Latest Odisha News

ଆଇଏମଡ଼ିର ପୂର୍ବାନୁମାନକୁ ଲକ୍ଷ୍ୟ ରଖି ସରକାର ପଦକ୍ଷେପ ଗ୍ରହଣ କରିବେ: ଏସଆରସି

ଭୁବନେଶ୍ୱର: ଭାରତୀୟ ପାଣିପାଗ ବିଭାଗ (ଆଇଏମଡି)ର ପୂର୍ବାନୁମାନ କ୍ରମେ ଓଡିଶା ସବୁ ପରିସ୍ଥିତି ପାଇଁ ପ୍ରସ୍ତୁତଥିବା ବୁଧବାର ଦିନ ଓଡିଶା ସରକାର ସୂଚନା ପ୍ରଦାନ କରିଛନ୍ତି ।

ଗଣମାଧ୍ୟମକୁ ସୂଚନାଦେଇ ସ୍ୱତନ୍ତ୍ର ରିଲିଫ କମିଶନର (ଏସଆରସି) ପ୍ରଦୀପ ଜେନା କହିଛନ୍ତି ଯେ, ଜାତୀୟ ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଅବପାତର ରୂପ ନେଇସାରିଛି । ଆଗାମୀ ୨୪ ଘଣ୍ଟା ମଧ୍ୟରେ ଏହା ଓଡିଶା ଉପକୂଳ ଦେଇ ଗତି କରିବ ବୋଲି ଆଇଏମଡି ପୂର୍ବାନୁମାନ କରିଛି ।

ସମ୍ଭାବ୍ୟ ପରିସ୍ଥିତି ଲାଗି ରାଜ୍ୟ ସରକାରଙ୍କ ଦ୍ଵାରା କରାଯାଇଥିବା ପ୍ରସ୍ତୁତି ସମ୍ପର୍କରେ ସୂଚନାଦେଇ ପ୍ରଦୀପ ଜେନା କହିଛନ୍ତି ଯେ, ସମସ୍ତ ଜିଲ୍ଲାର ଜିଲ୍ଲାପାଳଙ୍କ ସହ କୃଷି ବିଭାଗକୁ ସଜାଗ ରହିବାକୁ କୁହାଯାଇଛି । ମତ୍ସ୍ୟଜୀବୀ ମାନଙ୍କୁ ସମୁଦ୍ର ମଧ୍ୟକୁ ଯିବାକୁ ବାରଣ କରାଯାଇଛି । ସମୁଦ୍ର ମଧ୍ୟରେ ଥିବା ସମସ୍ତଙ୍କୁ ନଭେମ୍ବର ୭ ତାରିଖ ମଧ୍ୟରେ କୂଳକୁ ଫେରି ଆସିବାକୁ ପରାମର୍ଶ ଦିଆଯାଇଛି ।

ଆଇଏମଡିର ପୂର୍ବାନୁମାନ ଅନୁସାରେ ଏହି ଝାଡ଼ ଆସନ୍ତା ନଭେମ୍ବର ୯ ତାରିଖରେ ଅସ୍ତ୍ରରଙ୍ଗ ଉପକୂଳରୁ ପାଖାପାଖି ୧୭୦ କିମି, ୧୦ ତାରିଖରେ ପାରାଦ୍ୱୀପ ଉପକୂଳରୁ ୧୬୦ କିମି ଓ ୧୧ ତାରିଖରେ ଧାମରା ଉପକୂଳବର୍ତ୍ତି ପ୍ରାୟ ୧୪୦ କିମି ଦୂରରେ ଏହା ରହିବା ନେଇ ଏସଆରସି ସୂଚନା ପ୍ରଦାନ କରିଛି ।

ତେବେ ଆଗାମୀ ୧୦ରୁ ୧୧ ତାରିଖ ମଧ୍ୟରେ ଏହି ଘୁର୍ଣ୍ଣିବଳୟ ସ୍ଥଳଭାଗ ସ୍ପର୍ଶ କରିବା ନେଇ ଏସାରସି ସୂଚନା ଦେଇଛି । ମାତ୍ର ଆଇଏମଡିର ପୂର୍ବାନୁମାନ ଅନୁସାରେ ଏହା ଓଡିଶା ସ୍ଥଳଭାଗରେ ଅବତରଣ କରିବାର ସମ୍ଭାବନା ଯଥେଷ୍ଟ କମ୍ ରହିଛି ।

Comments are closed.