Latest Odisha News

BREAKING NEWS

ଝରିବାହାଲ ଲୁହାପଥର ଖଣିର ହେବ ନିଲାମ; ଜାଣନ୍ତୁ, ବିଡ଼ର୍ସଙ୍କ ତାଲିକା

ନୂଆଦିଲ୍ଲୀ: କେନ୍ଦୁଝର ଜିଲ୍ଲା ଅନ୍ତର୍ଗତ ଝରିବାହାଲ ଲୁହାପଥର ଖଣିର ନିଲାମ ଶୁକ୍ରବାର ଦିନ ଅନୁଷ୍ଠିତ ହେବାକୁ ଯାଉଛି ।

ଏହି ଲୁହାପଥର ଖଣି ନିଲାମରେ ଯେଉଁ ପ୍ରମୁଖ ଖଣି କମ୍ପାନୀଗୁଡ଼ିକ ରହିଛନ୍ତି ସେଗୁଡ଼ିକ ହେଲେ ଯଥାକ୍ରମେ, କାଶଭି ଇଣ୍ଟରନ୍ୟାସନାଲ୍ ପାୱାର୍ ଲିଃର ଦେବବ୍ରତ ବେହେରା, ୟାଜଦାନୀ ଇଣ୍ଟରନ୍ୟାସନାଲ୍ ପ୍ରାଇଭେଟ୍ ଲିମିଟେଡ଼, ରାମଗଡ଼ ସ୍ପଞ୍ଜ ଆଇରନ ପ୍ରା ଲିଃ, ସି ପି ସ୍ପଞ୍ଜ ଆଇରନ ପ୍ରା ଲିଃ, ସୁପର୍ ସ୍ମେଲ୍ଟର୍ସ ଲିଃ, ଆମଲଗାମ ଷ୍ଟିଲ୍ ପ୍ରା ଲିଃ, ଏମଜିଏମ ମିନେରାଲ୍ସ ଲିଃ ।

ବର୍ତ୍ତମାନ ପଟ୍ଟନାୟକ ମିନେରାଲ୍ସ ପ୍ରା ଲିଃ ଅଧିନରେ ଏହି ଲୁହାପଥର ଖଣି ରହିଛି ।

ଓଡ଼ିଶାରେ ରହିଥିବା ସମୁଦାୟ ୧୯ଟି ମୂଲ୍ୟବାନ ଖଣି ମଧ୍ୟରୁ ଏହା ୧୫ଶ ଖଣି ଭାବେ ନିଲାମ ଅନୁଷ୍ଠିତ ହେବାକୁ ଯାଉଛି ।

ଏହାପୂର୍ବରୁ ଓଡ଼ିଶାର ଖଣିମାଲିକ ଦେବବ୍ରତ ବେହେରା କେନ୍ଦୁଝର ଜିଲ୍ଲା ଅନ୍ତର୍ଗତ ସିଲଜୋରା-କାଲିମାଟି ଲୁହାପଥର ଓ ମାଙ୍ଗାନିଜ୍ ଖଣିକୁ ହସ୍ତଗତ କରିଛନ୍ତି । ସେ ଗୁରୁବାର ଦିନ ୧୫୪ ପ୍ରିମିୟମ୍ ପ୍ରତିଶତ ପ୍ରଦାନ କରିବାକୁ ନିଷ୍ପତ୍ତି ଗ୍ରହଣ କରି ଏହି ଖଣି ପାଇବାକୁ ସକ୍ଷମ ହୋଇଛନ୍ତି ।

ବୁଧବାର ଦିନ ୟାଜଦାନୀ ଇଣ୍ଟରନ୍ୟାସନାଲ (ପ୍ରା) ଲିଃ କାଲମଙ୍ଗ ଲୁହାପଥର ଓ ମାଙ୍ଗାନିଜ୍ ଖଣି ୧୦୦ ପ୍ରତିଶତ ପ୍ରିମିୟମରେ ହସ୍ତଗତ କରିପାରିଥିଲା ।

ଏଠାରେ ସୂଚନାଯୋଗ୍ୟ, ଗତ (ଫେବୃଆରୀ ୧୧) ତାରିଖରେ ନିଲାମ ହୋଇଥିବା ସୁନ୍ଦରଗଡସ୍ଥିତ ନଦୀଡିହ ଲୁହାପଥର ଓ ମାଙ୍ଗାନିଜ ଖଣିକୁ ବିଶାଳ ଏଲପିଜି ଫୁଏଲ ପ୍ରା. ଲି. ହାତେଇଥିଲା ।

ସେହିପରି ପୂର୍ବରୁ ଲିଜ୍ ରଖିଥିବା ଘନଶ୍ୟାମ ମିଶ୍ର ଏଣ୍ଡ ସନ୍ସ ପ୍ରାଇଭେଟ୍ ଲି. କମ୍ପାନୀ ମୟୁରଭଞ୍ଜର ଗୋରୁମହିଷାଣୀ ଲୁହାପଥର ଖଣିକୁ ପ୍ରାୟ ୧୧୫ ପ୍ରତିଶତ ପ୍ରିମିୟମରେ ହସ୍ତଗତ କରିପାରିଥିଲା।

ଗତ (ଫେବୃଆରୀ ୯) ତାରିଖରେ ଗୋଆର ଫର୍ମେଣ୍ଟୋ ଇଣ୍ଟଷ୍ଟ୍ରିଜ୍ ପ୍ରାଇଭେଟ୍ ଲିଃ କମ୍ପାନୀ ୧୪୧.୨୫ ପ୍ରତିଶତ ବିକ୍ରିମୂଲ୍ୟ ଓଡ଼ିଶା ସରକାରଙ୍କୁ ଦେବାର ନିଷ୍ପତ୍ତି ଗ୍ରହଣ କରି ଏହି ଖଣିକୁ ହସ୍ତଗତ କରିପାରିଛି ।

ଶନିବାର ଦିନ (ଫେବୃଆରୀ ୮) ନିଲାମ ହୋଇଥିବା ମହୁଲସୁଖା ଲୁହାପଥର ଓ ମାଙ୍ଗାନିଜ୍ ଖଣିକୁ ପଟ୍ଟନାୟକ ମିନେରାଲ୍ସ ପ୍ରାଇଭେଟ୍ ଲିମିଟେଡ଼ ହସ୍ତଗତ କରିଥିଲା । ଏହି ଖଣିକୁ ୯୨.୭୦ ପ୍ରତିଶତ ପ୍ରିମିୟମରେ ଏହି କମ୍ପାନୀ କରାୟତ କରିପାରିଛି ।

ସେହିପରି ଭାବେ ଶୁକ୍ରବାର ଦିନ (ଫେବୃଆରୀ ୪) କୋଲକାତାର ଖଟୁଆ ନର୍ଭେରାମ ଏଣ୍ଡ କମ୍ପାନୀ ରଇଡ଼ା ୨ ଲୁହାପଥର ଖଣି ହାସଲ କରିପାରିଛି । ଏହାକୁ ୯୦.୯୦ ପ୍ରତିଶତ ବିକ୍ରିମୂଲ୍ୟରେ ହାସଲ କରିପାରିଛି ।

ଜେସିଡବ୍ଲ୍ୟ ୪ ବ୍ଲକ୍‌- ନୂଆଗାଁ (ଜାନୁଆରୀ ୩୧), ନାରାୟଣପୋଷୀ (ଫେବୃଆରୀ ୨) ଓ ଗଣୁଆ (ଫେବୃଆରୀ ୫) ଓ ଯଜାଙ୍ଗ (ଜାନୁଆରୀ ୬)ଖଣି ଅକ୍ତିଆର କରିଛି । ଯେଉଁଥିରେ ୧,୧୩୮.୩୪ ମିଲିୟନ୍ ଟନର ଖଣିଜ ପଥର ଗଚ୍ଛିତ ରହିଛି ।

ଶ୍ୟାମ ଓର୍ ମଧ୍ୟ ବୁଧବାର ଦିନ (ଫେବୃଆରୀ ୫) ଦିନ ଓଡିଶା ସରକାରଙ୍କୁ ୧୩୫ ପ୍ରତିଶତ ବିକ୍ରି ମୂଲ୍ୟ ଦେବାକୁ ନିଷ୍ପତ୍ତି ଗ୍ରହଣ କରିଛି । ଯାହାଫଳରେ ସେ କେନ୍ଦୁଝର ଜିଲ୍ଲା ଅନ୍ତର୍ଗତ ଜିଲିଙ୍ଗ-ଲଙ୍ଗଲୋଟା ଲୁହାପଥର ଖଣି ବ୍ଲକ୍ ନେବାକୁ ସକ୍ଷମ ହୋଇଛି ।

ଫେବୃଆରୀ ୪ ତାରିଖ ଦିନ ସିରାଜୁଦ୍ଦିନ୍ ଏଣ୍ଡ କମ୍ପାନୀ ବଲଦା ଲୁହାପଥର ଖଣିକୁ ଅକ୍ତିଆର କରିଥିବା ବେଳେ ଗତ ଫେବୃଆରୀ ୩ ତାରିଖ ଦିନ ଆରସେଲର ମିତ୍ତଲ ଇଣ୍ଡିଆ ପ୍ରାଇଭେଟ୍ ଲି. ଠାକୁରାଣୀ ଲୁହାପଥର ଖଣି ବ୍ଲକ ହାତେଇଥିଲା ।

Leave A Reply

Your email address will not be published.