Latest Odisha News

ହାଇକୋର୍ଟରେ ଗୋଟିଏ ଦିନରେ ୩୨ଟି ମାମଲାର ରାୟ ଶୁଣାଇଲେ ବିଚାରପତି

ଓଡ଼ିଶା ସମ୍ବାଦ ବ୍ୟୁରୋ: ସୁପ୍ରିମକୋର୍ଟ ଏବେ ଅନେକ ପଡି ରହିଥିବା ମାମଲାର ଶୁଣାଣି କରିବାକୁ ଯାଇ ‘ଫାଷ୍ଟ ଟ୍ରାକ’ କୋର୍ଟ ଭଳି ଶୁଣାଣି କରୁଛନ୍ତି। ଦେଶର ଅନେକ ମାମଲା ପଡିଥିବା ବେଳେ ସୁପ୍ରିମକୋର୍ଟଙ୍କ ଏପରି କାର୍ଯ୍ୟଧାରାକୁ ଅନେକ ପ୍ରଶଂସା କରୁଛନ୍ତି। ଏବେ ଏହି ଧାରାରେ ଯୋଡି ହୋଇଛି ଓଡିଶା ହାଇକୋର୍ଟ। ହାଇକୋର୍ଟର ବରିଷ୍ଠ ବିଚାରପତି ଗୋଟିଏ ଦିନରେ ୫-୬ ମାମଲା ନୁହେଁ ବରଂ ୩୨ଟି ମାମଲାର ଶୁଣାଣି କରିଛନ୍ତି।

ଓଡ଼ିଶା ହାଇକୋର୍ଟରେ ଏବେ ୧.୭୨ ଲକ୍ଷ ମାମଲା ବିଚାରାଧୀନ ଅଛି। ଯଦି ସମସ୍ତ ହାଇକୋର୍ଟରେ ଥିବା ମାମଲାକୁ ଏକାଠି କରାଯିବ ତାହେଲେ ପ୍ରାୟ ୬୦ ଲକ୍ଷ ମାମଲା ବିଚାରାଧୀନ ରହିଛି।

ହିନ୍ଦୁସ୍ତାନ ଟାଇମ୍ସରେ ପ୍ରକାଶିତ ଖବର ଅନୁଯାୟୀ, ସୋମବାର ଜଷ୍ଟିସ ଦେବବ୍ରତ ଦାସଙ୍କ ନେତୃତ୍ୱରେ ଜଣିକିଆ ଖଣ୍ଡପୀଠ ୩୨ଟି ମାମଲାରେ ରାୟ ଶୁଣାଇଥିଲେ। ଏଥିମଧ୍ୟରୁ ଅଧିକାଂଶ ମାମଲା ତଳ କୋର୍ଟରେ ହୋଇଥିବା ନିଷ୍ପତ୍ତିକୁ ଚ୍ୟାଲେଞ୍ଜ ହୋଇଥିଲା। ସେହିପରି ଏହି ମାମଲା ମଧ୍ୟରୁ କିଛି ୧୯୮୮ ଓ ୧୯୯୦ ମସିହାର ଥିଲା।

ମିଳିଥିବା ସୂଚନା ଅନୁଯାୟୀ, ସେପ୍ଟେମ୍ବର ୨୩ ସୁଦ୍ଧା ହାଇକୋର୍ଟରେ ୧.୭୨ ଲକ୍ଷ ମାମଲା ବିଚାରାଧୀନ ରହିଛି। ସେଥିମଧ୍ୟରୁ ୬୭ ହଜାରରୁ ଅଧିକ ମାମଲା ସିଭିଲ୍ ଲିଟ୍ ଆବେଦନ ସମ୍ବନ୍ଧୀୟ। ପ୍ରାୟ ୨୦ ହଜାର ଅପରାଧିକ ମାମଲା ବିଚାରାଧୀନ ରହିଛି।

ଚଳିତ ବର୍ଷ ଅଗଷ୍ଟରେ କେନ୍ଦ୍ର ଆଇନମନ୍ତ୍ରୀ କିରଣ ରିଜିଜୁ ରାଜ୍ୟସଭାରେ କହିଥିଲେ ଯେ ଦେଶର ୨୫ଟି ହାଇକୋର୍ଟରେ ପ୍ରାୟ ୫୯.୫ ଲକ୍ଷ ମାମଲା ବିଚାରାଧୀନ ଥିବାବେଳେ ତଳ କୋର୍ଟରେ ୪.୧୩ କୋଟି ମାମଲା ବିଚାରାଧୀନ ରହିଛି । ସେହିପରି ସୁପ୍ରିମକୋର୍ଟରେ ୭୧ ହଜାରରୁ ରୁ ଅଧିକ ମାମଲା ବିଚାରାଧୀନ ରହିଛି।

Leave A Reply

Your email address will not be published.