Latest Odisha News

BREAKING NEWS

ବିଦେଶୀଙ୍କୁ ମିଳୁ କାଳିଆ ଦର୍ଶନ- ଗଜପତି ମହାରାଜଙ୍କୁ ନିବେଦନ କଲେ ରାଜ୍ୟପାଳ

ଭୁବନେଶ୍ଠର: ଜଗନ୍ନାଥ ସାରା ଜଗତର ଠାକୁର । ଜଗନ୍ନାଥଙ୍କ ନାଁ ଆସିଲେ ସାରା ବିଶ୍ୱର ସଂସ୍କୃତି ଆଖି ଆଗରେ ନାଚିଯାଏ । ବିଦେଶୀ ଆସିଲେ ଏଠାରେ ଶଙ୍କରାଚାର୍ଯ୍ୟ, ସେବାୟତ ଏବଂ ଗଜପତିଙ୍କୁ ଭେଟି ପାରୁଛନ୍ତି । ତେଣୁ ସେମାନଙ୍କୁ ଚକା ନୟନ ସହ ଆଖି ମିଳାଇବା ପାଇଁ ଅନୁମତି ଦିଆଯିବା ଦରକାର ବୋଲି କହିଥିଲେ ରାଜ୍ୟପାଳ ଗଣେଶୀ ଲାଲ ।

ରାଜଧାନୀରେ ଓଡ଼ିଶା ଭିଜନ୍‌ ୨୦୩୬ ସମ୍ମିଳନୀକୁ ଉଦ୍‌ଘାଟନ କରି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ ଜଗତଗୁରୁ ଶଙ୍କରାଚାର୍ଯ୍ୟ ଓ ଗଜପତି ମହାରାଜଙ୍କୁ ଏ ନେଇ ନିବେଦନ କରିଛନ୍ତି। ରାଜ୍ୟପାଳଙ୍କ କାଳିଆପ୍ରେମୀ । ତାଙ୍କର ଏ ପ୍ରେମ ସମସ୍ତଙ୍କୁ ଜଣା । ତେବେ ଜଗନ୍ନାଥ ନୀତି ନିୟମ ଜାଣି ମଧ୍ୟ ଏପରି କାହିଁକି ନିବେଦନ କଲେ ରାଜ୍ୟପାଳ ? ହୁଏତ ଏ ପ୍ରଶ୍ନ ସମସ୍ତଙ୍କ ମନରେ ଆସୁଥିବ । ଏ ପ୍ରଶ୍ନ ବି ଏକ ବିରାଟ ପ୍ରଶ୍ନ ।

ତେବେ ନିଜେ ରାଜ୍ୟପାଳ ଏହାର ଉତ୍ତର ବି ରଖିଛନ୍ତି ।  ସେ କହିଛନ୍ତି,  ଶ୍ରୀ ଜଗନ୍ନାଥଙ୍କ ଚଳନ୍ତି ପ୍ରତିମା ଗଜପତି ମହାରାଜ । ଆଉ ଶଙ୍କରାଚାର୍ଯ୍ୟ ହେଉଛନ୍ତି ଶ୍ରୀମନ୍ଦିରର ନୀତି ନିର୍ଦ୍ଧାରକ। ଏପରି ସ୍ଥିତିରେ ଯଦି ବିଦେଶୀ ନାଗରିକ ଶଙ୍କରାଚାର୍ଯ୍ୟ ଓ ଗଜପତିଙ୍କୁ ଭେଟିପାରୁଛନ୍ତି ତାହାଲେ କାଳିଆ ଦର୍ଶନକୁ ଅନୁମତି ଦିଆଯାଉ ବୋଲି ନିବେଦନ କରିଛନ୍ତି।

ରାଜ୍ୟପାଳଙ୍କ ଏପରି ନିବେଦନ ପରେ ଆରମ୍ଭ ହୋଇଛି ତର୍କ। କଂଗ୍ରେସ ବିଧାୟକ ସୁର ରାଉତ ରାୟ ଏହାକୁ ଗ୍ରହଣ କରିନାହାନ୍ତି। ସେ କହିଛନ୍ତି, ରଥଯାତ୍ରା ବେଳେ ସମସ୍ତ ଧର୍ମ ଲୋକ ତିନି ଠାକୁରଙ୍କୁ ଦର୍ଶନ କରିବାରେ ଅସୁବିଧା ନାହିଁ। ହେଲେ ଜଣେ ଜଗନ୍ନାଥଙ୍କ ପାଇକ ସେବାୟତ ଓ ଭକ୍ତ ଭାବରେ ଏପରି ନିବେଦନକୁ ସେ ଗ୍ରହଣ କରି ପରମ୍ପରାକୁ ଭାଙ୍ଗିପାରିବେ ନାହିଁ ବୋଲି କହିଛନ୍ତି। ସେହିପରି ମିଳିଥିବା ସୂଚନା ଅନୁଯାୟୀ ଗଜପତି ମହାରାଜ କହିଛନ୍ତି, ରାଜ୍ୟପାଳଙ୍କ ପାଖରୁ ଲିଖିତ ଆକାରରରେ କିଛି ଆସିଲେ କମିଟି ଏ ବାବଦରେ ବିଚାର କରିବ।

ଏଠି କହିରଖିବୁ, ରାଜ୍ୟପାଳ ଗଣେଶୀ ଲାଲ ହରିଆଣାର ବାସିନ୍ଦା । ସେ ଜଣେ ଜଗନ୍ନାଥ ଭକ୍ତ ମଧ୍ୟ । ଜଗନ୍ନାଥ ସଂସ୍କୃତିକୁ ସେ ଭୁରି ଭୂରି ପ୍ରଶଂସା କରିଛନ୍ତି । ଲକ୍ଷ୍ମୀ ପୁରାଣ ପ୍ରସଙ୍ଗ ଉଠାଇ କହିଥିଲେ ଯିଏ ହାଲକ୍ଷ୍ମୀ ଓ ଜଗନ୍ନାଥଙ୍କ କଥା ଯିଏ ଶୁଣିବ, ଛାଡ଼ପତ୍ର କଥା କେହି ଚିନ୍ତା କରିବେ ନାହିଁ। ହରିୟାଣାରେ ମହିଳାଙ୍କ ରୋଜଗାରରେ ପୁରୁଷ ଚଳୁଛନ୍ତି। ପୁରୁଷମାନେ କାମ କରନ୍ତି ନାହିଁ, ମଦ୍ୟପାନ କରିବା ସହିତ ତାସ ଖେଳନ୍ତି। ପରେ ହତ୍ୟା, ଝଗଡ଼ା କରି ଜେଲ୍‌ ଯାଆନ୍ତି। କିନ୍ତୁ ଓଡ଼ିଶାର ମହିଳାମାନଙ୍କ ସ୍ବଭାବ ଆଶ୍ଚର୍ଯ୍ୟ ଓ ଚମତ୍କାର ବୋଲି ସେ କହିଥିଲେ ।

 

Leave A Reply

Your email address will not be published.