ଭୁବନେଶ୍ୱର: ଆଜି କୁମାର ପୂର୍ଣ୍ଣିମା। କୁମାରୀଙ୍କ ହସ ଉଲ୍ଲାସରେ ପୂରି ଉଠିବ ଘରଅଗଣା । ସକାଳୁ ସକାଳୁ ଗାଧୋଇ ନୂଆ ପୋଷାକ ପିନ୍ଧି ଆଞ୍ଜୁଳା ଟେକିବେ କୁଆଁରୀ ଝିଅମାନେ । ସନ୍ଧ୍ୟାରେ ତୁଳସୀ ଚଉରାମୂଳେ ଚନ୍ଦ୍ରପୂଜା । ଓଡ଼ିଶାର ଏକ ସ୍ୱତନ୍ତ୍ର ପର୍ବ କୁମାର ପୂର୍ଣ୍ଣିମା । ଆଶ୍ୱିନ ମାସ ପୂର୍ଣ୍ଣିମା ତିଥିରେ ପଡିଥାଏ ଏହି ପର୍ବ ।
ଓଡ଼ିଆ ବିଧି ଅନୁସାରେ, କୁମାରୀମାନେ ସକାଳୁ ଉଠି ସୂର୍ଯ୍ୟଙ୍କୁ ଆଞ୍ଜୁଳା ଟେକିଥାନ୍ତି । ୭ ପ୍ରକାର ଫଳ ସହ ଖଈ ସୂ୍ର୍ଯ୍ୟଙ୍କ ଉଦ୍ଦେଶ୍ୟରେ ଅର୍ପଣ କରିଥାନ୍ତି । ଏହାକୁ ଆଞ୍ଜୁଳା ଟେକା ବିଧି କୁହାଯାଇଥାଏ । ସେହିପରି ଚଉରା ପାଖରେ କଳସ ସ୍ଥାପନ କରାଯାଇଥାଏ ।ଖଇ,ନଡିଆ, କଦଳୀ, ଛେନା,ଦହି,କ୍ଷୀର, କାକୁଡ,ମହୁ, ଘିଅ,ଅଦା,ଆଖୁ ଆଦି ବିଭିନ୍ନ ଫଳମୂଳ ଦେଇ ଏକ ଚକଟା ପ୍ରସ୍ତୁତ କରାଯାଇଥାଏ। ଏହାକୁ ଚାନ୍ଦ ଚକଟା କୁହାଯାଏ।
ଏହି ଦିନ ଗାଁଗହଳିରେ ପାଶ ବା ତାସ ଖେଳିବାର ପରମ୍ପରା ରହିଛି । ଜୁଆ ଖେଳିବାର ପରମ୍ପରା ମଧ୍ୟ କେତେକ ସ୍ଥାନରେ ରହିଛି । ଇନ୍ଦୁ ପୂର୍ଣ୍ଣିମାଠାରୁ କୁମାରୀ କନ୍ୟାମାନେ ଏକାଠି ହୋଇ ଜହ୍ନିଓଷା କରିଥାନ୍ତି । କୁମାରପୂ୍ର୍ଣ୍ଣିମା ଦିନ ଏହା ଉଦଯାପିତ ହୋଇଥାଏ ।
ପାରମ୍ପରିକ ବିଶ୍ୱାସ ଅନୁସାରେ, କୁମାର ପୂର୍ଣ୍ଣିମା ଭଗବାନ କାର୍ତ୍ତିକେୟଙ୍କ ସହ ଜଡ଼ିତ। ଏହି ଦିନ ପୂଜା କଲେ କୁଆଁରୀ କନ୍ୟା ମାନଙ୍କୁ ସୁନ୍ଦର ବର ମିଳିଥାଏ। ତେଣୁ ଅବିବାହିତ ଯୁବତୀମାନେ ଏହି ଦିନ ପୂଜାର୍ଚ୍ଚନା କରି ନିଜ ଜୀବନରେ ଜଣେ ଯୋଗ୍ୟ ଓ ଆଦର୍ଶ ଜୀବନସାଥୀ ପାଇବା ପାଇଁ ପ୍ରାର୍ଥନା କରିଥାନ୍ତି ।
ଅପରପକ୍ଷରେ ଆଜି ପୂର୍ବାହ୍ଣ ୧୧ଟା ୫୬ ପରଠାରୁ ପୂର୍ଣ୍ଣିମା ତିଥି ପ୍ରବେଶ କରୁଛି। ୨୬ ତାରିଖ ଦିନ ୯ଟା ୪୧ ପର୍ଯ୍ୟନ୍ତ ପୂର୍ଣ୍ଣିମା ତିଥି ରହିଛି । ସେହିପରି କୁମାର ପୂର୍ଣ୍ଣିମା ଦିନ ଗଜଲକ୍ଷ୍ମୀ ପୂଜା ମଧ୍ୟ ଆରମ୍ଭ ହୋଇଥାଏ।

