Latest Odisha News

BREAKING NEWS

ନଦୀଶଯ୍ୟା ଓ ସଇରାତରୁ ବାଲି ଉଠାଣକୁ ଶୃଙ୍ଖଳିତ ଓ ଆଇନ୍‌କୁ କଡ଼ାକଡ଼ି ଭାବେ ଲାଗୁ କରିବା ପାଇଁ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର : ରାଜ୍ୟର ବିଭିନ୍ନ ନଦୀଶଯ୍ୟା ଏବଂ ସଇରାତ ଉସିରୁ ବାଲି ଖନନ କାର୍ଯ୍ୟକୁ ନିୟନ୍ତ୍ରିତ ଓ ଶୃଙ୍ଖଳିତ କରିବା ପାଇଁ ସରକାର ନୂତନ ପ୍ରଚେଷ୍ଟା ଆରମ୍ଭ କରିଛନ୍ତି । ଏଥି ନିମନ୍ତେ ଏକ ସ୍ୱତନ୍ତ୍ର ମାର୍ଗ ଦର୍ଶିକା ପ୍ରସ୍ତୁତ ପାଇଁ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ଆଜି ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ସଚିବାଳୟଠାରେ ଅନୁଷ୍ଠିତ ଏହି ବୈଠକରେ ମାର୍ଗ ଦର୍ଶିକାରେ ସନ୍ନିବଶିତ ହେବାକୁ ଥିବା ବିଭିନ୍ନ ଦିଗ ବିଷୟରେ ବିସ୍ତୃତ ଆଲୋଚନା ହୋଇଥିଲା । ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପ୍ରମୁଖ ଶାସନ ସଚିବ ଡ଼ଃ ଚନ୍ଦ୍ରଶେଖର କୁମାର ମାର୍ଗ ଦର୍ଶିକାର ଏକ ଚିଠା ପ୍ରସ୍ତାବ ଆଲୋଚନା ପାଇଁ ଉପସ୍ଥାପନ କରିଥିଲେ ।

ବେଆଇନ୍‌ ବାଲି ଖନନ ଓ ବାଲି ଚୋରି ବନ୍ଦ କରିବା ପାଇଁ ଲଘୁ ଖଣିଜ ଦ୍ରବ୍ୟ ଉତ୍ତୋଳନ ଆଇନ୍‌ ସହ ସାଧାରଣ ଆଇନ୍‌ ଶୃଙ୍ଖଳା ନିତୀନିୟମକୁ କଡ଼ାକଡ଼ି ଭାବେ ଲାଗୁ କରିବା ନିମନ୍ତେ ମୁଖ୍ୟ ଶାସନ ସଚିବ ଶ୍ରୀ ପାଢ଼ୀ ପୋଲିସ ବିଭାଗଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏ ଦିଗରେ ପୋଲିସକୁ ଆବଶ୍ୟକୀୟ ତଥ୍ୟ ଓ ସହଯୋଗ ଯୋଗାଇବା ପାଇଁ ଜିଲ୍ଲାପାଳ, ରାଜସ୍ୱ ଓ ଜଳ ସଂପଦ ବିଭାଗର ଅଧିକାରୀ ମାନଙ୍କୁ ମଧ୍ୟ ଶ୍ରୀ ପାଢ଼ୀ ନିର୍ଦ୍ଦେଶ ଦେଇଥିଲେ ।

ରାଜ୍ୟର ବିଭିନ୍ନ ନଦୀ ଶଯ୍ୟାରେ ଥିବା ବଡ଼ ବଡ଼ ବାଲି ଖନନ ଯୋଗ୍ୟ ଉସିକୁ ସାଟେଲାଇଟ୍‌ ଓ ରିମୋଟ୍‌ ସେନ୍‌ସିଂ ପଦ୍ଧତି ମାଧ୍ୟମରେ ଚିହ୍ନଟ କରିବା ପାଇଁ ବୈଠକରେ ସ୍ଥିର ହୋଇଥିଲା । ଏ ଦିଗରେ ତ୍ୱରିତ ପଦକ୍ଷେପ ନେଇ ନିର୍ଦ୍ଧାରିତ ସମୟ ମଧ୍ୟରେ ଚିହ୍ନଟ କାର୍ଯ୍ୟ ସାରିବା ପାଇଁ ମୁଖ୍ୟ ଶାସନ ସଚିବ ଓଡ଼ିଶା ମହାକାଶ ଉପଯୋଗିତା କେନ୍ଦ୍ର (ଓରସାକ୍‌) ଙ୍କୁ ନିର୍ଦ୍ଦେଶ ଦେଇଥିଲେ । ବିଭିନ୍ନ ଉନ୍ନୟନ ମୂଳକ ଏବଂ ଭିତ୍ତିଭୂମୀ ଉନ୍ନୟନ କାର୍ଯ୍ୟ ପାଇଁ ଆବଶ୍ୟକୀୟ ବାଲି ଯୋଗାଣ, ଗ୍ରାମୀଣ ଗୃହ ନିର୍ମାଣ ପାଇଁ ବାଲି ଯୋଗାଣ, ବେଆଇନ୍‌ ବାଲି ଖନନକୁ ଦୃଢ଼ ଦମନ, ବାଲି ଖନନକୁ ନଦୀ ଶଯ୍ୟା ଓ ତତ୍‌ ସଂଲଗ୍ନ ଭିତ୍ତିଭୂମୀ ପାଇଁ ନିରାପଦ କରିବା, ବାଲିର ଆବଶ୍ୟକତା ଏବଂ ଯୋଗାଣ ଭିତରେ ସନ୍ତୁଳନ ରଖିବା, ସମସ୍ତ ବାଲି ସଇରାତର ଚିହ୍ନଟ କରିବା, କେଉଁ ଉସିରୁ କେତେ ବାଲି ଉତ୍ତୋଳନ ଉଚ୍ଚିତ ତାର ଆକଳନ କରିବା, ଏଥି ପାଇଁ ପରିବେଶ ଓ ଅନ୍ୟାନ୍ୟ ବୈଧାନିକ ସ୍ୱୀକୃତି ଆଦି ବିଷୟରେ ବୈଠକରେ ଆଲୋଚନା ହୋଇଥିଲା ।

ବୈଠକରୁ ମିଳିଥିବା ବିଭିନ୍ନ ପରାମର୍ଶ ଗୁଡିକୁ ସନ୍ନିବେଶିତ କରି ନୂତନ ନିୟାମକର ରୂପରେଖ ପ୍ରସ୍ତୁତ କରିବା ପାଇଁ ମୁଖ୍ୟ ଶାସନ ସଚିବ ବିଭାଗଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

ଉନ୍ନୟନ କମିଶନର ଆର୍‌.ବାଲାକ୍ରିଷ୍ଣନ୍‌, ଜଙ୍ଗଲ ଓ ପରିବେଶ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ଇସ୍ପାତ୍‌ ଓ ଖଣି ଅତିରିକ୍ତ ମୁଖ୍ୟ ଶାସନ ସଚିବ ରାଜ କୁମାର ଶର୍ମା, ଜଳ ସଂପଦ ବିଭାଗ ପ୍ରମୁଖ ଶାସନ ସଚିବ ପ୍ରଦୀପ କୁମାର ଜେନା, ଗ୍ରାମ ଉନ୍ନୟନ ବିଭାଗ ପ୍ରମୁଖ ଶାସନ ସଚିବ ଡ଼ଃ ମୋନା ଶର୍ମା, ବାଣିଜ୍ୟ ଓ ପରିବହନ ବିଭାଗ ପ୍ରମୁଖ ଶାସନ ସଚିବ ମନୋଜ ମିଶ୍ର, ପ୍ରଦୁ୍ୟଷଣ ନିୟନ୍ତ୍ରଣ ବୋର୍ଡର ସଦସ୍ୟ ଦେବୀଦତ୍ତ ବିଶ୍ୱାଳଙ୍କ ସମେତ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀ ମାନେ ବୈଠକର ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

Leave A Reply

Your email address will not be published.