Latest Odisha News

BREAKING NEWS

ଦେଶରେ ଅଗ୍ରଣୀ ରିସର୍ଚ୍ଚ ହବ୍ ଭାବରେ ଉଭା ହେଉଛି ଓଡ଼ିଶା: ମୁଖ୍ୟମନ୍ତ୍ରୀ

ଭୁବନେଶ୍ଵର:  ଦେଶରେ ଶିକ୍ଷା କ୍ଷେତ୍ରରେ ଅଗ୍ରଣୀ ରିସର୍ଚ୍ଚ ହବ୍ (ଅନୁସନ୍ଧାନ କ୍ଷେତ୍ରରେ ପେଣ୍ଠସ୍ଥଳ) ଭାବରେ ଉଭା ହେଉଛି ଓଡ଼ିଶା । ଆଇଆଇଏମ୍ ସମ୍ୱଲପୁରର ସ୍ଥାୟୀ କ୍ୟାମ୍ପସର ଶିଳାନ୍ୟାସ କାର୍ଯ୍ୟକ୍ରମରେ ଯୋଗ ଦେଇ ଏକଥା କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେ କହିଛନ୍ତି, ପ୍ରାଚୀନ କାଳରୁ ଓଡ଼ିଶାରେ ଶିକ୍ଷାଗତ ଯୋଗ୍ୟତାର ପରମ୍ପରା ରହିଛି । ଐତିହାସିକ ଭାବେ ଶିକ୍ଷା ଓ ଅନୁସନ୍ଧାନ କ୍ଷେତ୍ରରେ ଓଡ଼ିଶା ଆଗରେ ରହିଛି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଇଆଇଏମ୍ ସମ୍ୱଲପୁର କ୍ୟାମ୍ପସର ଭିତ୍ତିଭଊମି ବିକାଶ ପାଇଁ ଶିଳାନ୍ୟାସ କରିଥିବାରୁ ଖୁସି ପ୍ରକାଶ କରିଥିଲେ ମୁଖ୍ୟମନ୍ତ୍ରୀ । ନବୀନ କହିଥିଲେ, ୨୦୧୫ରେ ସ୍ଥାପିତ ଆଇଆଇଏମ ସମ୍ବଲପୁର ନିଜକୁ ଦେଶର ଏକ ପ୍ରମୁଖ ପରିଚାଳନା ପ୍ରତିଷ୍ଠାନ ଭାବେ ଛିଡ଼ା କରିଛି ।

ଆମ ରାଜ୍ୟ ଶିକ୍ଷା କ୍ଷେତ୍ରରେ ନିଜର ଆଭିମୁଖ୍ୟ ଜାରି ରଖିଛି । ପୂର୍ବ ଭାରତର ଶିକ୍ଷା ହବ୍ ଭାବେ ଉଭା ହୋଇଛି ଓଡ଼ିଶା । ଆଇଆଇଏମ,  ଆଇଆଇଟି, ନାଇଜର, ଆଇଜର, ଏମ୍‌ସ, ଏନଏଲୟୁ ଓ ଅନ୍ୟାନ୍ୟ ଗୁରୁତ୍ଵପୂର୍ଣ୍ଣ ଶିକ୍ଷାନୁଷ୍ଠାନ ପ୍ରତିଷ୍ଠା ଫଳରେ ଓଡ଼ିଶା ଦେଶର ଏକ ଅଗ୍ରଣୀ ଅନୁସନ୍ଧାନ ହବ୍‌ ଭାବେ ଉଭା ହେଉଛି । ଏଥିପାଇଁ କେନ୍ଦ୍ର ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ନବୀନ କହିଥିଲେ, ମାନବ ସମ୍ବଳର ବିକାଶ ପାଇଁ ଓଡ଼ିଶା ସରକାର ସର୍ବାଧିକ ପ୍ରାଥମିକତା ଦେଇଛନ୍ତି । ସ୍କିଲ୍ ଇନ୍ ଓଡିଶା ଏକ ଆନ୍ତର୍ଜାତୀୟ ବ୍ରାଣ୍ଡରେ ପରିଣତ ହୋଇସାରିଛି । ଓଡ଼ିଶାକୁ ଦେଶର ଶିକ୍ଷା ହବରେ ପରିଣତ କରିବା ପାଇଁ ରାଜ୍ୟ ସରକାର ନୀତିଗତ ବ୍ୟବସ୍ଥା କରିବାକୁ ବଦ୍ଧପରିକର ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

Leave A Reply

Your email address will not be published.