Latest Odisha News

BREAKING NEWS

ବିଶ୍ବସ୍ତ ହୋଇ ଦଳରେ ବିଦ୍ରୋହ କଲେ ଗେହଲଟ୍, ହତବାକ ଗାନ୍ଧୀ ପରିବାର

ନୂଆଦିଲ୍ଲୀ : ବିଜେପି ୨୦୧୪ରେ କ୍ଷମତାକୁ ଆସିବା ପରଠୁ ଦେଶର ସର୍ବ ପୁରାତନ ରାଜନୈତିକ ଦଳ କଂଗ୍ରେସ ପର୍ଯ୍ୟାୟକ୍ରମେ ଦୁର୍ବଳ ହୋଇ ଚାଲିଛି।୨୦୧୮ରେ ହିନ୍ଦୀ ହାର୍ଟଲ୍ୟାଣ୍ଡ (ରାଜସ୍ଥାନ, ମଧ୍ୟପ୍ରଦେଶ ଏବଂ ଛତିଶଗଡ) ବିଧାନସଭା ନିର୍ବାଚନରେ କଂଗ୍ରେସ ବିଜୟୀ ହେବା ପରେ ଆଉ ଦଳ ସେମିତି କୌଣସି ସଫଳତା ପାଇ ନାହିଁ। ଏବେ ୨୦୨୩ରେ ସମାନ ତିନି ରାଜ୍ୟରେ ବିଧାନସଭା ନିର୍ବାଚନ ରହିଛି। ଏହା ପୂର୍ବରୁ କଂଗ୍ରେସର ଗଡ ରକ୍ଷା କରୁଥିବା ଅନେକ ନେତା ଦଳ ଛାଡି ପଦ୍ମ ପୋଖରୀରେ ବୁଡ ପକାଇ କଂଗ୍ରେସ ଭୋଟ୍ ବ୍ଯାଙ୍କକୁ ଦୁର୍ବଳ କରି ସାରିଲେଣି।

ମଧ୍ୟପ୍ରଦେଶର ମହାରାଜା ଜ୍ୟୋତିରାଦିତ୍ୟ ସିନ୍ଧିଆ, ୟୁୁପିର ବ୍ରାହ୍ମଣ ଚେହେରା ଭାବେ ବଡ ନେତା କୁହାଯାଉଥିବା ଜିତିନ ପ୍ରସାଦ, ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ, ପୂର୍ବତନ କେନ୍ଦ୍ରମନ୍ତ୍ରୀ କପିଲ ଶିବଲ, ଜମ୍ମୁ କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଗୁଲାମ ନବୀ ଆଜାଦ ଏବଂ ଆସାମର ସୁଷ୍ମିତା ଦେବ ସମେତ ଅନେକ ବଡ ନେତା ତଥା ଏକଦା ଗାନ୍ଧୀ ପରିବାରର ବିଶ୍ୱସ୍ତ ନେତା କଂଗ୍ରେସ ଛାଡି ସାରିଛନ୍ତି। ଏମାନେ ଦଳ ଛାଡିବାର ପ୍ରମୁଖ କାରଣ ଦଳରେ କୋଣଠେସା ହେବା ଅବା କ୍ଷମତା ଲୋଭରେ ଅନ୍ୟ ଶିବିରକୁ ଡିଆଁ ମାରିବା।

ଏମାନଙ୍କ ମଧ୍ୟରେ ଗୁଲାମ ନବୀ ଆଜାଦ ଜମ୍ମୁ କଶ୍ମୀରରେ ‘ଡେମୋକ୍ରାଟିକ ଆଜାଦ’ ନାମରେ ରାଜନୈତିକ ଦଳ ଗଢ଼ିଥିବା ବେଳେ ଅମରିନ୍ଦର ସିଂହ ଗଢିଥିବା ନୂଆ ଦଳକୁ ବିଜେପି ସହିତ ମିଶାଇ ଦେଇଛନ୍ତି। ସେହିପରି ସୁଷ୍ମିତା ଦେବ ଟିଏମସିରେ ସାମିଲ ହୋଇଛନ୍ତି। ଆଉ ଅନ୍ୟ ନେତା ଗେରୁଆ ଶିବିରରେ ସାମିଲ ହୋଇଛନ୍ତି ।

ଏବେ ଦେଖାଦେଇଥିବା ରାଜସ୍ଥାନ ରାଜନୀତିରେ ଯଦିଓ କେହି ଦଳ ଛାଡି ନାହାନ୍ତି କିନ୍ତୁ ଯେଉଁ ଘଟଣାକ୍ରମ ଦେଖିବାକୁ ମିିଳିଛି ତାହା ଗାନ୍ଧୀ ପରିବାରକୁ ଝଟକା ଦେଇଛି। ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଦଳ ଛାଡି ନାହାନ୍ତି କି ବିରୋଧୀ ଶିବିରରେ ଯୋଗ ଦେଇ ନାହାନ୍ତି । ହେଲେ ଯେଉଁ ସମୟରେ କଂଗ୍ରେସ ପୂର୍ବତନ ଅଧ୍ଯକ୍ଷ ରାହୁଲ ଗାନ୍ଧୀଙ୍କ ନେତୃତ୍ବରେ ଭାରତ ଯୋଡ ଯାତ୍ରା କରୁଛି ସେହି ସମୟରେ ଗେହଲଟ କ୍ଷମତାକୁ ନେଇ ଦଳୀୟ ହାଇକମାଣ୍ଡଙ୍କ ନିକଟରେ ମୁଲଚାଲ କରୁଛନ୍ତି । ଯାହା ରାଜସ୍ଥାନ କଂଗ୍ରେସକୁ ମଜବୁତ କରିବା ପରିବର୍ତ୍ତେ ବିପର୍ଯ୍ୟୟ ଆଣିପାରେ। ଏଥିସହ ତାଙ୍କର ପ୍ରତିଦ୍ବନ୍ଦୀ ସଚିନ ପାଇଲଟଙ୍କୁ ଦଳ ବିରୋଧୀ କାମ ପାଇଁ ପରୋକ୍ଷରେ ଉସକାଇପାରେ। ଯାହା ମଧ୍ୟପ୍ରଦେଶରେ କ୍ଷମତାକୁ ନେଇ କମଲନାଥ ଏବଂ ସିନ୍ଧିଆଙ୍କ ମଧ୍ୟରେ ଘଟିଥିଲା। ପଞ୍ଜାବରେ ଅମରିନ୍ଦର ସିଂହ ଏବଂ ନବଜୋତ ସିଂ ସିଦ୍ଧୁଙ୍କ ମଧ୍ୟରେ ଘଟିଥିଲା।

ସର୍ବଦା ଥିଲେ ବିଶ୍ଵସ୍ତ, ଠିକ୍ ସମୟରେ କଲେ ବିଦ୍ରୋହ

ଅଶୋକ ଗେହଲଟ୍ ସର୍ବଦା କଂଗ୍ରେସ ଛାଡୁଥିବା ନେତାଙ୍କୁ ଶାଣିତ ସ୍ଵରରେ ସମାଲୋଚନା କରି ଆସିଛନ୍ତି। ନିକଟରେ ଗୁଲାମ ନବୀ ଆଜାଦଙ୍କୁ ଟାର୍ଗେଟ୍ କରି ଗେହଲଟ୍ କହିଥିଲେ, କଂଗ୍ରେସ ତାଙ୍କୁ ସବୁ କିଛି ଦେଇଥିଲା, ତଥାପି ସେ ଏମିତି ପଦକ୍ଷେପ ନେବା ଦୁର୍ଭାଗ୍ୟଜନକ। ଗେହଲଟଙ୍କ ଛବି ସର୍ବଦା ପାର୍ଟି ଏବଂ ଗାନ୍ଧୀ ପରିବାର ପ୍ରତି ବିଶ୍ଵସ୍ତ ରହି ଆସିଛି। ଇନ୍ଦିରାଙ୍କ ସମୟଠୁ ନେଇ ଅଦ୍ୟାବଧି ସେ ଗାନ୍ଧୀ ପରିବାରର ଘନିଷ୍ଠ ରହିଛନ୍ତି। ଅନ୍ୟ ନେତାଙ୍କ ତୁଳନାରେ ରାହୁଲ ଗାନ୍ଧୀ ଏବଂ ପ୍ରିୟଙ୍କା ଗାନ୍ଧୀଙ୍କ ସହ ତାଙ୍କର ନିବିଡ ସଂପର୍କ ରହି ଆସିଛି। ଏହି କାରଣରୁ ସୋନିଆ ଗାନ୍ଧୀ ଏବଂ ରାହୁଲ ଗାନ୍ଧୀ ଅଣ ଗାନ୍ଧୀ ପରିବାର ଅଧ୍ୟକ୍ଷ ଉପରେ ବିଚାର କରିଥିଲେ ଏବଂ ପ୍ରଥମ ନାମ ଭାବେ ଅଶୋକ ଗେହଲଟଙ୍କ ଉପରେ ପ୍ରସ୍ତାବ ଦେଇଥିଲେ।

ହତବାକ ହେଲେ ଗାନ୍ଧୀ ପରିବାର

ମାତ୍ର ମୁଖ୍ୟମନ୍ତ୍ରୀ ପଦ ମୋହ ଏବଂ ନିଜର ମହତ୍ଵାକାଂକ୍ଷୀ ପାଇଁ ଗେହଲଟ୍ ପୁରୁଣା କଥାକୁ ଭୁଲିଗଲେ। ସେ ଚାହୁଁଥିଲେ ଅଧ୍ୟକ୍ଷ ପଦ ସହ ତାଙ୍କୁ ମୁଖ୍ୟମନ୍ତ୍ରୀ ପଦରେ ରହିବାକୁ ଦିଆଯାଉ। ନଚେତ୍ ତାଙ୍କ ଗୋଷ୍ଠୀର କୌଣସି ନେତାଙ୍କୁ ବିଧାୟକ କରାଯାଉ। ହେଲେ ସଚିନ ପାଇଲଟଙ୍କୁ ବିରୋଧ କରିବାକୁ ଯାଇ ତାଙ୍କ ଗୋଷ୍ଠୀର ୮୨ ବିଧାୟକଙ୍କ ଇସ୍ତଫାର ଗୋଟିଚାଳନା ଦେଖି ଗାନ୍ଧୀ ପରିବାର ହତବାକ। ଗେହଲଟ୍ ଏମିତି କରିବେ ବୋଲି ସ୍ଵପ୍ନରେ ସୁଦ୍ଧା ଭାବିନଥିଲେ ସୋନିଆ ଏବଂ ରାହୁଲ। ପାର୍ଟିର ପର୍ଯ୍ୟବେକ୍ଷକଙ୍କୁ ନଭେଟିବା ଏବଂ ବିଧାୟକ ଦଳ ବୈଠକରେ ଯୋଗ ନଦେଇ ଅଲଗା ବୈଠକ କରିବାକୁ ସୋନିଆ ଗାନ୍ଧୀ ହାଇକମାଣ୍ଡଙ୍କ ଅପମାନ ଏବଂ ଅନୁଶାସନହୀନତା ଭାବେ ଧରିଛନ୍ତି। ଘଟଣାରେ ସୋନିଆ ଗାନ୍ଧୀ ଲିଖିତ ରିପୋର୍ଟ ମାଗିଥିବା ଅଜୟ ମାକନ ଖୋଦ୍ ସୋମବାର କହିଛନ୍ତି। ଏବେ ସବୁଠୁ ବଡ ପ୍ରଶ୍ନ ଗାନ୍ଧୀ ପରିବାର ନିକଟରେ ଅଶୋକ ଗେହଲଟଙ୍କୁ ନେଇ କ’ଣ ବିକଳ୍ପ ରହିଛି।

ଗେହଲଟଙ୍କୁ କଣଠେସା କରିବାର ଦୁଇଟି ବିକଳ୍ପ :

ପ୍ରଥମ ବିକଳ୍ପ ଗାନ୍ଧୀ ପରିବାର ଅଶୋକ ଗେହଲଟଙ୍କୁ ପାର୍ଟିର ଅଧ୍ୟକ୍ଷ କରାଯିବାର ବିଚାର ମନରୁ ସଂପୂର୍ଣ୍ଣ ଭାବେ ହଟାଇ ଦେବା ଉଚିତ୍। ତାଙ୍କୁ ବିଧାନସଭା ନିର୍ବାଚନ ଯାଏ ମୁଖ୍ୟମନ୍ତ୍ରୀ ପଦରେ ରହିବାକୁ ଦିଆଯାଉ। ପାର୍ଟି ଯଦି ନିର୍ବାଚନ ଜିତେ ତେବେ ମୁଖ୍ୟମନ୍ତ୍ରୀଙ୍କୁ ନେଇ ପରେ ନିଷ୍ପତ୍ତି ନିଆଯାଉ ଏବଂ ଯଦି ଦଳ ପରାଜିତ ହେଉଛି ତେବେ ଅଶୋକ ଗେହଲଟଙ୍କ ପାଇଁ ଏହା ଶେଷ ସୁଯୋଗ ହେବ। ଦ୍ଵିତୀୟ ବିକଳ୍ପ ରାଜସ୍ଥାନର ରାଜନୀତିକୁ ଯଥାସ୍ଥିତି ବଜାୟ ରଖାଯାଉ। ବର୍ତ୍ତମାନ ଅଶୋକ ଗେହଲଟ୍ କଂଗ୍ରେସ ପାଇଁ ଏମିତି କଣ୍ଟା ସାଜିଛନ୍ତି, ଯାହାକୁ ଦଳ ଗିଳି ପାରୁଛି ନା କାଢି ପାରୁଛି।

Leave A Reply

Your email address will not be published.