Latest Odisha News

BREAKING NEWS

ଖେରୁଆଲ ସେତୁ ପାର୍ଶ୍ୱରେ ହେବ ନବ ଦାସଙ୍କ ଅନ୍ତିମ ସଂସ୍କାର, ତିନି ଦିନିଆ ଶୋକ ଘୋଷଣା

ଭୁବନେଶ୍ୱର: ଝାରସୁଗୁଡ଼ା ବ୍ରଜରାଜନଗରରେ ରବିବାର ଗୁଳିମାଡ଼ରେ ପ୍ରାଣ ହରାଇଥିବା ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କ ଶେଷକୃତ୍ୟ ସମୟରେ ତାଙ୍କୁ ରାଷ୍ଟ୍ରୀୟ ମର୍ଯ୍ୟାଦା ଦିଆଯିବ। ରବିବାର ଓଡ଼ିଶା ସରକାର ଏହି ଘୋଷଣା କରିଛନ୍ତି। ସ୍ୱରାଷ୍ଟ୍ର ବିଭାଗର ସ୍ୱତନ୍ତ୍ର ସଚିବ ଏକ ପ୍ରେସ୍ ବିଜ୍ଞପ୍ତିରେ ଜାରି କରି ଏହି ସୂଚନା ଦେଇଛନ୍ତି। ଏଥିସହ ରାଜଧାନୀରେ ଜାତୀୟ ପତାକା ଅର୍ଦ୍ଧନମିତ ରହିବ। ଜାନୁଆରି 29ରୁ 31 ଯାଏ 3 ଦିନ ସାରା ରାଜ୍ୟରେ ଶୋକ ପାଳନ ହେବ। ଏହି ସମୟରେ କୌଣସି ସରକାରୀ ମନୋରଞ୍ଜନ କାର୍ଯ୍ୟକ୍ରମ ହେବ ନାହିଁ ବୋଲି କୁହାଯାଇଛି।

ମିଳିଥିବା ସୂଚନା ଅନୁଯାୟୀ, ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ପ୍ରାର୍ଥିବ ଶରୀର ଭୁବନେଶ୍ୱରଠାରୁ ଝାରସୁଗୁଡା ନିଆଯିବ। ପରେ ସରବାହାଲ ସ୍ଥିତ ତାଙ୍କ ବାସଭବନକୁ ମର ଶରୀର ନିଆଯିବ। ପୂର୍ବାହ୍ନ 11ଟାରେ ନବଙ୍କ ମର ଶରୀର ବାସଭବନରେ ପହଞ୍ଚିବ ବୋଲି ସୂଚନା ରହିଛି। ଏଠାରେ ଶେଷ ଦର୍ଶନ ପାଇଁ ବ୍ୟବସ୍ଥା ରହିଛି। ପରେ ଅନ୍ତିମ ଯାତ୍ରା ବେହେରମାଲରୁ ଆରମ୍ଭ ହୋଇ ସମ୍ବଲପୁର ଜିଲ୍ଲା ସୀମାନ୍ତ ଖେରୁଆଲ ଠାରେ ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ଅନ୍ତିମ ସଂସ୍କାର କରାଯିବ ବୋଲି ବିଜେଡି ପକ୍ଷରୁ କୁହାଯାଇଛି। ଏହି ସମୟରେ ରାଜ୍ୟର କ୍ୟାବିନେଟ ମନ୍ତ୍ରୀଙ୍କ ସମେତ ବିଭିନ୍ନ ନେତା ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।

ସଂସଦୀୟ ବ୍ୟାପାର, ଅର୍ଥ, କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପଶୁ ସମ୍ପଦ ବିକାଶ ଏବଂ ବାଣିଜ୍ୟ, ପରିବହନ, ଜଳସମ୍ପଦ ମନ୍ତ୍ରୀମାନେ ସରକାରଙ୍କ ତରଫରୁ ନବ ଦାସଙ୍କ ପାର୍ଥିବ ଶରୀରରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବେ ବୋଲି ସୂଚନା ରହିଛି। ଝାରସୁଗୁଡ଼ା ଏସପି ଅନ୍ତିମ ସଂସ୍କାର ସମୟରେ ରାଷ୍ଟ୍ରୀୟ ମର୍ଯ୍ୟାଦା ଅନୁଯାୟୀ ବ୍ୟବସ୍ଥା କରିବେ।

ସୂଚନାଯୋଗ୍ୟ, ରବିବାର ବ୍ରଜରାଜନଗରରେ ଏକ ସାଧାରଣ ସଭାରେ ଯୋଗଦେବାକୁ ଯାଇଥିବା ବେଳେ ଗାନ୍ଧୀଛକରେ ପୁଲିସ ଏଏସ୍ଆଇ ଗୋପାଳ ଦାସ ଅତି ନିକଟରୁ ନବ ଦାସଙ୍କ ଉପରକୁ ଗୁଳି ଚଳାଇବାରୁ ତାଙ୍କ ଛାତିରେ ଗୁଳି ବାଜିଥିଲା। ପରେ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ନବ ଦାସଙ୍କ ବିୟୋଗ ହୋଇଛି।

 

Leave A Reply

Your email address will not be published.