ଭଦ୍ରକ: ପୁଣି ଥରେ ଶିକ୍ଷା ମନ୍ଦିରରେ ଲାଗିଛି କଳଙ୍କର ଛିଟା। ଯେଉଁ ବ୍ୟକ୍ତିଙ୍କ ଉପରେ ସ୍କୁଲର ଶୃଙ୍ଖଳା ଏବଂ ସୁରକ୍ଷାର ଦାୟିତ୍ୱ ନ୍ୟସ୍ତ ଥାଏ, ସେହି ବ୍ୟକ୍ତି ଏବେ ଏକ ସଙ୍ଗୀନ ଅଭିଯୋଗରେ ଛନ୍ଦି ହୋଇଛନ୍ତି। ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଅଧିନରେ ଥିବା ଏକ ବିଦ୍ୟାଳୟରେ କାର୍ଯ୍ୟରତ ଜଣେ ପ୍ରଧାନ ଶିକ୍ଷକଙ୍କ ନାମରେ ଯୌନ ନିର୍ଯାତନା ଭଳି ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି ସେହି ସ୍କୁଲର ଜଣେ ମହିଳା ଶିକ୍ଷୟିତ୍ରୀ। ଏହି ଘଟଣା ସାମ୍ନାକୁ ଆସିବା ପରେ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇବା ସହ ଚାଞ୍ଚଲ୍ୟ ଖେଳିଯାଇଛି। ପୋଲିସ୍ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଅଭିଯୁକ୍ତ ପ୍ରଧାନ ଶିକ୍ଷକଙ୍କୁ ଅଟକ ରଖିଛି।
ମିଳିଥିବା ପ୍ରାଥମିକ ସୂଚନା ଅନୁଯାୟୀ, ଅଭିଯୁକ୍ତ ପ୍ରଧାନ ଶିକ୍ଷକ ଜଣକ ଦୀର୍ଘ ଦିନ ଧରି ଉକ୍ତ ମହିଳା ଶିକ୍ଷୟିତ୍ରୀଙ୍କୁ ମାନସିକ ସ୍ତରରେ ହଇରାଣ କରିବା ସହ ଅଶାଳୀନ ଇଙ୍ଗିତ କରୁଥିଲେ। ବିଦ୍ୟାଳୟ ପରିସରରେ ମହିଳା ସହକର୍ମୀଙ୍କୁ ଅସୁରକ୍ଷିତ ମନେ କରାଇବା ଭଳି ପରିସ୍ଥିତି ସୃଷ୍ଟି କରୁଥିଲେ। ଲୋକଲଜ୍ଜା ଓ ଚାକିରି ପ୍ରତି ଆଞ୍ଚ ଆସିବା ଭୟରେ ପୀଡ଼ିତା ଜଣକ ପ୍ରଥମେ ଚୁପ୍ ରହିଥିଲେ ମଧ୍ୟ, ଶେଷରେ ନିର୍ଯାତନାର ସୀମା ଟପିଯିବାରୁ ସେ ବାଧ୍ୟ ହୋଇ ଆଇନର ଆଶ୍ରୟ ନେଇଛନ୍ତି।
ମହିଳା ଶିକ୍ଷୟିତ୍ରୀ ଜଣକ ସ୍ଥାନୀୟ ଥାନାରେ ସମସ୍ତ ଘଟଣା ବାବଦରେ ଏକ ଲିଖିତ ଅଭିଯୋଗ କରିବା ପରେ ପୋଲିସ୍ ଏହାକୁ ଅତ୍ୟନ୍ତ ଗମ୍ଭୀରତାର ସହ ନେଇଥିଲା। ଅଭିଯୋଗ ପାଇବା ମାତ୍ରେ ଏକ ମାମଲା ରୁଜୁ କରାଯାଇ ପୋଲିସ୍ ଟିମ୍ ସ୍କୁଲ୍ ପ୍ରଧାନ ଶିକ୍ଷକଙ୍କୁ ଥାନାକୁ ଆଣି ପଚରାଉଚରା ଜାରି ରଖିଛି। ଘଟଣାର ସତ୍ୟାସତ୍ୟ ଜାଣିବା ପାଇଁ ପୋଲିସ ଅଧିକାରୀମାନେ ସ୍କୁଲର ଅନ୍ୟ କର୍ମଚାରୀ ଏବଂ ଶିକ୍ଷକ-ଶିକ୍ଷୟିତ୍ରୀଙ୍କ ବୟାନ ମଧ୍ୟ ରେକର୍ଡ କରୁଛନ୍ତି।
ଅନ୍ୟପକ୍ଷରେ ଏହି ଲଜ୍ଜାଜନକ ଘଟଣା ଘଟିବା ପରେ ଛାତ୍ରଛାତ୍ରୀ ଅଭିଭାବକ ଏବଂ ସ୍ଥାନୀୟ ବାସିନ୍ଦା କ୍ଷୋଭ ପ୍ରକାଶ କରିଛନ୍ତି। ଯଦି ଜଣେ ଶିକ୍ଷୟିତ୍ରୀ ସ୍କୁଲ୍ ପରିସରରେ ସୁରକ୍ଷିତ ନୁହଁନ୍ତି, ତେବେ ଛୋଟ ଛୋଟ ପିଲାମାନଙ୍କର ସୁରକ୍ଷା କେଉଁଠି ବୋଲି ସେମାନେ ପ୍ରଶ୍ନ ଉଠାଇଛନ୍ତି। ଘଟଣାର ନିରପେକ୍ଷ ତଦନ୍ତ କରି ଦୋଷୀ ପ୍ରମାଣିତ ହେଲେ ଉକ୍ତ ପ୍ରଧାନ ଶିକ୍ଷକଙ୍କ ବିରୋଧରେ କଡ଼ା ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହେଉଛି।
Comments are closed.