Latest Odisha News

ଭାରତର ଆଶା ଧୂଳିସାତ୍‌ : ଅଷ୍ଟ୍ରେଲିଆ ୫ମଥର ପାଇଁ ଚାମ୍ପିୟନ

ମେଲବର୍ଣ୍ଣ: ମହିଳା ଟି୨୦ ବିଶ୍ୱକପ କ୍ରିକେଟରେ ଉଭୟ ବ୍ୟାଟିଂ ଓ ବୋଲିଂରେ ନୈରାଶ୍ୟଜନକ ପ୍ରଦର୍ଶନ କରି ଭାରତ ୮୫ ରନରେ ଅଷ୍ଟ୍ରେଲିଆ ନିକଟରୁ ପରାଜିତ ହୋଇଛି । ଏଥିସହ ଟିମ ଇଣ୍ଡିଆର ଚାମ୍ପିୟନ ହେବା ଆଶା ଧୂଳିସାତ୍ ହୋଇଥିବାବେଳେ ଅଷ୍ଟ୍ରେଲିଆ ୫ମ ଟାଇଟଲ ଜିତିଛି ।   ଆଜି ଅନ୍ତର୍ଜାତୀୟ ମହିଳା ଦିବସ ହୋଇଥିବା ବେଳେ ଟିମ୍ ଇଣ୍ଡିଆର ଅଧିନାୟକ ହରମନପ୍ରୀତଙ୍କ ୩୧ତମ ଜନ୍ମ ଦିନ ଥିଲା। ଏଥିପାଇଁ ଭାରତୀୟ କ୍ରିକେଟ ଫ୍ୟାନମାନେ ଟିମ୍ ଠାରୁ ବହୁତ କିଛି ଆଶା କରିଥିଲେ। ହେଲେ ଦଳ ମହିଳା ଦିବସରେ ମହିଳା ଟିମ୍ ସମସ୍ତଙ୍କୁ ନିରାଶ କରିଛନ୍ତି ।

ଅଷ୍ଟ୍ରେଲିଆ ଦେଇଥିବା ବିଶାଳ ୧୮୫ ରନ୍ ଟାର୍ଗେଟର ପିଛା କରୁଥିବା ଭାରତ ୧୯.୧ ଓଭରରେ ୯୯ ରନ୍ କରି ଅଲଆଉଟ ହୋଇଯାଇଛି । ଅନ୍ୟପକ୍ଷରେ ମହିଳା ଟି-୨୦ ବିଶ୍ୱକପର ୭ଟି ସଂସ୍କରଣରୁ ମଧ୍ୟରୁ ୬ଥର ଫାଇନାଲ ଖେଳୁଥିବା ଅଷ୍ଟ୍ରେଲିଆ ୫ମଥର ପାଇଁ ଚାମ୍ପିୟନ ହେବାର ରେକର୍ଡ କରିଛି। ଅଷ୍ଟ୍ରେଲିଆର ଦୁଇ ଓପନର ବେଥ ମୁନୀ ଓ ଅଲିସା ହିଲୀ ଭାରତୀୟ ବୋଲରଙ୍କ ଉପରେ ଚାପ ସୃଷ୍ଟି କରିଥିଲେ। ମୁନୀ ଶେଷ ଯାଏ ଅପରାଜିତ ରହି ୭୮ ରନ୍ କରିଥିବା ବେଳେ ହିଲୀ ୭୫ ରନ୍ କରିଥିଲେ। ଫଳରେ ଅଷ୍ଟ୍ରେଲିଆ ୪ ୱିକେଟ ହରାଇ ୧୮୪ ରନ୍ କରିଥିଲା । ଏହାର ଜବାବରରେ ଭାରତ ଆରମ୍ଭରୁ ବ୍ୟାଟିଂ ବିପର‌୍ୟ୍ୟୟର ସମ୍ମୁଖୀନ ହୋଇଥିଲା। ଶେଫାଳି ବର୍ମା ୨,  ସ୍ମୃତି ମନ୍ଧାନା ୧୧ ରନ୍ କରି ପ୍ୟାଭିଲିୟନ ଫେରିଥିଲେ। ଅଧିନାୟକ ହରମନପ୍ରୀତ କୌର ୪ ରନ୍ କରି ଜୋନାସେନଙ୍କ ଦ୍ୱିତୀୟ ଶିକାର ହୋଇଥିଲେ। ଭେଦା କ୍ରିଷ୍ଣମୂର୍ତ୍ତି ଓ ଦୀପ୍ତି ଶର୍ମା ଦଳୀୟ ସ୍କୋରକୁ ୫୮ରେ ପହଞ୍ଚାଥିଲେ। ଭେଦା ୧୯ ରନ୍ କରି ଆଉଟ ହୋଇଯାଇଥିଲେ। ତାନିୟ ଭାଟ୍ଟିଆ ଆହତ ହେବାରୁ ତାଙ୍କ ସ୍ଥାନରେ ନୂଆ ନିୟମ ଅନୁଯାୟୀ ରିଚା ଘୋଷ ବ୍ୟାଟିଂ କରିବାକୁ ଆସିଥିଲେ। ହେଲେ ସେ ବି ନିରାଶ କରି ୧୮ ରନ୍ କରିଥିଲେ। ଦୀପ୍ତି ଶର୍ମା ୩୩ ରନ୍ କରିଥିବା ବେଳେ ନିକୋଲା କ୍ୟାରୀଙ୍କ ବଲରେ ପ୍ୟାଭିଲିୟନ ଫେରିଥିଲେ। ଏଥିସହ ଭାରତର ବିଶ୍ୱକପ ଜିତିବା ସ୍ୱପ୍ନ ବି ଚୂରମାର ହୋଇଯାଇଥିଲା। ପୂରା ଟିମ୍ ୯୯ ରନ୍‌ରେ ଅଲଆଉଟ ହୋଇଯାଇଥିଲା। ଅଷ୍ଟ୍ରେଲିଆ ପକ୍ଷରୁ ମେଗନା ସ୍କୁଟ ସର୍ବାଧିକ ୪ଟି ୱିକେଟ ନେଇଥିବା ବେଳେ ଜୋନାସେନ ୩ଟି ୱିକେଟ ନେଇଛନ୍ତି।

Leave A Reply

Your email address will not be published.