ଭୁବନେଶ୍ବର: ରାଜ୍ୟର ବିକାଶ ଓ ଜନକଲ୍ୟାଣକୁ ଆଖିଆଗରେ ରଖି ୬ଟି ଗୁରୁତ୍ୱପୂର୍ଣ୍ଣ ବିଭାଗର ମୋଟ ୧୦ଟି ପ୍ରସ୍ତାବ ଉପରେ କ୍ୟାବିନେଟ୍ ମୋହର ମାରିଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ଆୟୋଜିତ କ୍ୟାବିନେଟ୍ ବୈଠକରେ ପରେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି।
ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଦ୍ୟା ବିଭାଗର ୨ଟି, ଶକ୍ତି ବିଭାଗର ୨ଟି, ଜଳ ସଂପଦ ବିଭାଗର ୨ଟି, ମହିଳା ଓ ଶିଶୁ ବିକାଶ ବିଭାଗର ୨ଟି, କୃଷି ଓ କୃଷକ ସଶକ୍ତିକରଣ ବିଭାଗ (ଏଗ୍ରିଷ୍ଟାକ) ସମ୍ପର୍କିତ ୧ଟି ଏବଂ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗର ୧ ଟି, ଏହିପରି ମୋଟ ୬ଟି ବିଭାଗର ୧୦ ଟି ପ୍ରସ୍ତାବ ରାଜ୍ୟ କ୍ୟାବିନେଟ ବୈଠକରେ ଆଲୋଚନା ପୂର୍ବକ ଅନୁମୋଦନ କରାଯାଇଛି ।
ସରକାରଙ୍କ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଆଗାମୀ ଦିନରେ ରାଜ୍ୟର ବିକାଶ ପ୍ରକ୍ରିୟାକୁ ଆହୁରି ତ୍ୱରାନ୍ୱିତ କରିବ ବୋଲି ଆଶା କରାଯାଉଛି ।
ବୈଠକ ଶେଷ ହେବା ପରେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ଗଣମାଧ୍ୟମକୁ ଏହି ନିଷ୍ପତ୍ତି ସମ୍ପର୍କରେ ଆନୁଷ୍ଠାନିକ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ସାଧାରଣ ଜନତାଙ୍କୁ ସୁବିଧା ଯୋଗାଇବା, ସରକାରୀ ଯୋଜନାଗୁଡ଼ିକର ସୁପରିଚାଳନା ଏବଂ ରାଜ୍ୟର ଭିତ୍ତିଭୂମିକୁ ସୁଦୃଢ଼ କରିବା ଲକ୍ଷ୍ୟରେ ଏହି ନିଷ୍ପତ୍ତିଗୁଡ଼ିକ ନିଆଯାଇଛି ।
ଏଣିକି ପେପରଲେସ ହେବ ଅଫିସ କାର୍ଯ୍ୟ। ସବୁ ଜିଲ୍ଲା ଓ ବ୍ଲକ ଅଫିସରେ ପେପରଲେସରେ କାର୍ଯ୍ୟ ହେବ। ସରକାରୀ କାର୍ଯ୍ୟକୁ ଅଧିକ ଡିଜିଟାଲ କରିବା ଲକ୍ଷ୍ୟରେ ଓଡ଼ିଶା ସେକ୍ରେଟାରୀଏଟ ଓ୍ବାର୍କଫ୍ଲୋ ଅଟୋମେସନ ସିଷ୍ଟମ (OSWAS)-3.0 କାର୍ଯ୍ୟକାରୀ କରିବାକୁ କ୍ୟାବିନେଟ୍ ନିଷ୍ପତ୍ତି ନେଇଛି। ଏହା ମାଧ୍ୟମରେ ସରକାରୀ କାର୍ଯ୍ୟାଳୟରେ ଡିଜିଟାଲ୍ ଫାଇଲ୍ ପରିଚାଳନା, ଅନଲାଇନ୍ ଅନୁମୋଦନ ଏବଂ ଶୀଘ୍ର ସେବା ପ୍ରଦାନ ବ୍ୟବସ୍ଥା ଆହୁରି ସୁଦୃଢ଼ ହେବ।
ଓଡ଼ିଶାର ସେମିକଣ୍ଡକ୍ଟର ଇକୋସିଷ୍ଟମ୍କୁ ଆହୁରି ବ୍ୟାପକ କରିବା ଦିଗରେ ମଧ୍ୟ କ୍ୟାବିନେଟ୍ରେ ନୀତିଗତ ପଦକ୍ଷେପ ନିଆଯାଇଛି । ନୂଆ ବ୍ୟବସ୍ଥାରେ ସେମିକଣ୍ଡକ୍ଟର ଭ୍ୟାଲୁ ଚେନରେ ଡିଜାଇନ, ର’ ମ୍ୟାଟେରିଆଲ, କେମିକାଲ ଓ ଗ୍ୟାସ, ଫ୍ୟାବ, ATMP/OSAT ଏବଂ ପ୍ରତିଭା ବିକାଶ ଭଳି କ୍ଷେତ୍ରକୁ ସାମିଲ କରିବା ଉପରେ ଗୁରୁତ୍ୱ ରହିଛି ।
ପମ୍ପଡ୍ ଷ୍ଟୋରେଜ୍ ପ୍ରକଳ୍ପ (ପିଏସପି)ର ବିକାଶକୁ ଦୃଷ୍ଟିରେ ରଖି ଶକ୍ତି ବିଭାଗ ପକ୍ଷରୁ ଓଡିଶା ପମ୍ପଡ୍ ଷ୍ଟୋରେଜ ପ୍ରୋଜେକ୍ଟ ( ପିଏସପି) ନୀତି ଏବଂ ପରିଚାଳନା ନିର୍ଦେଶାବଳୀରେ ସଂଶୋଧନ କରାଯାଇଛି। ଏହି ସଂଶୋଧନ ୨୦୩୦ ମସିହା ପର୍ଯ୍ୟନ୍ତ ମଞ୍ଜୁରୀ ମିଳିଛି।
ପର୍ବତୀଗିରି ମେଗାଲିଫ୍ଟ ଇରିଗେସନ ପ୍ରକଳ୍ପ – ଫେଜ III ଅଧୀନରେ ନୂଆ ଜଳସେଚନ ଯୋଜନା କାର୍ଯ୍ୟକାରୀ ହେବ । ଚାଷୀଙ୍କୁ ଜଳସେଚନ ସୁବିଧା ପହଞ୍ଚାଇବା ସହ କୃଷି ଉତ୍ପାଦନ ବୃଦ୍ଧିରେ ସହାୟକ ହେବ । ଏହି ପର୍ଯ୍ୟାୟରେ ପ୍ରକଳ୍ପ ଅବଧି ୨୦୨୬-୨୭ରୁ ୨୦୩୦-୩୧ ପର୍ଯ୍ୟନ୍ତ ରହିବ । ପ୍ରାୟ ୨.୬୨ ଲକ୍ଷ ହେକ୍ଟର ଜମିରେ ଜଳସେଚନ ସୁବିଧା ଯୋଗାଇବାର ଲକ୍ଷ୍ୟ ରହିଛି । ଏଥିରେ ପ୍ରାୟ ୭ ଲକ୍ଷ ଚାଷୀ ଉପକୃତ ହେବେ । ଜଳସମ୍ପଦ ବିଭାଗର ଅନ୍ୟ ଏକ ପ୍ରକଳ୍ପରେ ଜଳସେଚନ କ୍ଷମତା ପୁନରୁଦ୍ଧାର ସହ ଜଳ ସଂରକ୍ଷଣ ଉପରେ ଗୁରୁତ୍ୱ ଦିଆଯାଇଛି । କ୍ୟାବିନେଟ ପ୍ରକଳ୍ପ ପାଇଁ ପ୍ରାୟ ୧୫,୭୦୦ କୋଟି ଟଙ୍କାର ଆନୁମାନିକ ବ୍ୟୟ, ୨୦୨୯-୩୦ ପର୍ଯ୍ୟନ୍ତ କାର୍ଯ୍ୟାନ୍ୱୟନ, ପ୍ରାୟ ୧୫,୭୦୦ ହେକ୍ଟର ଜଳସେଚନ କ୍ଷମତା ଏବଂ ୪୮.୫ MCM ଜଳ ସଂରକ୍ଷଣ କ୍ଷମତା ଦର୍ଶାଯାଇଛି ।
ଅନ୍ୟପଟେ ଅସହାୟ ଶିଶୁଙ୍କ ପାଇଁ ‘ଯଶୋଦା’ ଓ ‘ଆଶୀର୍ବାଦ’ ଯୋଜନା ଜାରି ରହିବ । ଏହି ୨ ଯୋଜନା ପାଇଁ କ୍ୟାବିନେଟରେ ୨୯୬.୯୯ କୋଟି ଅନୁମୋଦିତ ହୋଇଛି । ଆଗାମ ୫ ବର୍ଷ ପାଇଁ ଏହି ୨ ଯୋଜନା ଜାରି ରଖିବା ପ୍ରସ୍ତାବକୁ ଅନୁମୋଦନ କରାଯାଇଛି ।
ପ୍ରାକ୍-ବିଦ୍ୟାଳୟ ଶିଶୁଙ୍କ ପାଇଁ ‘ମାଳତୀ ଦେବୀ ପ୍ରାକ୍ ବିଦ୍ୟାଳୟ ପରିଧାନ ଯୋଜନା’କୁ ଆଉ ୫ ବର୍ଷ ଜାରି ରଖିବାକୁ ନିଷ୍ପତ୍ତି ହୋଇଛି। ୩ ରୁ ୬ ବର୍ଷ ବୟସର ୧୪.୭୬ ଲକ୍ଷ ଶିଶୁଙ୍କୁ ୟୁନିଫର୍ମ, ଜୋତା, ମୋଜା ଏବଂ ବ୍ୟାଗ୍ ଯୋଗାଇବା ପାଇଁ ୫୮୬.୫୦ କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି।


Comments are closed.