Latest Odisha News

BREAKING NEWS

ନବ ଦାସଙ୍କ ବିୟୋଗରେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କ ଶୋକ ପ୍ରକାଶ

ଝାରସୁଗୁଡା: ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ବିୟୋଗରେ ସାରା ରାଜ୍ୟ ସ୍ତବ୍ଧ ହୋଇଥିବା ବେଳେ ତାଙ୍କ ମୃତ୍ୟୁରେ ଅନେକ ବିଶିଷ୍ଟ ବ୍ୟକ୍ତି ଶୋକ ପ୍ରକାଶ କରିଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ରାଜ୍ୟପାଳ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଅଶ୍ୱିନୀ ବୈଷ୍ଭବ, ମନସୁଖ ମାଣ୍ଡଭ୍ୟ, ବାଚସ୍ପତି ପ୍ରମୁଖ ଶୋକ ପ୍ରକାଶ କରିଛନ୍ତି।

ରାଷ୍ଚ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କ ଶୋକ ବାର୍ତ୍ତାରେ କହିଛନ୍ତି, ହିଂସାରେ ଓଡ଼ିଶାର ସ୍ବାସ୍ଥ୍ୟମନ୍ତ୍ରୀଙ୍କ ମୃତ୍ୟୁ ଘଟିଛି। ଏଥିପାଇଁ ସେ ଦୁଃଖିତ ଓ ମର୍ମାହତ। ନବଙ୍କ ପରିବାର ବର୍ଗ ଓ ଶୁଭେଚ୍ଛୁଙ୍କୁ ରାଷ୍ଟ୍ରପତି ଏହି ଅବସରରେ ଗଭୀର ସମବେଦନା ଜଣାଇଛନ୍ତି।

ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟ୍ବିଟ୍ କରି ଲେଖିଛନ୍ତି, ‘ଓଡ଼ିଶା ସରକାରଙ୍କ ମନ୍ତ୍ରୀ ଶ୍ରୀ ନବ କିଶୋର ଦାସଙ୍କ ଦୁର୍ଭାଗ୍ୟଜନକ ଦେହାନ୍ତରେ ଦୁଃଖିତ । ଏହି ଦୁଃଖଦ ମୁହୂର୍ତ୍ତରେ ତାଙ୍କ ପରିବାରବର୍ଗଙ୍କୁ ସମବେଦନା । ଓଁ ଶାନ୍ତି।’

ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଶୋକ ପ୍ରକାଶ କରିବା ସହିତ ଶୋକ ସନ୍ତପ ପରିବାରବର୍ଗଙ୍କୁ ସମବେଦନା ଜଣାଇବା ସହିତ ଅମର ଆତ୍ମାର ସଦଗତି କାମନା କରିଛନ୍ତି।

ଧର୍ମେନ୍ଦ୍ର ପ୍ରଧାନ ଶୋକ ପ୍ରକାଶ କରି କହିଛନ୍ତି, ‘ଓଡ଼ିଶାର ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ବ୍ରଜରାଜନଗରରେ ଏକ କାର୍ଯ୍ୟକ୍ରମରେ ଯୋଗଦେବା ସମୟରେ ତାଙ୍କୁ ଗୁଳିମାଡ ପରେ ହସ୍ପିଟାଲରେ ସେ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ହେବା ଖବର ଶୁଣି ମୁଁ ଦୁଃଖିତ ଓ ମର୍ମାହତ । ତାଙ୍କ ସହ ଯେଉଁ ଭଳି ଘଟଣା ଘଟିଛି, ଏହା ମୋତେ ବ୍ୟଥିତ କରିଛି। ଜନପ୍ରତିନିଧି ଭାବରେ ତାଙ୍କର କାର୍ଯ୍ୟ ସ୍ମରଣୀୟ ହୋଇ ରହିବ । ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଉଛି । ଏହି ଦୁଃଖଦ ସମୟରେ ମହାପ୍ରଭୁ ଜଗନ୍ନାଥ ପରିବାର ବର୍ଗଙ୍କୁ ଅସୀମ ଧୈର୍ଯ୍ୟ ଓ ସାହସ ପ୍ରଦାନ କରନ୍ତୁ’।

ବାଚସ୍ପତି ବିକ୍ରମ କେଶରୀ ଆରୁଖ ମଧ୍ୟ କହିଛନ୍ତି, ଏହା ରାଜ୍ୟ ପାଇଁ ଅପୂରଣୀୟ କ୍ଷତି। ସେ ଜଣେ ଆଗ ଧାଡିର ନେତା ଥିଲେ। ତାଙ୍କ ବିୟୋଗ ସମଗ୍ର ପଶ୍ଚିମ ଓଡ଼ିଶା ତଥା ରାଜ୍ୟ ପାଇଁ କ୍ଷତି ପହଞ୍ଚାଇବ। ବାଚସ୍ପତି ଶୋକ ପ୍ରକାଶ କରିବା ସହିତ ଶୋକ ସନ୍ତପ ପରିବାର ବର୍ଗଙ୍କୁ ସମବେଦନା ଜଣାଇଛନ୍ତି।

କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭ୍ୟ ଓ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ମଧ୍ୟ ଏହି ଘଟଣାରେ ଦୁଃଖ ପ୍ରକାଶ କରିବା ସହିତ ଶୋକ ସନ୍ତପ ପରିବାର ବର୍ଗଙ୍କୁ ସମବେଦନା ଜଣାଇଛନ୍ତି।

 

Leave A Reply

Your email address will not be published.