Latest Odisha News

BREAKING NEWS

ନିର୍ଦ୍ଦେଶ ପରେ ବି ସତ୍ୟପାଠ ଦାଖଲ କଲେନି ରାଜ୍ୟ ସରକାର: ୨୫ ହଜାର ଫାଇନ କଲେ ହାଇକୋର୍ଟ

କଟକ; ଝାରସୁଗୁଡ଼ାରେ ଏକ ଗାଁ ରାସ୍ତାକୁ ଏକ ଘରୋଇ କମ୍ପାନୀ ମାଲ୍ ପରିବହନ ପାଇଁ ବ୍ୟବହାର କରୁଥିବା ଅଭିଯୋଗରେ ୨୦୨୦ରେ ଦାୟର ହୋଇଥିବା ଏକ ଜନସ୍ୱାର୍ଥ ମାମଲାରେ ବାରମ୍ବାର ନିର୍ଦ୍ଦେଶ ପରେ ରାଜ୍ୟ ସରକାର ସତ୍ୟପାଠ ଦାଖଲ କରୁ ନଥିବାରୁ ଶନିବାର ଅସନ୍ତୋଷ ପ୍ରକାଶ କରିଛନ୍ତି ହାଇକୋର୍ଟ। ସତ୍ୟପାଠ ଦାଖଲେ ବିଳମ୍ବ କରିବାକୁ କୋର୍ଟ ସରକାରଙ୍କୁ ୨୫ ହଜାର ଫାଇନ କରିଛନ୍ତି।

ଶନିବାର ଏହି ମାମଲାର ଶୁଣାଣି ବେଳେ ରାଜ୍ୟ ସରକାର ସତ୍ୟପାଠ ଦାଖଲ କରିବାକୁ ଆହୁରି ସମୟ ମାଗିଥିଲେ। କୋର୍ଟ ସରକାରଙ୍କୁ ସମୟ ଦେବା ସହ ଫାଇନ୍ କରିଛନ୍ତି।  ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ.ମୁରଲୀଧର ଓ ଜଷ୍ଟିସ ଏମ.ଏସ.ରମଣଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମାମଲାର ବିଚାର କରୁଥିଲେ। ରାଜ୍ୟ ସରକାର ବିଲମ୍ବ କରିବାରୁ ରାଜ୍ୟ ସରକାରଙ୍କୁ ହା‌ଇକୋର୍ଟ ବାର୍ ଆସୋସିଏସନ୍ ୱେଲଫେୟାର ଫଣ୍ଡରେ ୨୫ ହଜାର ଟଙ୍କା ଜମା କରିବାକୁ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି।

ଆସନ୍ତା ଏପ୍ରିଲ ୨୪ ତାରିଖ ପୂର୍ବରୁ ଏହି ଟଙ୍କା ଜମା ସଂପର୍କିତ ପ୍ରମାଣପତ୍ର ସରକାରଙ୍କ ତରଫରୁ ଦାଖଲ କରାଯିବାକୁ ଥିବା ଜବାବ ସହିତ ସଂଲଗ୍ନ କରାଯିବ। ଏହାପରେ ସରକାରଙ୍କ ଜବାବ ରେଜିଷ୍ଟ୍ରି ଦ୍ବାରା ଗ୍ରହଣୀୟ ହେବ ବୋଲି ହାଇକୋର୍ଟ କହିଛନ୍ତି। ଏଥର ଯଦି ସରକାର ମାଗିଥିବା ସମୟରେ ସତ୍ୟାପାଠ ଦାଖଲ କରି ନପାରିଲେ ତେବେ ପରବର୍ତ୍ତୀ ଶୁଣାଣି ସମୟରେ ଝାରସୁଗୁଡ଼ା ଜିଲ୍ଲାପାଳ ଭର୍ଚୁଆଲ ବ୍ୟବସ୍ଥାରେ କୋର୍ଟରେ ହାଜର ହେବେ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଅଗଷ୍ଟ ୯କୁ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ତାରିଖ ଧାର୍ଯ୍ୟ କରାଯାଇଛି।

ସୂଚନା ଥାଉକି, ଝାରସୁଗୁଡ଼ା ତହସିଲ ଅନ୍ତର୍ଗତ ଗାଁ ରାସ୍ତାକୁ ଏକ ଘରୋଇ କମ୍ପାନୀ ମାଲ ପରିବହନ ପାଇଁ ବ୍ୟବହାର କରୁଥିଲା। ଏହି ଘଟଣାକୁ ବିରୋଧ କରି ଜ୍ୟୋତିମଞ୍ଜରୀ ପାଣ୍ଡେଙ୍କ ସମେତ ଅନ୍ୟମାନେ କୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର କରିଥିଲେ। ଏହି ମାମଲାର ଜବାବ ରଖିବାକୁ କୋର୍ଟ ରାଜ୍ୟ ସରକାରଙ୍କୁ ପୂର୍ବରୁ ୩ ଥର ସମୟ ଦେଇଥିଲେ। ପ୍ରଥମେ ୨୦୨୨, ମେ ୧୨ ତାରିଖ ଦ୍ୱିତୀୟରେ ସେପ୍ଟେମ୍ବର ୭ ଓ ତୃତୀୟ  ଡିସେମ୍ବର ୨୦ ସତ୍ୟପାଠ ଦାଖଲ କରିବାକୁ ସମୟ ଦିଆଯାଇଥିଲେ ବି ସରକାର ବିଫଳ ହୋଇଛନ୍ତି। ଫଳରେ ଆଜି କୋର୍ଟ ଫାଇନ୍‌ କରିଛନ୍ତି। ଏଥିସହିତ ମାମଲାରେ ରାଜ୍ୟ ସରକାରଙ୍କ ଜବାବ ଆବଶ୍ୟକ ବୋଲି କୋର୍ଟ କହିଛନ୍ତି।

Leave A Reply

Your email address will not be published.