Latest Odisha News

BREAKING NEWS

ଉତ୍କଳ ବିଶ୍ୱବିଦ୍ୟାଳୟ ଲାଗି ୧୦୦ କୋଟି ଟଙ୍କାର ପାଣ୍ଠି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଜାତୀୟସ୍ତରରେ ଉତ୍କର୍ଷତା ପ୍ରତିପାଦନ କରିପାରିଥିବା ଓଡ଼ିଶାର ଉତ୍କଳ ବିଶ୍ୱବିଦ୍ୟାଳୟ ଲାଗି ୧୦୦ କୋଟି ଟଙ୍କାର ସହାୟତା ପାଣ୍ଠି ରାଜ୍ୟ ସରକାର ମଞ୍ଜୁର କରିଛନ୍ତି ବୋଲି ଶନିବାର ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି । ଶିକ୍ଷାର ଅଭିବୃଦ୍ଧି ନିମନ୍ତେ ଉତ୍କଳ ବିଶ୍ୱବିଦ୍ୟାଳୟର ଆହୁରି ୬ଟି କେନ୍ଦ୍ର ଉଦଘାଟିତ ହେବ ବୋଲି ଆଜି ମଧ୍ୟ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ।

ଉତ୍କଳ ବିଶ୍ୱବିଦ୍ୟାଳୟର ପ୍ଲାଟିନମ୍ ଜୁବୁଲି ଉତ୍ସବ ପାଳନ ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଚଳିତ ଶିକ୍ଷାବର୍ଷ ଲାଗି ୪୦ କୋଟି ଟଙ୍କା ମଞ୍ଜୁର କରାଯାଇଛି । ବିଶ୍ୱବିଦ୍ୟାଳୟର ଭିତ୍ତିଭୂମିର ବିକାଶ ଲାଗି ମଧ୍ୟ ଅନୁଦାନ ମଞ୍ଜୁର କରାଯାଇଛି ବୋଲି ମୁଖ୍ୟମନ୍ତ୍ରୀ ଏହି ଅବସରରେ ସୂଚନା ପ୍ରଦାନ କରିଛନ୍ତି ।

“ଆମ ଶିକ୍ଷା ପଦ୍ଧତିରେ ଗୁଣାତ୍ମକ ମାନ ଅଭିବୃଦ୍ଧି ଲାଗି ସମସ୍ତ କ୍ଷେତ୍ରରେ ସହଯୋଗ ଯୋଗାଇଦେବାକୁ ରାଜ୍ୟ ସରକାର ସବୁବେଳେ ପ୍ରାଥମିକତା ଦେଇଛନ୍ତି,” ବୋଲି ସେ କହିଛନ୍ତି ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଶିକ୍ଷାଦାନ ଓ ଶିକ୍ଷାଗ୍ରହଣ ଏକ ନିରନ୍ତର ପ୍ରକ୍ରିୟା ଏବଂ ଏହି ପ୍ରକ୍ରିୟାରେ ଉତ୍କଳ ବିଶ୍ୱବିଦ୍ୟାଳୟ ନିଜକୁ ସାମିଲ୍ କରି ଶିକ୍ଷାର ଉତ୍କର୍ଷତା ପ୍ରତିପାଦନ କରିପାରିଛି । ଏହି ବିଶ୍ୱବିଦ୍ୟାଳୟ ଉତ୍କୃଷ୍ଟମାନର ଶିକ୍ଷାଦାନ ନିରନ୍ତର ପ୍ରଦାନ କରି ରାଜ୍ୟ ତଥା ଜାତୀୟସ୍ତରରେ ଯୁବବର୍ଗଙ୍କ ଶୈକ୍ଷିକ ଚାହିଦାକୁ ପୂରଣ କରିପାରୁଛି ।

ଏହି ଅବସରରେ ଓଡ଼ିଶାର ବରପୁତ୍ରମାନଙ୍କୁ ପ୍ରଶଂସା କରି ସ୍ମୃତିଚାରଣ କରିଥିଲେ । ଓଡ଼ିଶାର ଶିକ୍ଷାବ୍ୟବସ୍ଥାର ଅଭିବୃଦ୍ଧି ଲାଗି ମହାରାଜା କୃଷ୍ଣଚନ୍ଦ୍ର ଗଜପତି, ପଣ୍ଡିତ ନୀଳକଣ୍ଠ ଦାସ ଏବଂ ପଣ୍ଡିତ ଗୋଦାବରୀଶ ମିଶ୍ରଙ୍କ ଅବଦାନ ଅତୁଳନୀୟ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

ମୁଖ୍ୟମନ୍ତ୍ରୀ ଆଜି ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ‘ସେଣ୍ଟ୍ରାଲ୍ ଇନଷ୍ଟ୍ରୁମେଣ୍ଟାଲ୍ ସେଣ୍ଟର’ ଓ ‘ଡ଼ିଜିଟାଲ୍ ଲାଇବ୍ରେରୀ ବିଲ୍ଡିଂ’ ଉଦଘାଟନ କରିଥିଲେ । ଏହି ଅବସରରେ ନିର୍ମିତ ହେବାକୁ ଥିବା ବିଶ୍ୱବିଦ୍ୟାଳୟର ପାଚେରୀର ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ ।

Leave A Reply

Your email address will not be published.