ଭୁବନେଶ୍ୱର: ଓଡ଼ିଶା ପୋଲିସ ସବ୍-ଇନ୍ସପେକ୍ଟର (SI) ନିଯୁକ୍ତି ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED) ଏବଂ CBI ପକ୍ଷରୁ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଏହି ବଡ଼ ଧରଣର ଦୁର୍ନୀତିରେ ମନି ଲଣ୍ଡରିଂର ତଦନ୍ତ କରୁଥିବା ED, ଓଡ଼ିଶା ଏବଂ ପଶ୍ଚିମବଙ୍ଗର ପ୍ରାୟ ୧୨ଟି ସ୍ଥାନରେ ଚଢ଼ାଉ କରି ଏକ ବଡ଼ କର୍ପୋରେଟ୍ ରାକେଟ୍ର ପର୍ଦ୍ଦାଫାଶ କରିଛି।
ତଦନ୍ତରୁ ଜଣାପଡ଼ିଛି ଯେ ପରୀକ୍ଷାର୍ଥୀଙ୍କ ଠାରୁ ପ୍ରଶ୍ନପତ୍ର ବାବଦକୁ ୧୫ ଲକ୍ଷରୁ ୩୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଡିଲ୍ ହୋଇଥିଲା। ପୂର୍ବରୁ କ୍ରାଇମବ୍ରାଞ୍ଚ ଓ ସ୍ଥାନୀୟ ପୋଲିସ ତଦନ୍ତ ସମୟରେ ଯେଉଁ କମ୍ପାନୀଗୁଡ଼ିକ ବାହାରେ ଥିଲେ, ED ବର୍ତ୍ତମାନ ସେମାନଙ୍କ ଲିଙ୍କ୍ ଖୋଜି ବାହାର କରିଛି । ପରୀକ୍ଷା ପରିଚାଳନା ଦାୟିତ୍ୱରେ ଥିବା ଏକ ଘରୋଇ ସଂସ୍ଥାର କାର୍ଯ୍ୟଭାରକୁ ଜଣେ ଦମ୍ପତିଙ୍କ ଦ୍ୱାରା ପରିଚାଳିତ କମ୍ପାନୀ ନିଜ ହାତକୁ ନେଇ ଏହି ଦୁର୍ନୀତି କରିଥିବା ସନ୍ଦେହ କରାଯାଉଛି।
ଏହି ସ୍କାମ୍ରେ ଓଡ଼ିଶା ବାହାରର ଅପରାଧୀ ସିଣ୍ଡିକେଟ୍ ସାମିଲ ଥିବା ଜଣାପଡ଼ିବା ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହାର CBI ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ଅକ୍ଟୋବର ୯, ୧୦ ଓ ୧୨ ତାରିଖରେ ହୋଇଥିବା ଏହି ତଲାସି ସମୟରେ ଅନେକ ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ, ଇଲେକ୍ଟ୍ରୋନିକ୍ ଉପକରଣ ଓ ଆର୍ଥିକ କାରବାର ସମ୍ପର୍କିତ ରେକର୍ଡ ଜବତ କରାଯାଇଛି। ଜବତ ସାମଗ୍ରୀଗୁଡ଼ିକର ଯାଞ୍ଚ ଜାରି ରହିଥିବା ED ପ୍ରେସ୍ ରିଲିଜ୍ ରେ ଦର୍ଶାଯାଇଛି । ଏହି ଚଢ଼ାଉରେ ଭୁବନେଶ୍ୱରସ୍ଥିତ ସିଲିକନ୍ ଟେକ୍ ଲ୍ୟାବ୍ ପ୍ରାଇଭେଟ୍ ଲିମିଟେଡ୍, ପଞ୍ଚସଫ୍ଟ ଟେକ୍ନୋଲୋଜିସ୍ ପ୍ରାଇଭେଟ୍ ଲିମିଟେଡ୍, PSIL ଇଣ୍ଟରନ୍ୟାସନାଲ୍ ଲିମିଟେଡ୍ ଏବଂ ଏହି ସଂସ୍ଥାଗୁଡ଼ିକର ନିର୍ଦ୍ଦେଶକ ଓ ସହଯୋଗୀ ବ୍ୟକ୍ତିଙ୍କ ଠିକଣା ସାମିଲ ରହିଛି । ଅର୍ଥ ହେରଫେର ନିବାରଣ ଆଇନ ବା PMLA ଅଧୀନରେ ଏହି ତଲାସି କରାଯାଇଛି ।
ଓଡ଼ିଶା ପୋଲିସ ନିଯୁକ୍ତି ବୋର୍ଡ ପରୀକ୍ଷା ପରିଚାଳନା ଦାୟିତ୍ୱ କେନ୍ଦ୍ର ସରକାରଙ୍କ ସଂସ୍ଥା ITI ଲିମିଟେଡ୍ କୁ ଦେଇଥିଲା । ITI ଲିମିଟେଡ୍ ପୁଣି ଏହି କାମ ସିଲିକନ୍ ଟେକ୍ ଲ୍ୟାବ୍ କୁ ହସ୍ତାନ୍ତର କରିଥିଲା । କିନ୍ତୁ EDର ଅଭିଯୋଗ ଅନୁଯାୟୀ, ସିଲିକନ୍ ଟେକ୍ ଲ୍ୟାବ୍ ର ନିର୍ଦ୍ଦେଶକ ସୁରେଶ ଚନ୍ଦ୍ର ନାୟକ ITI ଲିମିଟେଡ୍ ର ଲିଖିତ ଅନୁମତି ବିନା ପରୀକ୍ଷାର୍ଥୀଙ୍କ ସମ୍ବେଦନଶୀଳ ତଥ୍ୟ ପରିଚାଳନା ପାଇଁ ପଞ୍ଚସଫ୍ଟ ଟେକ୍ନୋଲୋଜିସ୍ କୁ ନିୟୋଜିତ କରିଥିଲେ । ଏଥିରେ ପଞ୍ଚସଫ୍ଟର ନିର୍ଦ୍ଦେଶକ ଶଙ୍କର ପୃଷ୍ଟିଙ୍କ ମିଳିତ ସୃପୃକ୍ତି ଥିବା ED ସନ୍ଦେହ କରୁଛି । ତଦନ୍ତକାରୀ ସଂସ୍ଥାର କହିବା ଅନୁଯାୟୀ, ସିଲିକନ୍ ଟେକ୍ ଲ୍ୟାବ୍ ସହ ଜଡ଼ିତ କେତେକ ବ୍ୟକ୍ତି ଏବଂ ଶଙ୍କର ପୃଷ୍ଟି ପରୀକ୍ଷାର୍ଥୀଙ୍କୁ ଟଙ୍କା ବଦଳରେ ଗୋପନୀୟ ପ୍ରଶ୍ନପତ୍ର ସମ୍ପର୍କିତ ତଥ୍ୟ ଯୋଗାଇଦେବାର ପ୍ରଲୋଭନ ଦେଖାଇଥିଲେ। ଏପରିକି SI ନିଯୁକ୍ତି ପରୀକ୍ଷା ପ୍ରକ୍ରିୟା ଆରମ୍ଭ ହେବା ପୂର୍ବରୁ ଶଙ୍କର ପୃଷ୍ଟି ଓ ସିଲିକନ୍ ଟେକ୍ ଲ୍ୟାବ୍ ମଧ୍ୟରେ ଆର୍ଥିକ କାରବାର ହୋଇଥିବା ED ତଦନ୍ତରେ ଜଣାପଡ଼ିଛି ।
ଏହା ପୂର୍ବରୁ ମିଳିତ ସୃପୃକ୍ତି ଥିବା ସଙ୍କେତ ଦେଉଛି ବୋଲି ED କହିଛି। ଅନ୍ୟପଟେ ସିଲିକନ୍ ଟେକ୍ ଲ୍ୟାବ୍ ର ମାଲିକାନା ଓ ପରିଚାଳନାଗତ ପରିବର୍ତ୍ତନକୁ ନେଇ ମଧ୍ୟ ତଦନ୍ତରେ ନୂଆ ତଥ୍ୟ ସାମ୍ନାକୁ ଆସିଛି । ED ଅନୁଯାୟୀ, ୨୦୨୩ ଅଗଷ୍ଟ ୫ ତାରିଖର ଏକ କଥିତ ସେୟାର କ୍ରୟ ଚୁକ୍ତି ମାଧ୍ୟମରେ PSIL ଇଣ୍ଟରନ୍ୟାସନାଲ୍ ଲିମିଟେଡ୍ ଏବଂ ଏହାର ନିର୍ଦ୍ଦେଶକ ସମୀର ରଥ ଓ ତାଙ୍କ ପତ୍ନୀ ଶାଶ୍ୱତୀ ମିଶ୍ର ସିଲିକନ୍ ଟେକ୍ ଲ୍ୟାବ୍ ର ଅଧିକାଂଶ ସେୟାର ଅଧିଗ୍ରହଣ କରିଥିଲେ । ତେବେ ଏହି ଚୁକ୍ତିକୁ ରେଜିଷ୍ଟ୍ରାର୍ ଅଫ୍ କମ୍ପାନିଜ୍ ଙ୍କ ନିକଟରେ ଦାଖଲ କରାଯାଇନଥିବା ED ଦର୍ଶାଇଛି ।

