Latest Odisha News

BREAKING NEWS

ବାତ୍ୟା ବିପନ୍ନଙ୍କ ପ୍ରତି ସାହାଯ୍ୟର ହାତ ବଢାଇଲେ ଓଡ଼ିଶା ପୋଲିସ

ପୁରୀ: ପୁରୀଠାରେ ବାତ୍ୟା ବିପନ୍ନଙ୍କ ଲାଗି ଓଡ଼ିଶା ପୋଲିସ ବିଭାଗ ପକ୍ଷରୁ ‘କରୁଣା’ ନାମକ ଅଭିନବ ଯୋଜନା ହାତକୁ ନିଆଯାଇଛି । ଏହି କରୁଣା କାର୍ଯ୍ୟକ୍ରମ ମାଧ୍ୟମରେ ବାତ୍ୟା ପ୍ରପୀଡ଼ିତ ଜନସାଧାରଣଙ୍କୁ ମାଗଣାରେ ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଉଛି ।

ପୁରୀ ସହର ତଥା ଏହାର ଆଖପାଖରେ ରହିଥିବା ବାତ୍ୟା ଆଶ୍ରୟସ୍ଥଳୀମାନଙ୍କରେ ଏହି ରନ୍ଧାଖାଦ୍ୟ ପୋଲିସ ବିଭାଗ ପକ୍ଷରୁ ମାଗଣାରେ ବଣ୍ଟନ କରାଯାଉଛି । କିଛି ବାତ୍ୟା ଆଶ୍ରୟସ୍ଥଳୀରେ ଖୋଦ୍ ଓଡ଼ିଶା ପୋଲିସର ମହା ନିର୍ଦ୍ଦେଶକ (ଡ଼ିଜିପି) ଡ଼ଃ ରାଜେନ୍ଦ୍ର ପ୍ରସାଦ ଶର୍ମାଙ୍କୁ ଭୋଜନ ବଣ୍ଟନ କରୁଥିବାର ଦେଖିବାକୁ ମିଳିଛି । କେବଳ ଡ଼ିଜିପି ନୁହେଁ ଓଡ଼ିଶା ପୋଲିସ ବିଭାଗର ବହୁ ବରିଷ୍ଠ ଅଧିକାରୀମାନେ ମଧ୍ୟ ଏହି କରୁଣା କାର୍ଯ୍ୟକ୍ରମରେ ନିଜକୁ ସାମିଲ କରିଛନ୍ତି । ଓଡ଼ିଶା ପୋଲିସର ଏହିପରି ମାନବିକତାକୁ ସବୁ ମହଲରେ ପ୍ରଶଂସା କରାଯାଇଛି । ଓଡ଼ିଶା ପୋଲିସର ଏତାଦୃଶ ମହାନ କାର୍ଯ୍ୟକ୍ରମକୁ ସୋସିଆଲ୍ ମିଡ଼ିଆରେ ବେଶ୍ ପ୍ରଶଂସା କରିଛନ୍ତି ଜନସାଧାରଣ ।

“ଏହି କାର୍ଯ୍ୟକ୍ରମ ଆଗାମୀ ୭ଦିନ ପର୍ଯ୍ୟନ୍ତ ଚାଲୁ ରହିବା ସହିତ ଅନ୍ୟ ବାତ୍ୟା ପ୍ରପୀଡ଼ିତ ଅଞ୍ଚଳମାନଙ୍କରେ ଏହା କାର୍ଯ୍ୟକାରୀ ହେବ । ପୁରୀ ଜିଲ୍ଲାର ସତ୍ୟବାଦୀ ଏବଂ ବ୍ରହ୍ମଗିରିଠାରେ ମଧ୍ୟ ଏହି କାର୍ଯ୍ୟକ୍ରମରେ ଓଡ଼ିଶା ପୋଲିସ ନିଜକୁ ସାମିଲ କରିବ,” ବୋଲି ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଡ଼ିଜିପି ଡ଼ଃ ରାଜେନ୍ଦ୍ର ପ୍ରସାଦ ଶର୍ମା ।

ଓଡ଼ିଶା ଉପକୂଳରେ ବାତ୍ୟା ହେବାର ପୂର୍ବ ଦିନରୁ ଆଜି ପର୍ଯ୍ୟନ୍ତ ଓଡ଼ିଶା ପୋଲିସ ପକ୍ଷରୁ ବାତ୍ୟାଞ୍ଚଳରେ ଅନବରତ ସାହାଯ୍ୟ ଓ ସହଯୋଗ ଚାଲିଛି ।

ପୁରୀଠାରେ ବାତ୍ୟା ଫନି ସ୍ଥଳଭାଗ ଛୁଇଁବା ପୂର୍ବରୁ ଏବଂ ପରେ ରାଜ୍ୟର ବିଭିନ୍ନ ସମ୍ଭାବ୍ୟ ବାତ୍ୟା ପ୍ରଭାବିତ ଅଞ୍ଚଳ ମାନଙ୍କରେ ପୋଲିସ ବିଭାଗ ଦିନରାତି ଜନସାଧାରଣଙ୍କୁ ନିରାପଦ ସ୍ଥାନ ତଥା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତରୀତ କରିଥିଲେ । ବାତ୍ୟା ପ୍ରଭାବିତ କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ ଅନ୍ତର୍ଗତ ତାଳଚୁଆ ଥାନାର ଜଣେ ମହିଳା ପୋଲିସ ଅଧିକାରୀ ନିଜ ବାଇକ୍ ଦ୍ୱାରା ଅନ୍ୟ ଦୁଇଜଣ ମହିଳାଙ୍କୁ ବାତ୍ୟା ଆଶ୍ରୟସ୍ଥଳୀକୁ ବୋହି ନେଉଥିବାର ଦୃଶ୍ୟ ସୋସିଆଲ୍ ମିଡ଼ିଆରେ ଭାଇରାଲ୍ ହୋଇଯାଇଥିଲା ।

ଏସବୁ ବ୍ୟତୀତ ପୋଲିସ କର୍ମଚାରୀମାନେ ବାତ୍ୟା ବିପନ୍ନଙ୍କୁ ବିଭିନ୍ନ ଆଶ୍ରୟସ୍ଥଳୀରେ ଖାଦ୍ୟସାମଗ୍ରୀ ଦେଉଥିବାର ଫଟୋ ତଥା ବଡ଼ ବଡ଼ ଗଛ ଅବରୋଧ କରିଥିବା ରାସ୍ତା ସଫା କରୁଥିବାର ଦୃଶ୍ୟକୁ ଜନସାଧାରଣ ଭୂୟସୀ ପ୍ରଶଂସା କରିଛନ୍ତି ।

ଏଠାରେ ଉଲ୍ଲେଖ୍ୟ, ସରକାରୀ ସୂତ୍ରାନୁଯାୟୀ ଏହି ପ୍ରଳୟଙ୍କରୀ ବାତ୍ୟା ଦ୍ୱାରା ୧.୪ କୋଟିରୁ ଅଧିକ ଟଙ୍କାର ସମ୍ପତ୍ତି ୧୪ଟି ଜିଲ୍ଲାର ୧୬,୦୦୦ ଗ୍ରାମ ଏବଂ ୫୧ଟି ସହରାଞ୍ଚଳରେ କ୍ଷତିଗ୍ରସ୍ତ ହୋଇଛି । ଯେଉଁ ୧୪ଟି ଜିଲ୍ଲା ଏହି ବାତ୍ୟା ପ୍ରଭାବରେ କ୍ଷତିଗ୍ରସ୍ତ ହୋଇଛି ସେହି ଜିଲ୍ଲା ଗୁଡ଼ିକ ହେଲା – ପୁରୀ, ଖୋର୍ଦ୍ଧା, କଟକ, ଜଗତସିଂହପୁର, ଅନୁଗୁଳ, ଯାଜପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱର, ମୟୂରଭଞ୍ଜ, ଗଞ୍ଜାମ, ନୟାଗଡ଼, ଢେଙ୍କାନାଳ ଏବଂ କେନ୍ଦୁଝର ଜିଲ୍ଲା ।

Leave A Reply

Your email address will not be published.