ଭୁବନେଶ୍ବର:ରାଜ୍ୟ କ୍ୟାବିନେଟ୍ ବୈଠକରେ ୧୮ଟି ପ୍ରସ୍ତାବ ଉପରେ ବାଜିଲା ମୋହର । ୧୨ ଟି ବିଭାଗର ୧୮ଟି ପ୍ରସ୍ତାବକୁ ସୋମବାର ଅନୁମୋଦନ ମିଳିଛି। ଏଥିରେ ଓଡ଼ିଶା ଜନ ବିଶ୍ୱାସ ବିଲ୍-୨୦୨୬କୁ ଅନୁମୋଦନ ଦେଇଛି ରାଜ୍ୟ କ୍ୟାବିନେଟ୍। ଏହା ସହ ଓଡ଼ିଶା ବେସାମରିକ ସେବା (ପେନସନ) ନିୟମାବଳୀ, ୧୯୯୨ରେ ସଂଶୋଧନ ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ୍ର ଅନୁମୋଦନ ମିଳିଛି।
ବୈଠକରେ ପ୍ରସ୍ତାବିତ ଓ ଗୃହୀତ ହୋଇଥିବା ପ୍ରସଙ୍ଗଗୁଡ଼ିକ ମଧ୍ୟରେ ଓଡ଼ିଶା ଜନ ବିଶ୍ବାସ ବିଲ୍-୨୦୨୬ ଅନୁମୋଦିତ ହୋଇଛି। ଏହା ସହ ଜଗନ୍ନାଥ ଲ୍ୟାଣ୍ଡ ମ୍ୟାନେଜମେଣ୍ଟ ବିଲ୍, ଉଦ୍ୟାନ କୃଷି ସେବା କ୍ୟାଡ଼ର ପୁର୍ନଗଠନ, ଓଡ଼ିଶା ମୃତ୍ତିକା ସଂରକ୍ଷଣ ସେବା କ୍ୟାଡ଼ର ଗଠନ, ଅବସର ନେବାର ବର୍ଷେ ମଧ୍ୟରେ ପେନ୍ସନ୍ ନମିଳିଲେ ୭ହାର ସୁଧ ସହିତ ପ୍ରାପ୍ୟ ପ୍ରଦାନ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି।
ସେହିପରି ଜଳସମ୍ପଦ ବଭାଗର “Building Odisha’s Irrigation Tourism Amenities (BOITA)” ଯୋଜନା ଅନୁମୋଦନ ମିଳିଛି। ୬୫୦ କୋଟି ଟଙ୍କାର ଯୋଜନା ରହିଛି। ପୁରୁଣା ଜଳସେଚନ କୋଠା ଓ ଐତିହ୍ୟ ପୁନରୁଦ୍ଧାର, କଳିଙ୍ଗ ସାମୁଦ୍ରିକ ପରମ୍ପରା ଓ ପାରମ୍ପରିକ ଜଳ ପରିଚାଳନାକୁ ପ୍ରୋତ୍ସାହନ ସହ ପର୍ଯ୍ୟଟନ ବିକାଶ କରାଯିବ । ଗଭୀର ନଳକୂପ ଜଳସେଚନ ଯୋଜନାରେ ସୋଲାର ଓ ନନ୍-ସୋଲାର ପମ୍ପିଂ ସିଷ୍ଟମ ପାଇଁ ୮,୬୫୩.୦୪ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ୫ ବର୍ଷରେ ୧,୫୦,୦୦୦ ନଳକୂପ ସ୍ଥାପନ କରାଯିବ। ୭,୫୦,୦୦୦ ହେକ୍ଟର ଜମିରେ ଜଳସେଚନ କରାଯିବ । ବିଶେଷ କରି ପଶ୍ଚିମ ଓଡିଶା, KBK, ପାହାଡିଆ ଓ ହାର୍ଡ ରକ୍ ଅଞ୍ଚଳକୁ ଫୋକସ ଦିଆଯିବ।
ବିକଶିତ ଓଡିଶା-୨୦୩୬ ଲକ୍ଷ୍ୟରେ ବିଦ୍ୟୁତ ଭିତ୍ତିଭୂମିକୁ ଅଧିକ ଶକ୍ତିଶାଳୀ କରାଯିବ। ମଜବୁତ ଓ ସ୍ଥାୟୀ ବିଦ୍ୟୁତ ପାଇଁ ୧,୫୯୪.୭୦ କୋଟି ଟଙ୍କାର ଟ୍ରାନ୍ସମିସନ ପ୍ରକଳ୍ପକୁ ଅନୁମୋଦନ ଦିଆଯାଇଛି।ପ୍ରଥମ ଥର ପାଇଁ ଓଡ଼ିଶାରେ ୭୬୫ କେଭି ନେଟୱାର୍କ ବିକଶିତ କରାଯିବ । ଏହାସହ ଖୁଣ୍ଟୁଣୀ, ଡୁବୁରୀ ଓ କୋଲାବିରାରେ ୩ଟି ନୂଆ ଗ୍ରିଡ୍ ସବଷ୍ଟେସନ ନିର୍ମାଣ ହେବ । ସ୍ୱତନ୍ତ୍ର ନେଟୱାର୍କ ସହିତ AI ଆଧାରିତ ରକ୍ଷଣାବେକ୍ଷଣ ବ୍ୟବସ୍ଥା କରାଯିବ।
ଶ୍ରୀଜଗନ୍ନାଥ ମନ୍ଦିର ଜମି ପରିଚାଳନାକୁ ନେଇ ମଧ୍ୟ କ୍ୟାବିନେଟ୍ ବଡ ନିଷ୍ପତ୍ତି ନେଇଛି। ଶ୍ରୀଜଗନ୍ନାଥ ମନ୍ଦିର ଜମି ପାଇଁ ନୂଆ ନିୟମ, ୨୦୨୬ ଲାଗୁ କରିବାକୁ ଅନୁମୋଦନ ମିଳିଛି। ଏହା ସହ ୨୦୦୩ ଓ ୨୦୧୯ର ୟୁନିଫର୍ମ ପଲିସିକୁ ବାତିଲ କରାଯାଇଛି। ନୂଆ ବ୍ୟବସ୍ଥାରେ ସମ୍ପୂର୍ଣ୍ଣ ଅନଲାଇନ୍ ପୋର୍ଟାଲ, GIS ମ୍ୟାପିଂ ଏବଂ ଭୂଲେଖ ସହ ସଂଯୋଗ ଭଳି ବ୍ୟବସ୍ଥା ରହିବ। BMV/ALSS ମଧ୍ୟରୁ ଯେଉଁ ହାର ଅଧିକ ହେବ, ସେହି ହାରରେ ସେଟଲମେଣ୍ଟ କରାଯିବ। ଜମି କାରବାରରେ ଜାଲିଆତି ରୋକିବା ପାଇଁ ମଧ୍ୟ କଡ଼ା ପ୍ରାବଧାନ ରହିବ।
ଶିକ୍ଷା କ୍ଷେତ୍ରରେ ମଧ୍ୟ ଆସିଛି ନୂଆ ଯୋଜନା। ‘ପଞ୍ଚସଖା ଶିକ୍ଷା ସେତୁ’ ଯୋଜନାକୁ ଅନୁମୋଦନ ଦିଆଯାଇଛି। ଏହି ଯୋଜନା ଅଧୀନରେ ସରକାରୀ ସ୍କୁଲଗୁଡ଼ିକ ପାଇଁ ଦାନ କରାଗଲେ ସରକାର ତାହାର ଦୁଇଗୁଣା ଅର୍ଥ ମ୍ୟାଚିଂ ଗ୍ରାଣ୍ଟ ଭାବେ ଦେବେ। ଅର୍ଥାତ୍, ଦାତା ୧ ଟଙ୍କା ଦାନ କଲେ ସରକାର ୨ ଟଙ୍କା ଦେବ। ତେବେ ସରକାରୀ ମ୍ୟାଚିଂ ଗ୍ରାଣ୍ଟର ସର୍ବାଧିକ ସୀମା ୫୦ ଲକ୍ଷ ଟଙ୍କା ରହିବ। ଏହି ଯୋଜନାରେ ୫ ବର୍ଷରେ ୩୧୨.୯୬ କୋଟି ଟଙ୍କା ଖର୍ଚ୍ଚ ହେବ।

