Latest Odisha News

BREAKING NEWS

ଆଜି ସଂକ୍ରାନ୍ତି ରଜ, ସାରା ଓଡ଼ିଶା ଉତ୍ସବମୁଖର…

ଭୁବନେଶ୍ୱର: ଆଜି ସମଗ୍ର ଓଡ଼ିଶାରେ ରଜ ଉତ୍ସବର ଦ୍ୱିତୀୟ ଦିବସ ଅର୍ଥାତ୍ ଆଜି ହେଉଛି ରଜ ସଂକ୍ରାନ୍ତି । ପ୍ରଥମରଜରେ ଝିଅମାନେ ସଜବାଜ ହେବା ପରେ ସଂକ୍ରାନ୍ତିରେ ସଜବାଜ ସହିତ ଘରକୁ ଘର ବୁଲି ଝିଅମାନେ ପିଠା ଖାଇଥାଆନ୍ତି । ଉତ୍କଳୀୟ ପରମ୍ପରାର ଏହି ମହାନ ଗଣପର୍ବରେ ଓଡ଼ିଆ ମାନେ ଆଜି ବେଶ୍ ଧୁମଧାମରେ ପାଳନ କରୁଛନ୍ତି । ପ୍ରତି ବର୍ଷ ଜୁନ୍ ମାସ ମଧ୍ୟଭାଗରେ ୩ ଦିନ ଧରି ବେଶ ଧୁମ୍ ଧାମ୍ ରେ ଏହା ପାଳନ କରାଯାଇଥାଏ । ଆଜିର ଏହି ରଜ ସଂକ୍ରାନ୍ତିରେ ଓଡ଼ିଶାର ପୁରପଲ୍ଲୀ ହୋଇ ଉଠିଛି ଉତ୍ସବମୁଖର । ବନ୍ଧୁ ବାନ୍ଧବଙ୍କ ସାଙ୍ଗକୁ ଥଟ୍ଟା ମଜାରେ ଘର ପୁରି ଉଠୁଛି । ପିଠା ପଣା ସାଙ୍ଗକୁ ଭଳିକି ଭଳି ମିଠା । ଘରଣୀମାନେ ମଧ୍ୟ କାମରୁ ଛୁଟି ନେଇ ନାନାଦି ଖେଳରେ ମାତିଛନ୍ତି ରଜରେ । ରଜ ପର୍ବର ବିଶେଷ ଆକର୍ଷଣ ହେଉଛି ଦୋଳି ।

ଲୋକପ୍ରିୟ ରଜ ଗୀତ:

ବନସ୍ତେ ଡାକିଲା ଗଜ
ବରଷକେ ଥରେ ଆସିଛି ରଜ,
ଆସିଛି ରଜ ଲୋ
ଘେନି ନୂଆ ସଜବାଜ ।

ରାଶିରୁ ଛାଡ଼ିଲା ଚୋପା
ଗୋଡ଼ରେ ନାଇଛୁ ସରୁ ଅଳତା,
ନାଇଛୁ ସରୁ ଅଳତା ଲୋ
ମଥାରେ ସିନ୍ଦୂର ଟୋପା ।

ଉଡ଼ିଲା ଶୁଆ ନାହାକା
ଦୋଳିଟା କାହିଁକି ଲାଗୁଛି ଏକା,
ଲାଗୁଛି ଏକା ଲୋ
କାହା ବିନା ଏକା ଏକା ।

ପାଚିଲା ଭଇଁଚ କୋଳି
ବେକରେ ନାଇଚି ଗଜରା ମାଳି,
ଗଜରା ମାଳି ଲୋ
ଝୁଲାଅ ରଜର ଦୋଳି ।

ପଣସ ପାଚିଲା ବନେ
ବନ ପୋଡ଼ିଗଲେ ଦୁନିଆ ଜାଣେ,
ଦୁନିଆ ଜାଣେ ଲୋ
ମନକଥା କିଏ ଜାଣେ ।

ବିଶ୍ୱାସ ରହିଛି ବସୁମତୀ ମାତା ଏହି ସମୟରେ ରଜବତୀ ହୋଇଥାନ୍ତି । ପୃଥିବୀକୁ ମାତା ଭାବରେ ବିବେଚନା କରି ବର୍ଷାର ଆଗମନରେ ସେ ରଜସ୍ୱାଳା ହେବାର ଓ ନୂଆ ଶସ୍ୟ ଜନ୍ମ ହେବାର ସାଙ୍କେତିକ ଭାବ ବହନ କରେ । ତେଣୁ ଏହି ତିନିଦିନ ଚାଷୀମାନେ ଚାଷ କାର୍ଯ୍ୟରୁ ବିରତି ନେଇଥାନ୍ତି । ଧରିତ୍ରୀ ମାତାକୁ ସମ୍ନାନ ଦେଇ କେହି ତା ଉପରେ ଖାଲି ପାଦରେ ଚାଲି ନଥାନ୍ତି । ତେଣୁ କଦଳୀ ପତ୍ର ଖୋଳପାରେ ତିଆରି କଠଉରେ ଚାଲିବା ସହ ଅଧିକାଂଶ ସମୟ ଦୋଳିରେ ଝୁଲିବାର ବିଧି ରହିଛି । ତେଣୁ ଗାଁ ଠୁ ସହର ସବୁଠି ଲଗାଯାଇଥାଏ ଭଳିକି ଭେଳି ଦୋଳି । ଯାହାକୁ ରଜ ଦୋଳି ବୋଲି କୁହାଯାଏ । ଗାଁ ଗାଁରେ ପଟ୍ଟା ଦୋଳି, ଚକିରି ଦୋଳି ଓ ଦାଣ୍ଡି ଦୋଳି ଆଦି ଅନେକ ରକମର ଦୋଳି ଲଗାଯାଇଥାଏ ।

ତରୁଣୀ ମାନେ ଦୋଳି ଖେଳିବାକୁ ସତେ ଯେପରି ରଜ ପର୍ବକୁ ଅପେକ୍ଷା କରି ରହିଥାଆନ୍ତି । ସକାଳୁ ସକାଳୁ ନୂଆ ପୋଷାକ ପିନ୍ଧି, କୁଙ୍କୁମ ଆଳତାରେ ନିଜକୁ ସଜେଇ ଘର ଘର ବୁଲି ପୋଡପିଠା ଓ ରଜପାନ ଖାଇ ମନ ଆନନ୍ଦରେ ଦୋଳି ଖେଳିଥାନ୍ତି ।

ଆଉ ତାସାଙ୍ଗକୁ ରଜ ଗୀତ ।
ଆଜିତ ପହିଲି ରଜ,
ସଜ କରିିଦିଅ ନୂଆ ଭାଉଜ,
ନୂଆ ଭାଉଜଲୋ କରିବା ରଜ ମଉଜ..

ସ୍ନେହ, ସମ୍ନାନ, ସାମାଜିକ ବ୍ୟବହାର ଓ ସାମାଜିକ ବ୍ୟବସ୍ଥାର ସମସ୍ତ ଭାବନା ସତେ ଯେପରି
ଏହି ଗୀତ ସବୁରେ ଭରି ରହିଥାଏ । ରଜ ଦୋଳିରେ ଝୁଲି ଝୁଲି ତରୁଣୀ ମାନେ ନିଜ ସୁନ୍ଦରତା ଓ ଅନୁଗ୍ରହ ସହ ପାରମ୍ପରିକ ରଜ ଗୀତର ସୁମଧୁର ଲହରୀରେ ଉଲ୍ଲସିତ କରି ଦିଅନ୍ତି ଚର୍ତୁଦିଗ ।

Leave A Reply

Your email address will not be published.