁଣ୍ଡାଗର୍ଦ୍ଦି ଓ ଆକ୍ରମଣ କରି ଭୋଟରଙ୍କୁ ଭୟଭୀତ କରୁଛି ତ ଆଉ କେତେବେଳେ ରାତି ଅଧରେ ପ୍ରଚାର କରି ପ୍ରଭାବିତ ଓ ପ୍ରଲୋଭିତ କରିବାକୁ ଉଦ୍ୟମ ହେଉଛି ।

ଶ୍ରୀ ଦାସ ଆହୁରି କହିଛନ୍ତି, ଧର୍ମେନ୍ଦ୍ର ପ୍ରଧାନଙ୍କ ଭଳି ଜଣେ ଅଭିଜ୍ଞ ଓ ବରିଷ୍ଠ ମନ୍ତ୍ରୀ ଏହା କେମିତି ଏଭଳି କଲେ ତାହା ଆମକୁ ବିସ୍ମିତ କରିଛି । ଭାରତର ଶିକ୍ଷାମନ୍ତ୍ରୀଙ୍କ ପକ୍ଷରେ ଏଭଳି ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ ଶୋଭନୀୟ ନୁହେଁ । ତେଣୁ ଶ୍ରୀ ପ୍ରଧାନଙ୍କ ବିରୋଧରେ ନିର୍ବାଚନ କମିଶନ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଆମେ ନିର୍ବାଚନ କମିଶନଙ୍କ ନିକଟରେ ଦୃଢ଼ ଦାବି କରୁଛୁ ।

ବିଜେଡିର ଏହି ପ୍ରତିନିଧି ଦଳରେ ଦଳୀୟ ମୁଖପାତ୍ର ତୁମ୍ବନାଥ ପଣ୍ଡା, ପ୍ରିୟବ୍ରତ ମାଝୀ, ଲୋରା ମହାପାତ୍ର, ଇପସିତା ସାହୁ ଓ ମଧୁସ୍ମିତା ନାୟକ ପ୍ରମୁଖ ସାମିଲ ଥିଲେ ।

Leave A Reply

Your email address will not be published.