Latest Odisha News

BREAKING NEWS

ରଥଯାତ୍ରା ପ୍ରସ୍ତୁତି ପାଇଁ ବରିଷ୍ଠ ଅଧିକାରୀଙ୍କ ସହ ଡିଜିପିଙ୍କ ବୈଠକ, ଏହି ସବୁ ବ୍ୟବସ୍ଥା ଉପରେ ଗୁରୁତ୍ୱ

କଟକ: ଆସନ୍ତା ୨୦ ତାରିଖରେ ପୁରୀରେ ହେବାକୁ ଥିବା ରଥଯାତ୍ରା ପୂର୍ବରୁ ପୁଲିସ ମହାନିର୍ଦ୍ଦେଶକ ସୁନୀଲ କୁମାର ବଂଶଲ ସୋମବାର ବରିଷ୍ଠ ଅଧିକାରୀଙ୍କ ସହ ଏକ ପ୍ରସ୍ତୁତି ବୈଠକ କରିଛନ୍ତି। କଟକସ୍ଥିତ ରାଜ୍ୟ ପୁଲିସ ମୁଖ୍ୟାଳୟରେ ଅନୁଷ୍ଠିତ ଏହି ବୈଠକରେ ବିଭିନ୍ନ ସୁରକ୍ଷା ବ୍ୟବସ୍ଥା ଉପରେ ଆଲୋଚନା କରାଯିବା ସହ ଉତ୍ସବକୁ ଶୃଙ୍ଖଳିତ ଓ ସୁରକ୍ଷିତ ଭାବେ ପାଳନ କରିବା ଉପରେ ଗୁରୁତ୍ୱାରୋପ କରାଯାଇଛି।

ଏହି ବୈଠକରେ ଡିଜିପି ବଂଶଲ ପୁରୀରେ ପର୍ବପର୍ବାଣୀରେ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ସମାଗମକୁ ଦୃଷ୍ଟିରେ ରଖି ସକ୍ରିୟ ପଦକ୍ଷେପ ଓ ଅତିରିକ୍ତ ସତର୍କତା ଉପରେ ଗୁରୁତ୍ୱାରୋପ କରିଛନ୍ତି। ଶ୍ରୀଜଗନ୍ନାଥ ମନ୍ଦିରର ପରମ୍ପରା ଅନୁଯାୟୀ ହେବାକୁ ଥିବା ବିଭିନ୍ନ ରୀତିନୀତିର କାର୍ଯ୍ୟସୂଚୀ ସମ୍ପର୍କରେ ସେ ସୂଚନା ଦେଇଥିଲେ। ଜୁନ୍ ୧୯ରେ ନବଯୌବନ ଦର୍ଶନ, ଜୁନ୍ ୨୦ରେ ରଥଯାତ୍ରା, ଜୁନ୍ ୨୮ରେ ବାହୁଡ଼ା ଯାତ୍ରା, ଜୁନ୍ ୨୯ରେ ସୁନାବେଶ, ଜୁଲାଇ ୧ରେ ନୀଳାଦ୍ରି ବିଜେ ଆଦି କାର୍ଯ୍ୟକ୍ରମ ରହିଛି।

ଏହି ବୈଠକରେ ରଥଯାତ୍ରା ବେଳେ ହେବାକୁ ଥିବା ବିଭିନ୍ନ ଦର୍ଶନ ଏବଂ ନୀତିକାନ୍ତି ପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଅତିରିକ୍ତ ସୁରକ୍ଷା ପାଇଁ ରାପିଡ୍ ଆକ୍ସନ ଫୋର୍ସ (ଆରଏଏଫ୍) ଏବଂ କେନ୍ଦ୍ରୀୟ ରିଜର୍ଭ ପୋଲିସ ଫୋର୍ସ (ସିଆରପିଏଫ୍) ନିୟୋଜିତ ହେବେ। ସେହିପରି ବରିଷ୍ଠ ପୋଲିସ ଅଧିକାରୀଙ୍କୁ ନିର୍ଦ୍ଧିଷ୍ଟ କାର୍ଯ୍ଯରେ ନିୟୋଜିତ କରାଯିବା ସହ ବୋମା ନିଷ୍କ୍ରିୟକାରୀ ଦଳ ମେଟାଲ ଡିଟେକ୍ଟରର ବ୍ୟବସ୍ଥା ଗ୍ରହଣ କରିବାକୁ କୁହାଯାଇଛି। ସେହିପରି ଭିଭିଆଇପିଙ୍କ ପାଇଁ ସୁରକ୍ଷା ବ୍ୟବସ୍ଥା ଉପରେ ଗୁରୁତ୍ୱ ଦିଆଯାଇଛି। ଅପରାଧୀ ଏବଂ ଆଇନ ବିଶୃଙ୍ଖଳକାରୀଙ୍କ ଉପରେ ନଜର ରଖିବାକୁ ସିସିଟିଭି କ୍ୟାମେରା ଲଗାଯିବ। ବେଳାଭୂମିରେ ପାଟ୍ରୋଲିଂ ବ୍ୟବସ୍ଥାକୁ ସୁଦୃଢ଼ କରିବା ସହ ବସ୍ ମାଲିକଙ୍କ ସମସ୍ୟାର ସମାଧାନ ଉପରେ ଗୁରୁତ୍ୱ ଦିଆଯିବ।

Leave A Reply

Your email address will not be published.