Latest Odisha News

BREAKING NEWS

ନୀଳାଦ୍ରି ବିଜେ: ମହାପ୍ରଭୁଙ୍କ ପତ୍ନୀପ୍ରେମର ନିଚ୍ଛକ ଉଦାହରଣ

ଭାରତୀୟ ପୁରାଣ ଶାସ୍ତ୍ରରେ ମହାଲକ୍ଷ୍ମୀ ହେଲେ ଜଣେ ଦେବୀ । କିନ୍ତୁ ଶ୍ରୀକ୍ଷେତ୍ର ଶ୍ରୀମନ୍ଦିରର ଲକ୍ଷ୍ମୀ ସାଆନ୍ତାଣୀ ହେଲେ ପ୍ରଥମେ ଜଣେ ପତ୍ନୀ ଓ ପରେ ଦେବୀ । ଏଠାରେ ମହାଲକ୍ଷ୍ମୀଙ୍କର ତାଙ୍କ ସ୍ୱାମୀ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପ୍ରତି ସବୁପ୍ରକାର ମାନ, ଅଭିମାନ, ସୋହାଗ, ପ୍ରେମ, ପ୍ରୀତି ପରି ଜଣେ ସାଧାରଣ ଓଡ଼ିଆ ଗୃହିଣୀ ପରି ଲକ୍ଷଣ ମାନ ମହାଲକ୍ଷ୍ମୀଙ୍କ ଠାରେ ପରିଦୃଷ୍ଟ ହୋଇଥାଏ ।

ମହାଲକ୍ଷ୍ମୀଙ୍କର ଏହି ସବୁ ଓଡ଼ିଆଣୀ ଚାରିତ୍ରିକ ବୈଶିଷ୍ଟ୍ୟ ଫୁଟାଇବା ଲାଗି ମନ୍ଦିର ପରିସରରେ ରହିଛି ଲକ୍ଷ୍ମୀ ସାଆନ୍ତାଣୀଙ୍କ ରୋଷଶାଳା, ଚାହାଣୀ ମଣ୍ଡପ, ଭେଟ ମଣ୍ଡପ, ଲକ୍ଷ୍ମୀ ମନ୍ଦିର, ରତ୍ନ ସିଂହାସନ ଇତ୍ୟାଦି । ଶ୍ରୀ ଅର୍ଥାତ ଲକ୍ଷ୍ମୀ । ଏହି ମନ୍ଦିରଟି ସ୍ୱୟଂ ମହାଲକ୍ଷ୍ମୀଙ୍କର ନାମରେ ରହିଛି । ଲକ୍ଷ୍ମୀ ସାଆନ୍ତାଣୀଙ୍କ ଏକ ଉଚ୍ଚ ସୁବର୍ଣ୍ଣ ପ୍ରତିମା ମଧ୍ୟ ଶ୍ରୀମନ୍ଦିରରେ ରହିଛି । ସିଂହଦ୍ୱାର ସଂଲଗ୍ନ ଗୁମୁଟ ଉପରେ ମଧ୍ୟ ଶୋଭା ପାଉଛି ଏକ ଲକ୍ଷ୍ମୀ ଭାସ୍କର୍ଯ୍ୟ । ତେଣୁ ମହାଲକ୍ଷ୍ମୀଙ୍କ ଓଡ଼ିଆଣୀ ଘରଣୀର ଚାଲିଚଳଣ ଏହି ଶ୍ରୀମନ୍ଦିରରେ ପରିପୃଷ୍ଟ ହୋଇଥାଏ ।

ମହାପ୍ରଭୁ ଲକ୍ଷ୍ମୀ ସାଆନ୍ତାଣୀଙ୍କ ନିଜ ହାତର ତିଆରି ପୋଡ଼ପିଠା ଟିକେ ଖାଇବାକୁ ବହୁତ ଭଲ ପାଇଥାଆନ୍ତି । ତେଣୁ ମହାଲକ୍ଷ୍ମୀ ତାଙ୍କର ସ୍ୱାମୀଙ୍କ ମନକଥା ଜାଣିପାରି ଭୋଜନରେ ଶେଷରେ ପୋଡ଼ପିଠାଟିଏ ଖାଇବାକୁ ଦେଇଥାଆନ୍ତି । ତେଣୁ ଏବେ ମଧ୍ୟ ରାତ୍ରି ଭୋଜନରେ ମହାପ୍ରଭୁଙ୍କୁ ଅର୍ପଣ ହୋଇଥାଏ ପୋଡ଼ପିଠା ।

ଶ୍ରୀମନ୍ଦିରରେ ଏହିସବୁ ଓଡ଼ିଆ ପାରମ୍ପରିକ ରୀତିନୀତି ଦେଖିଲେ ଶ୍ରୀମହାଲକ୍ଷ୍ମୀ ଓ ଶ୍ରୀଜଗନ୍ନାଥଙ୍କ ଯାତ୍ରା ପରବର୍ତ୍ତୀ ସମୟରେ ସମ୍ପର୍କ ଅତ୍ୟନ୍ତ ମଧୁର ଓ ସାଧାରଣ ଓଡ଼ିଆ ପତି-ପତ୍ନୀଙ୍କ ପରି ସୁଖ ମଧୁର ଦାମ୍ପତ୍ୟ ଜୀବନ ଯାପନ କରିଥାଆନ୍ତି ।

ରଥଯାତ୍ରାରେ ଭାଇ ଭଉଣୀଙ୍କ ସହିତ ମାଉସୀ ଘରେ ପିଠା ପଣା ମିଠା ଖାଇ ବେଶ୍ ମଉଜ ମଜଲିସ କରିଥିଲେ ମହାପ୍ରଭୁ । ପତ୍ନୀଙ୍କ ରାଗ ଅଭିମାନ ରୋଷ ଦେଖି ଶିଘ୍ର ବାହୁଡ଼ି ଆସିଲେ ଶ୍ରୀଜଗନ୍ନାଥ । ସୁନାବେଶରେ ସଜ୍ଜେଇ ହୋଇ ମଧୁର ଅଧରପଣା ପିଇ ମହାପ୍ରଭୁ ଶ୍ରୀମନ୍ଦିର ସାମ୍ନାରେ ଅଟକିଗଲେ । ମହାଲକ୍ଷ୍ମୀ କିନ୍ତୁ ଅଭିମାନରେ ସିଂହଦ୍ୱାର ଖୋଲୁନାହାନ୍ତି । ମହାପ୍ରଭୁ ରୋଷକଷାୟିତା ଲକ୍ଷ୍ମୀଙ୍କର ସମ୍ମୁଖୀନ ହୁଅନ୍ତି । କିନ୍ତୁ ଏ’କଣ ମହାପ୍ରଭୁଙ୍କ ଦ୍ୱାର ବନ୍ଦ ହୋଇଯାଏ । ପ୍ରତିଶୃତି ଭଙ୍ଗ କରିଥିବା ଶ୍ରୀଜଗନ୍ନାଥଙ୍କୁ ଯଥାଯୁଥ ଶାସ୍ତି ଦେବାକୁ ଲକ୍ଷ୍ମୀ କିଳି ଦିଅନ୍ତି ମନ୍ଦିର କବାଟ ।

ଯେମିତି ଓଡ଼ିଆ ଘରେ ଘରେ ହୋଇଥା ପତି-ପତ୍ନୀ କଜିଆ ଓ କଥାକଟି ସେହିପରି ଦୁହିଁଙ୍କ ମଧ୍ୟରେ ହୁଏ କଥା କଟାକଟି । ଏହି ରୀତି ଲକ୍ଷ୍ମୀ-ନାରାୟଣ କଳି ରୂପେ ପ୍ରସିଦ୍ଧ । କଜିଆରୁ ବଢେ ପ୍ରେମ ସୋହାଗ ଏହା ମହାପ୍ରଭୁ ସମସ୍ତଙ୍କୁ ସୁନ୍ଦର ମାନବୀୟ ଲୀଳାରେ ବଡ଼ଦାଣ୍ଡରେ ଦେଖାଇଛନ୍ତି ।

ଲକ୍ଷ୍ମୀ ସାଆନ୍ତାଣୀଙ୍କ ଉଦ୍ଦେଶ୍ୟରେ ଶ୍ରୀଜଗନ୍ନାଥ ଏକ ଗୀତ ଗାଆନ୍ତି :-

“ ତୁମ୍ଭ ନାରୀଙ୍କ ନିଷ୍ଠୁର ହିଆ ଗୋ
ଆମଠାରେ ନାହିଁ ତୁମ୍ଭ ଦୟା ଗୋ
କେେତେ କଷ୍ଟ ସହିଲାଣି କାୟା ଗୋଟ୍ଟ… ”

ସେହିପରି ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ଲକ୍ଷ୍ମୀଙ୍କ ଗୀତ:-
“ଆୟ ଅଳଙ୍କାର ଯେତକ ବେଭାର
ସୁଭଦ୍ରାଙ୍କୁ ସଜ କରହେ…
ଅଳଙ୍କାରେ ନାହିଁ ଆମ ପ୍ରିୟ ହେ
ତୁମ୍ଭ ଭଉଣୀ ହସ୍ତରେ ଦିଅ ହେ
ତାଙ୍କୁ ଘେନି ଯାତ୍ରା କରୁଥାଅ ହେ… ”

 

 

ଏହିପରି ଦେବ ପତି-ପତ୍ନୀଙ୍କ ମଧ୍ୟରେ ବେଶ୍ କିଛି ସମୟ କଥା କଟାକଟି ଚାଲେ । ମହାପ୍ରଭୁ ପଟାଇବାରେ କିନ୍ତୁ ଧୁରନ୍ଧର । ମାନିନୀ ଲକ୍ଷ୍ମୀ ସାଆନ୍ତାଣୀଙ୍କ ମାନଭଞ୍ଜନ ପାଇଁ ମହାପ୍ରଭୁ ଶ୍ରୀଜଗନ୍ନାଥ ଗୋଟିଏ କୁଡୁଆରେ ରସଗୋଲା ଉପହାର ଦିଅନ୍ତି । ଅଶ୍ରୁ ଛଳଛଳ ମହାଲକ୍ଷ୍ମୀ ପ୍ରିୟତମଙ୍କର ସୁସ୍ୱାଦୁ ରସଗୋଲା ଗ୍ରହଣ କରନ୍ତି, ଶେଷରେ ସ୍ୱାମୀଙ୍କୁ ଘରେ ପଶିବାକୁ କବାଟ ଖୋଲନ୍ତି । ସ୍ୱାମୀଙ୍କୁ ମହାଲକ୍ଷ୍ମୀ ମନ୍ଦିର ଭିତରକୁ ସସମ୍ମାନେ ପାଛୋଟି ନେଇ ସେବାରେ ଲାଗିପଡ଼ନ୍ତି ।

Leave A Reply

Your email address will not be published.