Latest Odisha News

ଲକ୍‌ଡାଉନରେ ସ୍କୁଲ ଫି ହ୍ରାସ ପ୍ରସଙ୍ଗ; ମୁଖ୍ୟମନ୍ତ୍ରୀଙ୍କ ଅପିଲକୁ ମାନିବାକୁ ନାରାଜ ଘରୋଇ ସ୍କୁଲ୍ !

ଭୁବନେଶ୍ୱର: କରୋନା ମହାମାରୀ ସଂକ୍ରମଣ ଯୋଗୁଁ ଏବେ ଓଡ଼ିଶା ସମେତ ସାରା ଦେଶରେ ଚାଲିଛି ଲକ୍‌ଡାଉନ୍ । ଏବେ ସମସ୍ତ ସରକାରୀ ଓ ବେସରକାରୀ ଘରୋଇ ସ୍କୁଲ ଗୁଡ଼ିକ ବନ୍ଦ ରହିଥିବା ଯୋଗୁଁ ବିଦ୍ୟାଳୟମାନଙ୍କରେ ପାଠପଢା ସମ୍ପୂର୍ଣ୍ଣ ବନ୍ଦ ରହିଛି । ମାତ୍ର, ୱାଟସଆପ ମାଧ୍ୟମରେ ଅନେକ ଘରୋଇ ସ୍ୱୀକୃତିପ୍ରାପ୍ତ ବିଦ୍ୟାଳୟ ଗୁଡ଼ିକ ସେମାନଙ୍କ ଶିକ୍ଷକ/ଶିକ୍ଷୟିତ୍ରୀଙ୍କ ମାଧ୍ୟମରେ ସିଲାବସ୍ ଅଧ୍ୟୟନ କରାଇବା ଆରମ୍ଭ କରିଦେଲେଣି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ପରିପ୍ରେକ୍ଷୀରେ ଘରୋଇ ସ୍କୁଲଗୁଡ଼ିକୁ ଛାତ୍ରଛାତ୍ରୀଙ୍କ ସ୍କୁଲ୍ ଫି ହ୍ରାସ କରିବାକୁ ଅପିଲ୍ କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ ଅପିଲ୍ ମାନିବାକୁ ଘରୋଇ ସ୍କୁଲ ନାରାଜ ।

ଘରୋଇ ସ୍କୁଲଗୁଡିକ ସ୍କୁଲ ଫି’ ହ୍ରାସ କଲେ ସେମାନଙ୍କ ଉପରେ ଆର୍ଥିକ ବୋଝ ପଡ଼ିବା ସହିତ ସେମାନଙ୍କ ସ୍ଥିତି ଖରାପ ହେବ ବୋଲି ଘରୋଇ ସ୍କୁଲ କହିଛନ୍ତି । ଫଳରେ ସେମାନେ ଫି’ ହ୍ରାସ କରିବା ସପକ୍ଷରେ ନାହାଁନ୍ତି ବୋଲି ପରୋକ୍ଷରେ ମତାମତ ଦେଇଛନ୍ତି । ମାତ୍ର ଅବ୍ୟାକ ସ୍ଥଳେ ସ୍କୁଲଗୁଡିକ ଫି’ ଆଦାୟକୁ ଘୁଞ୍ଚାଇବା ପାଇଁ ସମ୍ମତି ପ୍ରଦାନ କରିଛନ୍ତି । ଅନ୍ୟପକ୍ଷରେ ଘରୋଇ ସ୍କୁଲଗୁଡିକର ଏହି ନିଷ୍ପତ୍ତିକୁ ଓଡ଼ିଶା ଅଭିଭାବକମହା ସଂଘ ବିରୋଧ କରିବା ସହ ସ୍କୁଲ ଫି ସମ୍ପୁର୍ଣ୍ଣ ଛାଡ କରିବା ପାଇଁ ଦାବି କରିଛନ୍ତି ।

ସଂଘର ଅଧ୍ୟକ୍ଷ ବାସୁଦେବ ଭଟ୍ଟ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀଙ୍କ ନିବେଦନକୁ ସବୁ ସ୍ତରରେ ଶୁଭେଚ୍ଛା କରାଯାଉଛି । ମୁଖ୍ୟମନ୍ତ୍ରୀ ରାଜ୍ୟରେ ଅଭିଭାବକଙ୍କ ସମସ୍ୟାକୁ ଆନ୍ତରିକତାର ସହ ଗ୍ରହଣ କରି ଏହି ନବେଦନ କରିଛନ୍ତି । ତେବେ ଏହାପୂର୍ବରୁ ରାଜ୍ୟରେ ଫନି, ହୁଡହୁଡ ଭଳି ଅନେକ ବିରାଟ
ସମସ୍ୟାମାନ ସୃଷ୍ଟି ହୋଇଛି । ସେ ସମୟରେ ଫି’ ହ୍ରାସ କିମ୍ବା ବିଳମ୍ବରେ ପୈଠ କରିବାକୁ ଅଭିଭାବକମାନେ ଦାବି କରିନଥିଲେ । ତେଣୁ ଘରୋଇ ସ୍କୁଲର କର୍ତ୍ତୃପକ୍ଷ ଏହାକୁ ମାନବିକତାର ସହ ଗ୍ରହଣ କରି ମୁଖ୍ୟମନ୍ତ୍ରୀଙ୍କ ନିବେଦନ ଅନୁଯାୟୀ ଫି’ ଛାଡ କରିବା ଆବ୍ୟାକ ।

ତେବେ ଯେଉଁ ସବୁ ସ୍କୁଲର କର୍ତ୍ତୃପକ୍ଷ ସେମାନଙ୍କର କ୍ଷତି ହେବ ବୋଲି କହୁଛନ୍ତି ସେମାନେ ଶିକ୍ଷା ନାମରେ ବ୍ୟବସାୟ କରୁଛନ୍ତି ବୋଲି ପ୍ରମାଣିତ ହେବ । ଏହାବ୍ୟତୀତ ସ୍କୁଲ ଖୋଲିଥିବା ମାଲିକମାନେ ସରକାରଙ୍କ ଠାରୁ ସ୍ୱୀକୃତି ନେଇ ସ୍କୁଲ ଖୋଲିଛନ୍ତି । ତେଣୁ ସରକାରଙ୍କ ନିର୍ଦ୍ଦେଶକୁ ମାନିବା ଉଚିତ୍ । ତେବେ ମୁଖ୍ୟମନ୍ତ୍ରୀଙ୍କ ନିବେଦନକୁ ଘରୋଇ ସ୍କୁଲ ମାଲିକମାନେ ନିର୍ଦ୍ଦେଶ ବୋଲି ଗ୍ରହଣ କରିବା ଉଚିତ୍ । ଯଦି ରାଜ୍ୟରେ ମୁଖ୍ୟମନ୍ତ୍ରୀଙ୍କ ନିବେଦନକୁ ଅବମାନନା କରାଯାଏ ତେବେ ଅଭିଭାବକ ମହାସଂଘ ଏହାକୁ ବରଦାସ୍ତ କରିବ ନାହିଁ । ଯେଉଁ ସବୁ ସ୍କୁଲ ଅଭିଭାବେକଙ୍କ ଉପରେ ଫି’ ପାଇଁ ଚାପ ପକାଇବ ସେମାନଙ୍କ ବିରୋଧରେ ସଂଘ କାର୍ଯ୍ୟାନୁଷ୍ଠାନ ପାଇଁ ରାସ୍ତାକୁ ଓହ୍ଲାଇବ ବୋଲି ଶ୍ରୀ ଭଟ୍ଟ ଚେତାବନୀ ଦେଇଛନ୍ତି ।

Comments are closed.