ଭୁବନେଶ୍ୱର: ଓଡ଼ିଶା ହାତରୁ ଧିରେ ଧିରେ କୋଟିଆ ଖସି ଯାଉଥିବା ଭଳି ଲାଗୁଛି। ଏହି ଘଟଣାରେ ଉଦ୍ବେଗ ପ୍ରକାଶ କରିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ଏ ନେଇ ନଭେମ୍ବର ୪ ତାରିଖରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଚିଠି ଲେଖଛନ୍ତି ନବୀନ।
ନବୀନ ଚିଠିରେ ୨୦୨୪ର ବିଜେପି ଇସ୍ତାହାର ମନେ ପକାଇ ଦେଇଛନ୍ତି। ନବୀନ ଲେଖିଛନ୍ତି, ଇସ୍ତାହାରର ପ୍ରତିଶ୍ରୁତି ଅନୁଯାୟୀ ‘କୋଟିଆ’ର ସମାଧାନ କରାଯାଉ। ଓଡ଼ିଶାର ଭୌଗୋଳିକ ଅଖଣ୍ଡତା ରକ୍ଷା ସହ ଏହି ସମ୍ବେଦନଶୀଳ ପ୍ରସଙ୍ଗରେ କେନ୍ଦ୍ର ଓ ଆନ୍ଧ୍ରପ୍ରଦେଶ ସରକାରଙ୍କ ସହ ଉଚ୍ଚସ୍ତରୀୟ ଆଲୋଚନା କରିବାକୁ ନବୀନ ଆହ୍ୱାନ ଦେଇଛନ୍ତି ।
ଚିଠିରେ ନବୀନ ଉଲ୍ଲେଖ କରିଛନ୍ତି ଯେ, ଗତ ଅକ୍ଟୋବର ୧୯ ତାରିଖରେ ସେ କୋଟିଆ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କୁ ପୂର୍ବରୁ ଚିଠି ଲେଖିଥିଲେ। ଏହାର ଉତ୍ତର ଅକ୍ଟୋବର ୨୭ ତାରିଖରେ ମିଳିଥିଲା । ହେଲେ ଏହା ପରେ ମଧ୍ୟ କୋଟିଆର ସ୍ଥିତିରେ କୌଣସି ସୁଧାର ଆସିନାହିଁ । ବରଂ ଓଡ଼ିଶା ଓ ଆନ୍ଧ୍ରପ୍ରଦେଶର ଅଧିକାରୀଙ୍କ ମଧ୍ୟରେ ଉତ୍ତେଜନା ଏବଂ ମୁହାଁମୁହିଁ ସ୍ଥିତି ବଢ଼ୁଥିବା ନେଇ ରିପୋର୍ଟ ମିଳୁଥିବା ସେ କହିଛନ୍ତି ।
ଓଡ଼ିଶା କଥା ଚିନ୍ତା ନ କରି ଆନ୍ଧ୍ର ଜବରଦସ୍ତ ନିର୍ବାଚନ କରୁଥିବାରୁ ନବୀନ ଚିନ୍ତା ପ୍ରକାଶ କରିଛନ୍ତି। ସେ କହିଛନ୍ତି, ଏଭଳି ପଦକ୍ଷେପ ଓଡ଼ିଶା ପାଇଁ ଗଭୀର ଚିନ୍ତାର ବିଷୟ । ଉଭୟ ଆନ୍ଧ୍ର ଓ ଓଡ଼ିଶାରେ ଏନ୍ଡ଼ିଏ ସରକାର ଅଛି । ତେଣୁ ସ୍ଥିତି ଜଟିଳ ହେବା ପୂର୍ବରୁ ରାଜ୍ୟ ସରକାର ଏହାର ସମାଧାନ ପାଇଁ ପଦକ୍ଷେପ ନେବା ଆବଶ୍ୟକ ବୋଲି ସେ ଚିଠିରେ ଉଲ୍ଲେଖ କରିଛନ୍ତି ।
ରାଜ୍ୟର ସୀମା ଓ ଭୌଗୋଳିକ ଅଖଣ୍ଡତାର ସୁରକ୍ଷା ପାଇଁ ସରକାର ତୁରନ୍ତ ପଦକ୍ଷେପ ନେବାକୁ ନବୀନ ଦାବି କରିଛନ୍ତି ।
