ନୂଆଦିଲ୍ଲୀ/ଭୁବନେଶ୍ୱର: ଓଡ଼ିଶାର ପରବର୍ତ୍ତୀ ତଥା ସ୍ଥାୟୀ ପୋଲିସ ମହାନିର୍ଦ୍ଦେଶକ ନିଯୁକ୍ତିକୁ ନେଇ ଲାଗି ରହିଥିବା ସସପେନ୍ସ ଏବେ ଆହୁରି ବଢ଼ିଛି। ରାଜ୍ୟ ସରକାରଙ୍କ ଡିଜିପି ଚୟନ ପ୍ରକ୍ରିୟାକୁ ଚ୍ୟାଲେଞ୍ଜ କରି ଦାୟର ହୋଇଥିବା ଜନସ୍ୱାର୍ଥ ମାମଲାର ଗୁରୁତ୍ୱପୂର୍ଣ୍ଣ ଶୁଣାଣିକୁ ସୁପ୍ରିମକୋର୍ଟ ଆସନ୍ତା ସେପ୍ଟେମ୍ବର ୧୬ ତାରିଖ ପର୍ଯ୍ୟନ୍ତ ଘୁଞ୍ଚାଇ ଦେଇଛନ୍ତି। ଫଳରେ ଏହି ମାମଲାରେ ସର୍ବୋଚ୍ଚ ନ୍ୟାୟାଳୟ ୟୁନିୟନ ପବ୍ଲିକ ସର୍ଭିସ କମିଶନ ଉପରେ ଲଗାଇଥିବା ରୋକ୍ ବା କଟକଣା ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ବଳବତ୍ତର ରହିଛି ।
ସୋମବାର ଦିନ ସୁପ୍ରିମକୋର୍ଟଙ୍କ ଏକ ଖଣ୍ଡପୀଠରେ ଏହି ସମ୍ବେଦନଶୀଳ ପ୍ରସଙ୍ଗର ଶୁଣାଣି ହୋଇଥିଲା। ଏହି ମାମଲାରେ କୋର୍ଟଙ୍କୁ ସହଯୋଗ କରିବା ପାଇଁ ନିଯୁକ୍ତ ହୋଇଥିବା ଆମିକସ୍ କ୍ୟୁରି ତଥା ବରିଷ୍ଠ ଆଇନଜୀବୀ ରାଜୁ ରାମଚନ୍ଦ୍ରନ ନିଜର ରିପୋର୍ଟ ଦାଖଲ କରିବା ନେଇ ପୂର୍ବରୁ ସମୟ ଧାର୍ଯ୍ୟ ହୋଇଥିଲା। ତେବେ ଉଭୟ ପକ୍ଷର ଯୁକ୍ତି ଏବଂ ମାମଲାର ଆଇନଗତ ଦିଗକୁ ଅଧିକ ଟିକନିଖି ତର୍ଜମା କରିବା ନିମନ୍ତେ କୋର୍ଟ ଶୁଣାଣିର ପରବର୍ତ୍ତୀ ତାରିଖକୁ ସେପ୍ଟେମ୍ବର ୧୬ କୁ ଧାର୍ଯ୍ୟ କରିଛନ୍ତି। ଏହାଦ୍ୱାରା ରାଜ୍ୟରେ ଏବେ ଅସ୍ଥାୟୀ ଡିଜିପି ବ୍ୟବସ୍ଥା ଆହୁରି କିଛି ଦିନ ଜାରି ରହିବା ସ୍ପଷ୍ଟ ହୋଇଯାଇଛି।
ଉଲ୍ଲେଖଯୋଗ୍ୟ ଯେ, ଓଡ଼ିଶା ସରକାର ଡିଜିପି ପଦବୀ ପାଇଁ ପ୍ରଥମେ ୟୁପିଏସସିକୁ ୩ ଜଣ ବରିଷ୍ଠ ଡିଜି ପାହ୍ୟାର ଅଫିସର- ସୁଧାଂଶୁ ଷଡ଼ଙ୍ଗୀ, ଆର୍.ପି. କୋଚେ ଏବଂ ସୁଶାନ୍ତ କୁମାର ନାଥଙ୍କ ନାମ ସୁପାରିଶ କରିଥିଲେ। ମାତ୍ର ପରେ ସରକାର ନିଜ ନିଷ୍ପତ୍ତି ବଦଳାଇ ୮ ଜଣ ଅତିରିକ୍ତ ପୋଲିସ ମହାନିର୍ଦ୍ଦେଶକ ପାହ୍ୟାର ଅଫିସରଙ୍କ ନାମ ଯୋଡ଼ି ମୋଟ ୧୧ ଜଣିଆ ତାଲିକା ପଠାଇଥିଲେ। ଆବେଦନକାରୀଙ୍କ ପକ୍ଷରୁ ଲଢ଼ୁଥିବା ବରିଷ୍ଠ ଆଇନଜୀବୀ ପି. ଚିଦାମ୍ବରମ୍ ଦର୍ଶାଇଥିଲେ ଯେ, ତୁଳନାତ୍ମକ ଭାବେ କନିଷ୍ଠ ଅଧିକାରୀଙ୍କୁ ଡିଜିପି ଦୌଡ଼ରେ ସାମିଲ କରିବା ପାଇଁ ରାଜ୍ୟ ସରକାର ଏପରି ପଦକ୍ଷେପ ନେଇଛନ୍ତି, ଯାହାକି ସୁପ୍ରିମକୋର୍ଟଙ୍କ ୨୦୦୬ ମସିହାର ଐତିହାସିକ ‘ପ୍ରକାଶ ସିଂହ’ ରାୟର ସିଧାସଳଖ ଉଲ୍ଲଂଘନ। ପ୍ରକାଶ ସିଂହ ମାମଲାରେ ବରିଷ୍ଠତା, ସେବା ରେକର୍ଡ ଓ ନେତୃତ୍ୱ ନେବାର ଦକ୍ଷତାକୁ ଡିଜିପି ଚୟନର ମୁଖ୍ୟ ଆଧାର ଭାବେ ଗ୍ରହଣ କରିବାକୁ ସ୍ପଷ୍ଟ ନିର୍ଦ୍ଦେଶ ରହିଛି।
ଅନ୍ୟପଟେ ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ଅଭିଯୋଗକୁ ଦୃଢ଼ତାର ସହ ଖଣ୍ଡନ କରାଯାଇ କୁହାଯାଇଛି ଯେ, ଯୋଗ୍ୟତା ପୂରଣ କରୁଥିବା ଅଧିକାରୀଙ୍କୁ ନେଇ ସାନି ପ୍ରସ୍ତାବ ପଠାଇବା ରାଜ୍ୟ ସରକାରଙ୍କ ସାମ୍ବିଧାନିକ ତଥା ପ୍ରଶାସନିକ ଅଧିକାର ପରିସରଭୁକ୍ତ। ଏବେ ସୁପ୍ରିମକୋର୍ଟଙ୍କ ଚୂଡ଼ାନ୍ତ ନିଷ୍ପତ୍ତି ଆସିବା ଯାଏଁ ୟୁପିଏସସି ରାଜ୍ୟ ସରକାରଙ୍କ ପାଇଁ ୩ ଜଣିଆ ଅନ୍ତିମ ପ୍ୟାନେଲ୍ ପ୍ରସ୍ତୁତ କରିପାରିବ ନାହିଁ। ତେଣୁ ଆସନ୍ତା ୧୬ ତାରିଖ ଶୁଣାଣି ଉପରେ ଏବେ ସମସ୍ତଙ୍କ ନଜର ରହିଛି। ସେହିଦିନ ହିଁ ସ୍ପଷ୍ଟ ହେବ ଯେ, କୋର୍ଟ ୟୁପିଏସସି ଉପରୁ କଟକଣା ହଟାଇବେ ନା ରାଜ୍ୟ ସରକାରଙ୍କୁ ତାଲିକା ପ୍ରସଙ୍ଗରେ କୌଣସି ନୂତନ ନିର୍ଦ୍ଦେଶ ଦେବେ।

