Latest Odisha News

BREAKING NEWS

ଲୋକଙ୍କ ବିଭିନ୍ନ ସମସ୍ୟା ନେଇ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ରାଜ୍ୟପାଳ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ରାଜ୍ୟପାଳ ରଘୁବର ଦାସ । ଚଳିତ ମାସ ପ୍ରଥମ ସପ୍ତାହରେ ଢେଙ୍କାନାଳ ଓ ଅନୁଗୋଳ ଜିଲ୍ଲା ଗସ୍ତ କରି ଲୋକଙ୍କ ସମସ୍ୟା ବିଷୟରେ ପଚାରି ବୁଝିଥିଲେ ରାଜ୍ୟପାଳ ଆଉ ଏହାର ସମାଧାନ ପାଇଁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି ରାଜ୍ୟପାଳ । ଢେଙ୍କାନାଳ ଓ ଅନୁଗୋଳ ଜିଲ୍ଲା ଗସ୍ତ ସମୟରେ ସେଠାକାର ଲୋକେ ସାମ୍ନା କରୁଥିବା ବିଭିନ୍ନ ସମସ୍ୟା ବିଷୟରେ ରାଜ୍ୟପାଳଙ୍କୁ ଅବଗତ କରିଥିଲେ । ଆଉ ଏହି ସମସ୍ୟାର ସମାଧାନ କରିବାକୁ ରାଜ୍ୟ ସରକାରଙ୍କୁ ଚିଠି ମାଧ୍ୟମରେ ଅବଗତ କରାଇଛନ୍ତି ।

ରାଜ୍ୟପାଳ ଚିଠିରେ ଉଲ୍ଲେଖ କରି କହିଛନ୍ତି ଯେ, ଅନୁଗୋଳ ବଅଁରପାଳ ବ୍ଲକ୍ ଅଧୀନ ତୁରଙ୍ଗ ପଞ୍ଚାୟତ ପରିଦର୍ଶନ ବେଳେ ଆଶା କର୍ମୀମାନେ ସ୍ଵାସ୍ଥ୍ୟ ପରୀକ୍ଷା ଏବଂ ଗର୍ଭବତୀଙ୍କ କାଉନସେଲିଂ ପାଇଁ ମମତା ଗୃହ ନିର୍ମାଣ ପାଇଁ ଅନୁରୋଧ କରିଥିଲେ । ସେହିପରି ମହାନଦୀ କୋଲ ଫିଲ୍ମ ଦ୍ବାରା ଖଣି କାର୍ଯ୍ୟ ପାଇଁ ବାୟୁ ପ୍ରଦୂଷଣ, ଜଳ ପ୍ରଦୂଷଣ ଆଦି ଦ୍ବାରା ଗ୍ରାମବାସୀ ଗଭୀର ଭାବେ ପ୍ରଭାବିତ ହେଉଛନ୍ତି । ଖରା ଦିନେ ଭୂତଳ ଜଳସ୍ତର କମିଯାଉଛି । ଦୁଇବର୍ଷ ହେଲା ଆରପିଡିଏସି ବୈଠକ ବସୁ ନାହିଁ । ଯାହା ଫଳରେ ସ୍ଥାନୀୟ ଲୋକଙ୍କ ଅଭିଯୋଗର ସମାଧାନ ହେଉନାହିଁ । କୃଷି କ୍ଷେତ୍ରରେ ପ୍ରଭୂତ କ୍ଷତି ଘଟୁଥିବାବେଳେ ଜଙ୍ଗଲ ବିଭାଗ ପକ୍ଷରୁ ହାତୀଙ୍କୁ ରୋକିବାକୁ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉନାହିଁ । କେବଳ ବାକିଥିବା ତାଙ୍କ ଗ୍ରାମକୁ ଏମ୍‌ସିଏଲ୍‌ ଅଧିଗ୍ରହଣ କରିନେଉ ବୋଲି ଗ୍ରାମବାସୀ ଦାବି କରିଛନ୍ତି । ସେମାନଙ୍କ ଜମି ଅଧଗ୍ରହଣ କରି ସରକାରୀ ନିୟମ ଅନୁସାରେ ଥଇଥାନ କରିବାକୁ ଦାବି ହୋଇଛି ।

ସେହିପରି ଯୋରନ୍ଦାରେ ଥିବା ବୃଦ୍ଧାଶ୍ରମରେ ୨୫ ଜଣ ଅନ୍ତେବାସୀ ରହୁଛନ୍ତି । ମହର୍ଷି ଦୟାନନ୍ଦ ସେବା ମିସନ ଦ୍ବାରା ବରିଷ୍ଠ ନାଗରିକ ଗୃହ ପରିଚାଳିତ ହେଉଛି । ଅନ୍ତେବାସୀମାନଙ୍କୁ ମୌଳିକ ସୁବିଧା ଯୋଗାଇବା ନିମନ୍ତେ ବୃଦ୍ଧାଶ୍ରମ ଚାଲୁଥିବା ଜମିକୁ ମହର୍ଷି ଦୟାନନ୍ଦ ସେବା ମିଶନ ନାମରେ କରିବାକୁ ମିଶନର ସେକ୍ରେଟାରୀ ଅନୁରୋଧ କରିଥିଲେ ।

ଅନୁଗୋଳରେ ପ୍ରାୟ ଅନେକ ସମୟରେ ହାତୀ ଆକ୍ରମଣରେ ଲୋକଙ୍କ ଧନଜୀବନ ନଷ୍ଟ ହେଉଛି ହେଲେ ବନ ବିଭାଗ ଏଥିପାଇଁ କୌଣସି ପଦକ୍ଷେପ ନେଉନଥିବା ଅଭିଯୋଗ କରିଥିଲେ ଲୋକେ । ସେହିପରି କନ୍ଧବାରେଣୀରେ ଥିବା ଆଶ୍ରମ ସ୍କୁଲରେ ଆବଶ୍ୟକ ଅନୁଯାୟୀ ଶିକ୍ଷକ ଯୋଗାଇବା, ବିଦ୍ୟାଳୟ ପରିସର ସଫା ରଖିବା ପାଇଁ ସୁଇପର ନିଯୁକ୍ତି ଓ ପିଲାଙ୍କ ସୁରକ୍ଷା ପାଇଁ ସିକ୍ୟୁରିଟି ଗାର୍ଡ ନିଯୁକ୍ତି କରିବାକୁ ଦାବି ହୋଇଛି । ଏହାସହ ଅନୁଗୁଳରେ ଥିବା ବାଜି ରାଉତ ଛାତ୍ରାବାସ ଚଳାଇବା ପାଇଁ ଆର୍ଥିକ ସହୟତା ପ୍ରଦାନ କରିବାକୁ ମଧ୍ୟ ଲୋକେ ଦାବି କରିଥିବା ରାଜ୍ୟପାଳ ଚିଠିରେ ଉଲ୍ଲେଖ କରିଛନ୍ତି ।

Leave A Reply

Your email address will not be published.