Latest Odisha News

BREAKING NEWS

ଓଡ଼ିଶା ଶିକ୍ଷା ସେବା (ବିଦ୍ୟାଳୟ ଶାଖା)ର କ୍ୟାଡ଼ର ପୁନର୍ଗଠନକୁ କ୍ୟାବିନେଟ ମୋହର

ଭୁବନେଶ୍ୱର: ଓଡ଼ିଶା ଶିକ୍ଷା ସେବା (ବିଦ୍ୟାଳୟ ଶାଖା)ର କ୍ୟାଡ଼ର ପୁନର୍ଗଠନକୁ କ୍ୟାବିନେଟ ଅନୁମୋଦନ କରିଛି । ରାଜ୍ୟ ସରକାରଙ୍କ ଏହି କ୍ୟାବିନେଟ ମୋହର ଲାଗିବା ଫଳରେ ଶିକ୍ଷା ଅଧିକାରୀଙ୍କ ମଧ୍ୟରେ ଆନନ୍ଦର ଲହରୀ ଖେଳିଯାଇଛି ।

ଏଠାରେ ସୂଚନାଯୋଗ୍ୟ, ଶିକ୍ଷା କ୍ଷେତ୍ରରେ ଯୁବ ପ୍ରତିଭାମାନଙ୍କୁ ସାମିଲ କରି ଗୁଣାତ୍ମକ ଶିକ୍ଷା ସେବା ଲାଗି ୧୯୭୧ ମସିହାରେ ଓଡ଼ିଶା ଶିକ୍ଷା ସେବା ନିଯୁକ୍ତି ନିୟମ ପ୍ରଣୟନ କରି ଓଡ଼ିଶା ଲୋକ ସେବା ଆୟୋଗ ଦ୍ୱାରା ଶିକ୍ଷା ସେବା ଅଧିକାରୀମାନେ ନିଯୁକ୍ତ ହୋଇ ଆସୁଥିଲେ । ଇତିମଧ୍ୟରେ ୫୦ ବର୍ଷ ବିତିଯାଇଥିଲେ ମଧ୍ୟ କ୍ୟାଡ଼ର ରୁଲ ପ୍ରଣୟନ ହୋଇନଥିବାରୁ ଅଧିକାରୀମାନେ ଚାକିରୀ କ୍ଷେତ୍ରରେ ପଦୋନ୍ନତିରୁ ବଞ୍ଚିତ ହେଉଥିଲେ ।

ଏଥି ସକାଶେ ଦୀର୍ଘ ଦିନ ଧରି ଶିକ୍ଷାଧିକାରୀମାନେ ଦାବି କରି ଆସୁଥିଲେ । ଏପରିକି ୨୦୧୮ ନଭେମ୍ବର ମାସ ୨୬ ତାରିଖରୁ ସମୂହ ଛୁଟି ନେବାକୁ ନିଷ୍ପତ୍ତି ମଧ୍ୟ ଗ୍ରହଣ କରିଥିଲେ ରାଜ୍ୟର ଶିକ୍ଷାଧିକାରୀମାନେ ।

ରାଜ୍ୟ ସରକାର ଏହି ଶିକ୍ଷାଧିକାରୀଙ୍କ ଦାବିକୁ ହୃଦୟଙ୍ଗମ କରି ଏହି ଅଧିକାରୀଙ୍କ କ୍ୟାଡ଼ର ସଂଖ୍ୟା ୬୩୬ରୁ ୧୦୧୫କୁ ବୃଦ୍ଧି କରିଛନ୍ତି ।

ସରକାରଙ୍କ ଏହି ପଦକ୍ଷେପ ଲାଗି ଓଡ଼ିଶା ଶିକ୍ଷା ସେବା ସଂଘର ସଭାପତି ପ୍ରଦୀପ କୁମାର ନାୟକ ଓ ସାଧାରଣ ସମ୍ପାଦକ ଡକ୍ଟର ସନାତନ ପଣ୍ଡା ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ରାଜ୍ୟ ଅର୍ଥମନ୍ତ୍ରୀ, ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ, ରାଜ୍ୟ ମୁଖ୍ୟ ଶାସନ ସଚିବ ତଥା ବିଭାଗୀୟ ସଚିବଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି ।

Leave A Reply

Your email address will not be published.