Latest Odisha News

BREAKING NEWS

ମହିଳା ସଶକ୍ତିକରଣରେ ଓଡିଶା ଆଗୁଆ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଭୁବନେଶ୍ୱର ଲୋକସେବା ଭବନର ସମ୍ମିଳନୀ କକ୍ଷରେ ଅନ୍ତର୍ଜାତୀୟ ମହିଳା ଦିବସ ପାଳିତ ହୋଇଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଥିରେ ସାମିଲ ହୋଇ ମହିଳା ଦିବସର ଶୁଭେଚ୍ଛା ଜଣାଇଛନ୍ତି । ମହିଳା ସଶକ୍ତିକରଣ କ୍ଷେତ୍ରରେ ଓଡିଶା ରାଜ୍ୟ ଆଗୁଆ ବୋଲି ଖୁସି ପ୍ରକାଶ କରିଛନ୍ତି ।

ମହିଳା ଦିବସ ଅବସରରେ ମହିଳାଙ୍କ ବିକାଶ ପାଇଁ ମିଶନ ଶକ୍ତି ବିଭାଗ ସୃଷ୍ଟି କରିବାକୁ ଘୋଷଣା କରିଛନ୍ତି ଏବଂ କହିଛନ୍ତି, “ଓଡିଶା ପ୍ରଥମ ରାଜ୍ୟ ହେବ ଯିଏ ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ପାଇଁ ଏକ ବିଶେଷ ବିଭାଗ ଆରମ୍ଭ କରିବ ଓ ଓଡିଶାର ସମସ୍ତ ମହିଳାଙ୍କୁ ସମର୍ପିତ କରାଯିବ ।”

୭୦ ଲକ୍ଷ ମହିଳାଙ୍କୁ ନେଇ ମିଶନ ଶକ୍ତି, ମମତା କାର୍ଯ୍ୟକ୍ରମ ଓ ପଂଚାୟତିରାଜରେ ୫୦ ପ୍ରତିଶତ ସଂରକ୍ଷଣ ଆଜି ମହିଳାଙ୍କ ସାମାଜିକ ଓ ଅର୍ଥନୈତିକ ବିକାଶ କ୍ଷେତ୍ରରେ ନୂଆ ଯୁଗ ଆରମ୍ଭ କରିଛି । ଖେଳ ଠାରୁ ଆରମ୍ଭ କରି ବ୍ୟବସାୟ ପର୍ଯ୍ୟନ୍ତ ସମସ୍ତ କ୍ଷେତ୍ରରେ ମହିଳାଙ୍କ ସଫଳତା ଉତ୍ସାହଜନକ । ଦୂତୀ ଚାନ୍ଦ, ପ୍ରତିଭା ରାୟ ଓ ନନ୍ଦିତା ଦାସଙ୍କ ଭଳି ମହିଳାମାନେ ଦେଶ ଓ ବିଦେଶରେ ଓଡିଶା ପାଇଁ ଗୌରବ ଆଣିଛନ୍ତି । ଏମାନେ ମହିଳା ସଶକ୍ତିକରଣ କ୍ଷେତ୍ରରେ ସାରା ଦେଶର ମହିଳାଙ୍କ ପାଇଁ ଆଦର୍ଶ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ମୁଖ୍ୟମନ୍ତ୍ରୀ ନ୍ୟୁଟ୍ରିସନ ବଜେଟ୍ ଉପରେ ମଧ୍ୟ କହିଛନ୍ତି, ଯାହାକି ମହିଳା ଓ ଶିଶୁମାନଙ୍କ ପୋଷଣ ଉପରେ ଫୋକସ କରିବ । ମୋ ସରକାର ମହିଳାଙ୍କ ଅଧିକାର ଓ କଲ୍ୟାଣ ପାଇଁ ସଂକଳ୍ପବଦ୍ଧ ଅଛି ଓ ଆସନ୍ତା ଦିନରେ ମଧ୍ୟ ଏହା ଜାରି ରଖିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୟୂରଭଞ୍ଜ, ଢ଼େଙ୍କାନାଳ ଓ ଗଜପତି ଜିଲ୍ଲାର ଏକୀକୃତ ବାଳ ବିକାଶ ସେବା (ଆଇସିଡିଏସ), ଶ୍ରେଷ୍ଠ ସ୍ୱୟଂ ସହାୟକ ଗୋଷ୍ଠୀ, ଶ୍ରେଷ୍ଠ ଅଙ୍ଗନବାଡି କର୍ମୀ, ଓଡିଶାର ଷ୍ଟେଟ ବ୍ୟାଙ୍କ, କୋଅପରେଟିଭ ବ୍ୟାଙ୍କ ଓ ଗ୍ରାମ୍ୟ ବ୍ୟାଙ୍କକୁ ସମ୍ମାନିତ କରିଛନ୍ତି ।

Leave A Reply

Your email address will not be published.