ଭୁବନେଶ୍ୱର: ରାଜ୍ୟରେ ପୁଣି ଚାଲିବ ଡ୍ୟାନ୍ସବାର। କିନ୍ତୁ ଆଉ ପୂର୍ବଭଳି ମହିଳା ଡ୍ୟାନ୍ସରଙ୍କୁ ଛୁଇଁ ହେବ ନାହିଁ । ମହିଳା ଡ୍ୟାନ୍ସରମାନଙ୍କର ଡ୍ରେସରେ ଶାଳୀନତା ରହିବ। ରାଜ୍ୟ ସରକାର ଏଭଳି କିଛି କଡ଼ା ନିୟମ ସହ ପୁଣିଥରେ ଡ୍ୟାନ୍ସବାର ଚାଲିବା ପାଇଁ ଅନୁମତି ଦେବାକୁ ନିଷ୍ପତ୍ତି ନେଇଛନ୍ତି । ଆଜି ଏନେଇ ରାଜ୍ୟ ସରକର ବିଜ୍ଞପ୍ତି ଜାରି କରିଛନ୍ତି। ରାଜ୍ୟ ଅବକାରୀ ବିଭାଗ ପକ୍ଷରୁ ‘ଓଡ଼ିଶା ଅବକାରୀ (ସଂଶୋଧନ) ରୁଲସ-୨୦୨୪’ ବିଜ୍ଞପ୍ତି ଜାରି ହୋଇଛି। ଏଣିକି ରାଜ୍ୟର ବାରଗୁଡ଼ିକରେ ମହିଳାମାନେ ନୃତ୍ୟଗୀତ ପରିବେଷଣ କରିପାରିବେ। ଅବକାରୀ କମିଶନରଙ୍କ ଲିଖିତ ଅନୁମତି ଆଧାରରେ ଅନୁମତିପ୍ରାପ୍ତ ମଦ ବାରରେ ୨୧ବର୍ଷ ବୟସରୁ ଊର୍ଦ୍ଧ୍ୱ ମହିଳାମାନେ ନାଚ ଗୀତରେ ସାମିଲ ହୋଇପାରିବେ । ଏହି ଡ୍ୟାନ୍ସବାରଗୁଡ଼ିକ ପରିଚାଳନା ପାଇଁ ଅବକାରୀ କମିଶନର ୨୧ଟି ସର୍ତ୍ତ ରଖିଛନ୍ତି ।
କ’ଣ ରହିଛି ସରକାରଙ୍କ ସର୍ତ୍ତ ?
- ଡ୍ୟାନ୍ସ ବାର୍ ପରିସରରେ ନୃତ୍ୟ ଓ ସଙ୍ଗୀତ ପ୍ରଦର୍ଶନ ହେଉଥିବା ଷ୍ଟେଜକୁ ଭଲଭାବେ ରେକର୍ଡିଂ କରିପାରୁଥିବା ସିସିଟିଭି କ୍ୟାମେରା ଲାଗିବ। ଏହି କ୍ୟାମେରା ୨୪ଘଣ୍ଟା ଅନ୍ ରହିବ ଏବଂ କ୍ୟାମେରା ଗୁଡିକରେ କୌଣସି ଟ୍ୟାମ୍ପରିଂ କରାଯିବ ନାହିଁ ।
- ଏହି ସିସିଟିଭି କ୍ୟାମେରାର ହାର୍ଡ ଡିସ୍କରେ ଅତିକମରେ ୩ମାସର ରେକର୍ଡିଂ ଷ୍ଟୋର ରହିବାର ସୁବିଧା ଥିବା ଆବଶ୍ୟକ ।
- ସିସିଟିଭି ଫୁଟେଜର ରେକର୍ଡିଂକୁ ସ୍ଥାନୀୟ ପୋଲିସ୍ ଥାନା ଅଫିସର ଓ ଅବକାରୀ ଥାନା ଅଧିକାରୀଙ୍କ ନିକଟରେ ଦାଖଲ କରାଇବାକୁ ପଡିବ ।
- କୌଣସି କାରଣରୁ ସିସିଟିଭି ଖରାପ ହୋଇଯାଏ, ତେବେ ସମ୍ପୃକ୍ତ ବାର ମାଲିକ ଏ ସମ୍ପର୍କରେ ନିଜ ଅଞ୍ଚଳର ଅବକାରୀ ଓ ଥାନା ଅଧିକାରୀଙ୍କୁ ସୂଚନା ଦେବେ।
- ସିସିଟିଭି ଠିକ୍ ନ ହେବା ପର୍ଯ୍ୟନ୍ତ ଅର୍କେଷ୍ଟ୍ରା ବନ୍ଦ ରହିବ।
- ନୃତ୍ୟଗୀତ ପ୍ରଦର୍ଶନ କରୁଥିବା ମହିଳାଙ୍କ ରେକର୍ଡ ରଖିବା ପାଇଁ ଡ୍ୟାନ୍ସବାରଗୁଡ଼ିକୁ ରେଜିଷ୍ଟର ରଖିବେ । ଏହି ରେଜିଷ୍ଟର ଆବଶ୍ୟକ ସମୟରେ ପୋଲିସ ବା ଅବକାରୀ କର୍ମଚାରୀଙ୍କୁ ଦେବେ।
- ଲାଇସେନ୍ସଧାରୀ ନିଜର ଲାଇସେନ୍ସକୁ ସ୍ପଷ୍ଟ ଭାବେ ସର୍ବସାଧାରଣଙ୍କ ନିମନ୍ତେ ପ୍ରଦର୍ଶିତ କରିବେ ।
- ଲାଇସେନ୍ସଧାରୀ ବାର ମାଲିକଙ୍କୁ ଡ୍ୟାନ୍ସ ବାର ନିମନ୍ତେ ଆବେଦନ କରିବାବେଳେ ନୃତ୍ୟଗୀତ ପ୍ରଦର୍ଶନକାରୀଙ୍କ ଭୋଟର ପରିଚୟ ପତ୍ର ଅବା ଆଧାର କାର୍ଡ ଦେବା ବାଧ୍ୟତାମୂଳକ ।
- ଏହାସହିତ ୬ମାସ ମଧ୍ୟରେ ଉଠାଯାଇଥିବା ଏକ ଫଟୋ ସହ ସେମାନଙ୍କର ନାମ, ସ୍ଥାୟୀ ଠିକଣା, ନାଗରିକତା ଓ ସ୍ଥାନୀୟ ଠିକଣା ମଧ୍ୟ ଦେବାକୁ ପଡ଼ିବ ।
- ସେହି ପ୍ରଦର୍ଶନକାରୀ ମେଡ଼ିକାଲ ଫିଟ ସମ୍ମତିପତ୍ର ଦେବେ।
- ପୂର୍ବରୁ ଅନୈତିକ କାର୍ଯ୍ୟରେ ଲିପ୍ତ ଅଭିଯୋଗରେ ଚାର୍ଜସିଟ ଥିବା ମହିଳାଙ୍କୁ ଅର୍କେଷ୍ଟ୍ରା ପାଇଁ ଅନୁମତି ମିଳିବ ନାହିଁ ।
- ବାର ପରିସରରେ ଷ୍ଟେଜର ଚାରିପଟେ ୩ଫୁଟ ଉଚ୍ଚର ବାଡ ଓ ଗ୍ରାହକଙ୍କଠୁ ଅତିକମରେ ୫ଫୁଟ ଦୂରତା ରହିବ । ସେହି ଷ୍ଟେଜ ୧୦ଫୁଟରେ ୧୨ଫୁଟ ହେବା ଜରୁରୀ।
- ନୃତ୍ୟଗୀତ ପ୍ରଦର୍ଶନକାରୀଙ୍କ ପାଇଁ ସୱତନ୍ତ୍ର ଶୌଚାଳୟ ଓ ଲକର ସୁବିଧା ରହିବ।
- ବାରମାଲିକମାନେ ଏହି କର୍ମଚାରୀ ବା ପ୍ରଦର୍ଶନକାରୀଙ୍କୁ ଫଟୋଯୁକ୍ତ ଆଇକାର୍ଡ ପ୍ରଦାନ କରିବେ। ସେମାନେ ଏହାକୁ ଡ୍ୟୁଟିବେଳେ ବ୍ୟବହାର କରିବେ ।
- ଡ୍ୟାନ୍ସବାରରେ ନିୟୋଜିତ ମହିଳାମାନଙ୍କ ସୁରକ୍ଷା ଦୃଷ୍ଟିରୁ ରହୁଥିବା ସ୍ଥାନରୁ ଯିବାଆସିବା ପାଇଁ ମାଗଣା ପରିବହନ ସୁବିଧା ବାରମାଲିକ ବହନ କରିବେ।
- ଅର୍କେଷ୍ଟ୍ରାରେ ନିୟୋଜିତ କୌଣସି ମହିଳା ର୍ନିଯାତନାର ଶିକାର ନହେବା ପାଇଁ ବାରମାଲିକମାନେ ବ୍ୟକ୍ତିଗତ ସୁରକ୍ଷା ବ୍ୟବସ୍ଥା କରିବେ ।
Comments are closed.