Latest Odisha News

ଅପରାହ୍ମ ସାଢ଼େ ୩ଟାରେ ଆସିବ ଅଗଷ୍ଟ ଗାଇଡଲାଇନ୍: କଣ ରହିବ ଖୋଲା ଓ କଣ ବନ୍ଦ ?

ଭୁବନେଶ୍ୱର: କୋଭିଡ୍ ମୁକାବିଲାରେ କଣ ରହିବ ଅଗଷ୍ଟ ମାସ ପାଇଁ ରଣନୀତି ? ଆଜି ଆସିବ ଗାଇଡଲାଇନ୍ । ଅପରାହ୍ଣ ସାଢ଼େ ୩ଟାରେ ପ୍ରେସ ବିବୃତ୍ତି ଜାରି କରିବେ ଉନ୍ନୟନ କମିଶନର ତଥା ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା । ଗାଇଡଲାଇନ୍ ବାବଦରେ ରାଜ୍ୟବାସୀଙ୍କୁ ସୂଚନା ଦେବେ । ବର୍ତ୍ତମାନର କରୋନା ସ୍ଥିତି, ସଂକ୍ରମଣ ହାର, ଟିକାକରଣ ଓ କୋଭିଡ୍ କଟକଣାକୁ ମାନଦଣ୍ଡ ଭାବରେ ବିଚାର କରି ସରକାର ଗାଇଡଲାଇନ୍ ପ୍ରସ୍ତୁତ କରିଥିବା ସୂଚନା ମିଳିଛି ।

ସମ୍ପୂର୍ଣ୍ଣ ଅନଲକ୍ ହେବନି ଓଡ଼ିଶା !
ଗତ ୧୬ ତାରିଖରେ ଘୋଷଣା ହୋଇଥିବା ଆଂଶିକ ଲକଡାଉନ୍ ତୁଳନାରେ ଏବେ ବି ରାଜ୍ୟରେ ଦୈନିକ ସଂକ୍ରମଣ ଆଖି ଦୃଶିଆ କମିନି । ସେତେବେଳେ ପାଖାପାଖି ୨ହଜାର କିମ୍ବା ତାଠୁ ଟିକେ ଅଧିକ ରହୁଥିଲା । ଏବେ ୧୫ଶହରୁ ୨ହଜାର ଭିତରେ ରହୁଛି ଦୈନିକ ସଂକ୍ରମଣ । ଯଦିଓ ରାଜ୍ୟରେ ଏବେ ପଜିଟିଭ୍ ହାର ୨.୦୪ ପ୍ରତିଶତ ରହିଛି । ପଜିଟିଭିଟିରେ ଓଡ଼ିଶା ଗ୍ରୀନ୍ ହୋଇଥିଲେ ବି ସମ୍ପୂର୍ଣ୍ଣ ଅନଲକ୍ କରିବା ସମ୍ଭାବନା କମ୍ ।

ବଳବତ୍ତର ରହିପାରେ କାଟାଗୋରୀ-A ଓ କାଟାଗୋରୀ-B ଜିଲ୍ଲା
ଅଗଷ୍ଟରେ ବି ରାଜ୍ୟକୁ ଦୁଇଟି ଭାଗ କାଟାଗୋରୀ-A ଓ କାଟାଗୋରୀ-Bରେ ବିଭକ୍ତ କରି କଟକଣା ଜାରି କରିପାରନ୍ତି ସରକାର । କାଟାଗୋରୀ-Aକୁ ଅଧିକ କୋହଳ କରିବେ । କାରଣ ଏହି ବର୍ଗରେ ଥିବା ୧୬ ଜିଲ୍ଲାରେ ପଜିଟିଭ୍ ହାର ୧ ପ୍ରତିଶତ ତଳେ ରହିଛି । ଅଗଷ୍ଟ ଗାଇଡଲାଇନରେ ସେସବୁ ଜିଲ୍ଲାକୁ ସମ୍ପୂର୍ଣ୍ଣ ଅନଲକ୍ କରାଯିବ ନା ପୁଣି ସାମାନ୍ୟ କଟକଣା ରହିବ ତାଉପରେ ନଜର ରହିଛି ।

କଟକଣା ସାମାନ୍ୟ ରହିଲେ ବି ମାର୍କେଟ ଖୋଲିବା ସମୟ ସୀମା ବଢ଼ାଇବେ ସରକାର । ସେସବୁ ଜିଲ୍ଲାରେ ନାଇଟକର୍ଫ୍ୟୁ ବଳବତ୍ତର ରହିପାରେ । କାଟାଗୋରୀ-A ଜିଲ୍ଲାରେ କଟକଣା ସହ ଖୋଲିପାରେ ମଲ୍, ସିନେମା ହଲ୍ । କାଟାଗୋରୀ-Bରେ ଥିବା ୧୦ ଜିଲ୍ଲାରୁ କିଛି କାଟାଗୋରୀ-Aକୁ ଯାଇ ପାରନ୍ତି ।

କାଟାଗୋରୀ-Bରେ କଟକଣା ରହିବ !
କାଟାଗୋରୀ-Bରେ ଖୋର୍ଦ୍ଧା, କଟକ, ବାଲେଶ୍ୱର, ଯାଜପୁର, ଜଗତସିଂହପୁର ଓ କେନ୍ଦ୍ରାପଡ଼ା ରହିପାରନ୍ତି । ଏସବୁ ଜିଲ୍ଲାରେ ଆକ୍ଟିଭ୍ କେସ୍ ଅଧିକ ଅଛି । ପଜିଟିଭ ହାର ବି ରହିଛି ୨ପ୍ରତିଶତ ଉପରେ । ଏହି ଜିଲ୍ଲାପାଇଁ କଣ ଆସିବ ନିଷ୍ପତ୍ତି ତାକୁ ଅପେକ୍ଷା ରହିଛି ।

କାଟାଗୋରୀ-Bରେ ଯେଉଁସବୁ ଜିଲ୍ଲା ଆସିବେ ଦୋକାନ ବଜାର ଖୋଲିବା ସମୟ ରାତି ୮ଯାଏ ବଢ଼ାଇ ପାରନ୍ତି ସରକାର । ପୂର୍ବଭଳି ଜାରି ରହିପାରେ ସପ୍ତାହାନ୍ତ ସଟଡାଉନ୍ । ବଢ଼ିପାରେ ନାଇଟ କର୍ଫ୍ୟ ଅବଧି । ମଲ୍, ସିନେମା ହଲ୍, ସୁଇମିଂ ପୁଲ୍ ଖୋଲିବ ନାହିଁ ।

ଏସବୁ କ୍ଷେତ୍ର ଉପରେ ନଜର
ଅଗଷ୍ଟରେ ବି ସର୍ବସାଧାରଣ ଦର୍ଶ ପାଇଁ ମନ୍ଦିର ବନ୍ଦ ରହିପାରେ । ଧାର୍ମିକ, ସାମାଜିକ, ରାଜନୈତିକ ଓ ସାଂସ୍କୃତିକ ସମାବେଶକୁ ମିଳିନପାରେ ଅନୁମତି । ବିବାହ, ବ୍ରତଘର ଓ ଶୁଦ୍ଧି କ୍ରିୟା ଗାଇଡଲାଇନରେ ପରିବର୍ତ୍ତନ କରିବେ କି ନାହିଁ ତାକୁ ଅପେକ୍ଷା । ରାଜ୍ୟ ରାଜ୍ୟ ଭିତରେ ବସ୍ ଚଳାଚଳ, ହୋଟେଲ ଓ ରେଷ୍ଟୁରାଣ୍ଟରେ ବସି ଖାଇବାକୁ ଅନୁମତି ଦେବେ କି ନାହିଁ ନଜର ରହିଛି । ଯାତ୍ରା, ଅପେରା ପରିବେଷଣ ପାଇଁ କି ନିର୍ଦ୍ଦେଶ ଆସୁଛି ? ଆଜି ସାଢ଼େ ୩ଟା ପରେ ସରକାରଙ୍କ ଘୋଷଣାକୁ ସମସ୍ତଙ୍କ ଅପେକ୍ଷା ରହିଛି ।

Leave A Reply

Your email address will not be published.