ଭୁବନେଶ୍ବର:ରାଜ୍ୟରେ ସ୍ଥାୟୀ ଡିଜିପି ଚୟନ ପ୍ରକ୍ରିୟାରେ ଅନିୟମିତତା ଅଭିଯୋଗକୁ ନେଇ ଦାୟର ଜନସ୍ୱାର୍ଥ ମାମଲାର ଶୁଣାଣିକୁ ଆସନ୍ତା ୭ ତାରିଖକୁ ଘୁଞ୍ଚାଇ ଦିଆଯାଇଛି।ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ଆସନ୍ତା ୭ ତାରିଖରେ ଏହି ମାମଲାର ଶୁଣାଣି କରିବେ ।
ପୂର୍ବତନ ଡିଜିପି ୱାଇ.ବି. ଖୁରାନିଆଙ୍କ ଅବସର ପରେ ବର୍ତ୍ତମାନ କ୍ରାଇମବ୍ରାଞ୍ଚ ଡିଜି ବିନୟତୋଷ ମିଶ୍ର ଅତିରିକ୍ତ ଡିଜିପି ଭାବେ ଦାୟିତ୍ୱ ତୁଲାଉଛନ୍ତି । ଏହାପୂର୍ବରୁ ଅଗଷ୍ଟ ୧୩ରେ ସୁପ୍ରିମକୋର୍ଟ ୟୁପିଏସସିକୁ ସ୍ଥାୟୀ ଡିଜିପି ଚୟନ ବୈଠକ ସ୍ଥଗିତ ରଖିବାକୁ କହିଥିଲେ । ପରେ ଅଗଷ୍ଟ ୧୮ରେ ହୋଇଥିବା ଶୁଣାଣିରେ ରାଜ୍ୟ ସରକାରଙ୍କ ଜବାବ ରେକର୍ଡଭୁକ୍ତ ହୋଇନଥିବାରୁ ଆଜିର ଶୁଣାଣି ଧାର୍ଯ୍ୟ ହୋଇଥିଲା । ଏବେ ଆସନ୍ତା ୭ ତାରିଖରେ ସୁପ୍ରିମକୋର୍ଟରେ ହେବ ଗୁରୁତ୍ୱପୂର୍ଣ୍ଣ ଶୁଣାଣି।
ଆବେଦନକାରୀଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ପି. ଚିଦାମ୍ବରମ୍ ଅଭିଯୋଗ କରିଛନ୍ତି ଯେ, ଜଣେ ଜୁନିଅର ଅଫିସରଙ୍କୁ ଡିଜିପି ଚୟନ ଦୌଡ଼ରେ ସାମିଲ କରିବା ପାଇଁ ରାଜ୍ୟ ସରକାର ତାଙ୍କୁ ରାତିଅଧିଆ ପଦୋନ୍ନତି ଦେଇଥିଲେ । ଏହା ଡିଜିପି ଚୟନ ସମ୍ପର୍କିତ ନିୟମ ଓ ପ୍ରକାଶ ସିଂହ ଗାଇଡଲାଇନ୍ର ଉଲ୍ଲଂଘନ ବୋଲି ଆବେଦନକାରୀ ପକ୍ଷର ଦାବି। ଅନ୍ୟପଟେ, ରାଜ୍ୟ ସରକାର ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି।
କାଉଣ୍ଟର ଆଫିଡେଭିଟ୍ରେ ସରକାର କହିଛନ୍ତି ଯେ, ଆଇପିଏସ୍ ଅଧିକାରୀଙ୍କ ପଦୋନ୍ନତି ଏକ ନିୟମିତ ପ୍ରଶାସନିକ ପ୍ରକ୍ରିୟା। ଏଥିରେ କୌଣସି ନିୟମ ଉଲ୍ଲଂଘନ ହୋଇନାହିଁ ।

