ପାକିସ୍ତାନ: ଗୁରୁବାର ପାକିସ୍ତାନ ପେଶାୱାରରେ ଅଘଟଣ । ସ୍କୁଲ ଚାଲିଥିବା ବେଳେ ଛିଡି ପଡିଲା କ୍ଲାସ ରୁମ୍ ଛାତ । ଘଟଣାସ୍ଥଳରେ ପ୍ରାୟ ୨୮ଛାତ୍ରଛାତ୍ରୀଙ୍କ ଜୀବନ ଯାଇଥିବା ବେଳେ ଜଣେ ଶିକ୍ଷୟତ୍ରୀଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛିା ଘଟଣାରେ ୪୦ରୁ ଅଧିକ ଆହତ ହୋଇଥିବା ସୂଚନା ମିଲିଛି । ସହର ଭିତରକୁ ଥିବା ଡିର୍ କଲୋନୀର ସ୍କୁଲରେ ଏପରି ଅଘଟଣ ଘଟିଥିବା ପୋଲିସ ମୁଖ୍ୟ ମିଆଁ ସଇଦ ସୂଚନା ଦେଇଛନ୍ତି । ହସ୍ପିଟାଲରେ ଏମରଜେନ୍ସି ଘୋଷଣା କରି ଆହତ ଓ ଗୁରୁତରଙ୍କ ଚିକିତ୍ସାକୁ ପ୍ରାଧାନ୍ୟ ଦିଆଯାଇଛି । ମୃତ ସମସ୍ତ ଛାତ୍ରଛାତ୍ରୀଙ୍କ ବୟସ ୧୩ କିମ୍ବା ତାଠାରୁ କମ୍ ହେବ । ଏବେବି ସ୍କୁଲ ପରିସରରେ ଛାନବିନ୍ ଜାରି ରହିଛି । ଧସିଯାଇଥିବା ଛାତର ଅବଶିଷ୍ଟାଂଶ ତଳେ ପିଲା କିମ୍ବା ସ୍କୁଲ ଷ୍ଟାଫ୍ ଥିବା ସନ୍ଦେହରେ ଖୋଜାଖୋଜି ଜାରି ରହିଛି । ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ୍ ଗଭୀର ଶୋକପ୍ରକାଶ କରିବା ସହ ଶୋକସନ୍ତପ୍ତ ପରିବାକୁ ସମବେଦନା ଜଣାଇଛନ୍ତି ।
ପାକିସ୍ତାନରେ କୋଠା ଏବଂ ଛାତ ଭୁଶୁଡିବା ସାଧାରଣ କଥା । ଦୁର୍ବଳ ସୁରକ୍ଷା ମାନ ଓ ନିମ୍ନମାନର ନିର୍ମାଣ ଯୋଗୁ ଏପରି ଘଟଣା ସାଧାରଣରେ ଗଣା ହେଉଛି । ଜୁଲାଇରେ ପାକିସ୍ତାନର ଉମକୋଟରେ ଥିବା ସରକାରୀ ପ୍ରାଥମିକ ବିଦ୍ୟାଳୟରେ ୩ରୁ ୧୩ ବର୍ଷର ୩ଜଣ ଛାତ୍ରୀଙ୍କର ମୃତ୍ୟୁ ହୋଇଥିଲା । ସେହି ମାସରେ ହିଁ ଲାହୋରରେ କାମ ଚାଲିଥିବା ଏକ ପ୍ରାଇଭେଟ୍ ସ୍କୁଲ କୋଠା ଭୁଶୁଡିବାରୁ ଜଣେ ଛାତ୍ରଙ୍କ ସହ ପ୍ରାୟ ୫ଜଣଙ୍କର ମୃତ୍ୟୁ ହୋଇଥିଲା । ଜୁନ୍ ମାସରେ ଲାହୋର କାହନା ଅଂଚଳରେ ଟ୍ୟୁସନ ଘର ଭୁଶୁଡି ପଡିବାରୁ ୧୪ ପିଲାଙ୍କର ମୃତ୍ୟୁ ହୋଇଥିଲା । ସେହିପରି ଡେରୋ ଗାଜି ଖାନ୍ ଅଂଚଳରେ ଏକ ପ୍ରାଇଭେଟ୍ ସ୍କୁଲର କ୍ଲାସରୁମ୍ ଭୁଶୁଡିପଡିବାରୁ ୪ ଛାତ୍ରଛାତ୍ରୀଙ୍କ ମୃତ୍ୟୁ ହୋଇଥିଲା, ୨୦ଜଣ ଆହତ ହୋଇଥିଲେ ।

