Latest Odisha News

BREAKING NEWS

‘ପରିଶ୍ରମ’ ପୋର୍ଟାଲ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ, ଜାଣନ୍ତୁ କି ସୁବିଧା ମିଳିବ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ରାଜ୍ୟ ଶ୍ରମ ଓ କର୍ମଚାରୀ ବୀମା ବିଭାଗର ‘ପରିଶ୍ରମ ପୋର୍ଟାଲ’ ଲୋକାର୍ପଣ କରିବା ସହ ୨୨ଟି ଅନଲାଇନ ସେବାର ଶୁଭାରମ୍ଭ କରିଛନ୍ତି।

ଏହି ଅବସରରେ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ ୫-ଟି କାର୍ଯ୍ୟକ୍ରମର ମୁଖ୍ୟ ଆଧାର ହେଉଛି ବୈଷୟିକ କୌଶଳ। ଏହା ହିଁ ପରିବର୍ତ୍ତନର ମାର୍ଗକୁ ଅଧିକ ସୁଗମ କରିଥାଏ।

ରାଜ୍ୟ ଶ୍ରମ ଓ ଇଏସ୍‌ଆଇ ବିଭାଗ ଦ୍ବାରା ଆରମ୍ଭ କରାଯାଇଥିବା ପରିଶ୍ରମ ପୋର୍ଟାଲ ଓ ୨୨ ପ୍ରକାର ସେବା ସ୍ବଚ୍ଛନ୍ଦ ବ୍ୟବସାୟ ପାଇଁ ବିଶେଷ ସହାୟକ ହେବ। ଏଥିସହିତ ରାଜ୍ୟରେ ସାମଗ୍ରିକ ଶିଳ୍ପ ଅଭିବୃଦ୍ଧିରେ ଗୁରୁତ୍ବପୂର୍ଣ୍ଣ ଯୋଗଦାନ ରଖିବ ବୋଲି ସେ କହିଛନ୍ତି।

ଏହି ପୋର୍ଟାଲରେ ଜନସାଧାରଣଙ୍କ ନିମନ୍ତେ ବିଭିନ୍ନ ଶ୍ରମ ଆଇନ ସଂପର୍କରେ ସୂଚନା ଉପଲବ୍‌ଧ ହେବ ବୋଲି ସେ ପ୍ରକାଶ କରିଛନ୍ତି।

ଆଗାମୀ ଦିନରେ ଏହି ପୋର୍ଟାଲରେ ୫୨ ପ୍ରକାର ସେବା ଉପଲବ୍‌ଧ ହେବ। ଶ୍ରମ ଓ କର୍ମଚାରୀ ବୀମା ବିଭାଗର ଅଧିକାରୀ ଓ କର୍ମଚାରୀମାନେ ସେବା ମନୋବୃତ୍ତି ସହିତ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ସେବା ଗୁଡିକୁ ଯୋଗାଇ ଦେବାପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି।

ଏହି ଅବସରରେ ବିଭାଗୀୟ ମନ୍ତ୍ରୀ ସୁଶାନ୍ତ ସିଂ କହିଛନ୍ତି ଯେ ଆଜିର ଏହି ନୂତନ ପୋର୍ଟାଲର ଉନ୍ମୋଚନ ଓ ଅନ୍‌ଲାଇନ ସେବା ମୁଖ୍ୟମନ୍ତ୍ରୀଙ୍କ ପରିକଳ୍ପିତ ଶିଳ୍ପସମୃଦ୍ଧ ଓଡିଶା ଗଠନରେ ସହାୟକ ହେବ।

ସୂଚନାଯୋଗ୍ୟ ଯେ ବ୍ୟବସାୟିକ ପଦ୍ଧତିର ସରଳୀକରଣକୁ ପ୍ରୋତ୍ସାହିତ କରିବାପାଇଁ ୫-ଟି କାର୍ଯ୍ୟକ୍ରମରେ ଏହି ନୂଚନ ପୋର୍ଟାଲକୁ ପ୍ରସ୍ତୁତ କରାଯାଇଛି।

ଆଜିର ଏହି ୨୨ଟି ଅନ୍‌ଲାଇନ ସେବା ରାଜ୍ୟର ଉଦ୍ୟୋଗୀ ମାନଙ୍କୁ ଅନ୍‌ଲାଇନ ଜରିଆରେ ପଞ୍ଜୀକରଣ ପ୍ରମାଣପତ୍ର, ଲାଇସେନ୍‌ସ, କାରଖାନାର ନୂତନ ନକ୍‌ସାର ଅନୁମୋଦନ, ଲାଇସେନ୍‌ସର ବଦଳିକରଣ, ବାଷ୍ପିତ୍ର ନିରୀକ୍ଷଣ ଓ ସାମୟିକ ନବୀକରଣ ଆଦି ଅନେକ ସୁବିଧା ମିଳିପାରିବ। ଏଥିସହିତ ପୋର୍ଟାଲରୁ ବିଭାଗ ଅଧିନସ୍ଥ ଶ୍ରମ ଆଇନ ସହିତ ଫର୍ମ, ବିଭିନ୍ନ ସେବା ନିମନ୍ତେ ଆବେଦନ ପ୍ରକ୍ରିୟା ଓ ପୈଠର ପରିମାଣ ସଂପର୍କରେ ସୂଚନା ମିଳିପାରିବ।

କାର‌୍ୟ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଉନ୍ନୟନ କମିଶନର ସୁରେଶ ଚନ୍ଦ୍ର ମହାପାତ୍ର, ଅଣୁ, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ବିଭାଗର ପ୍ରମୁଖ ସଚିବ ସତ୍ୟବ୍ରତ ସାହୁ, ଶିଳ୍ପ ବିଭାଗର ପ୍ରମୁଖ ସଚିବ ହେମନ୍ତ ଶର୍ମା, ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଭି.କେ. ପାଣ୍ଡିଆନ ପ୍ରମୁଖ ଯୋଗ ଦେଇଥିଲେ।

Leave A Reply

Your email address will not be published.