Latest Odisha News

ନେତା ଅସନ୍ତୋଷ, ବିଜେଡ଼ିରେ ଫାଟ

ଭୁବନେଶ୍ୱର: ନିର୍ବାଚନ ପୂର୍ବରୁ ରାଜ୍ୟର ସବୁଠାରୁ ଶକ୍ତିଶାଳୀ ଦଳ ଭାବେ ଗଣାଯାଉଥିବା ବିଜୁ ଜନତା ଦଳ ବା ବିଜେଡ଼ିରେ ଅନେକ ଜିଲ୍ଲାରେ ଏବେ ଫାଟ। ଜଳ ଜଳ ହୋଇ ପଦାକୁ ଏହା ଦେଖାଗଲାଣି। ଦଳରେ ଥିବା ନେତା ଓ କର୍ମୀଙ୍କ ହାବଭାବକୁ ଦେଖିଲେ ଏହା ସ୍ପଷ୍ଟ ଭାବେ ବାରି ହୋଇପଡ଼େ। ପୂର୍ବତନ ମନ୍ତ୍ରୀ ବଳଭଦ୍ର ମାଝୀଙ୍କ ଇସ୍ତଫା ହେଉ କିମ୍ବା ବିଜେଡ଼ି ବିଧାୟକଙ୍କ ବିରୋଧରେ କର୍ମୀଙ୍କ ବିସ୍ଫୋରଣ ହିଁ ଏହି ଫାଟକୁ ଠେଲି ପଦାରେ ପକାଇଦେଇଛି।

ଦୁଇ ଦିନ ପୂର୍ବରେ କୁହୁଳୁଥିବା ନିଆଁ ଏବେ ରାଜରାସ୍ତାରେ ବିସ୍ଫୋରଣ ରୂପ ନେଇଛି। ବାଲେଶ୍ୱର ସଦର ବିଧାୟକ ସ୍ୱରୂପ ଦାସ ଓ ପୂର୍ବତନ ବାଲେଶ୍ୱର ସାଂସଦ ରବୀନ୍ଦ୍ର ଜେନାଙ୍କ ମଧ୍ୟରେ ଭିତରେ ଥିବା ବାଦବିବାଦ ଏବେ ଦଳର ଅନ୍ତଃକନ୍ଦଳକୁ ପଦାରେ ପକାଇ ଦେଇଛି। ଆଉ ଏହି ଫାଟ ଆଗକୁ ଯେ ବିଜେଡ଼ି ପାଇଁ ମୁଣ୍ଡବିନ୍ଧାର କାରଣ ନ ହେବ ସେ ପ୍ରସଙ୍ଗ ଏବେ ରାଜନୈତିକ ମହଲରେ ବେଶ ଚର୍ଚ୍ଚା ପାଇଁ ଖୋରାକ ଯୋଗାଇଛି।

ଶୁଣିବାକୁ ମିଳୁଛି ଯେ ଏହି ବିବାଦ ବିଜେଡ଼ି ନେତା ତଥା 5ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନଙ୍କ ସଭାରୁ ଆରମ୍ଭ ହୋଇଥିଲା। ଶ୍ରୀ ପାଣ୍ଡିଆାନଙ୍କ ସଭାକୁ ସଫଳ କରିବା ଲାଗି ବିଧାୟକ ସ୍ୱରୂପ ଦାସ ଜୋରଦାର ପ୍ରୟାସ କରିଥିଲେ। ଏପରିକି ବିଭିନ୍ନ ଦିଗରୁ ଲୋକଙ୍କୁ ଆଣି ସଭାରେ ସାମିଲ କରାଇଥିଲେ। କିନ୍ତୁ ବିଧାୟକଙ୍କ ଏଭଳି କାର୍ଯ୍ୟରେ ଅସନ୍ତୋଷ ଜାହିର କରିଥିଲେ ପୂର୍ବତନ ସାଂସଦ ରବୀନ୍ଦ୍ର ଜେନା। କୁହାଯାଉଛି କି ଶ୍ରୀ ଜେନା ପାଣ୍ଡିଆନଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ଏହି ସଭା ଆୟୋଜନ କରିବା ସହିତ ନିଜର ଗୌରବକୁ ଫେରାଇବାକୁ ପ୍ରୟାସ କରିଥିଲେ। କିନ୍ତୁ ତୃତୀୟ ମହଲାରୁ ତାଙ୍କ ଉପରକୁ ନଜର ନ ପଡ଼ିବାରୁ ସେ କ୍ଷୁବ୍ଧ ହୋଇ ସ୍ୱରୂପଙ୍କ ଶ୍ରମକୁ ବିଫଳ କରିବାକୁ ଚାହିଁଥିଲେ। ଏକଦା ତାଙ୍କରି ଇଙ୍ଗିତରେ ସ୍ୱରୂପ ବିଧାୟକ ହୋଇଥିବାରୁ ସେ ପାଣ୍ଡିଆନ୍‍ଙ୍କ ନିକଟତର ହେବା ତାଙ୍କୁ ବିବ୍ରତ କରିଥିଲା। ଏଣୁ ସଭାରେ ଆରମ୍ଭ ହୋଇଥିଲା ମହାଭାରତ। ସ୍ୱରୂପଙ୍କ ସମର୍ଥକମାନେ ଶ୍ରୀ ଜେନାଙ୍କ ସମର୍ଥକଙ୍କୁ ବସିବାକୁ ଜାଗା ନଦେବା ଅଭିଯୋଗ କରି ଧସ୍ତାଧସ୍ତି ହୋଇଥିଲା। ଯାହା ସେଦିନ ଟିଭି ଚ୍ୟାନେଲ୍‍ ଓ ସୋଶାଲ୍‍ ମିଡିଆାରେ ବିଶେଷ ଚର୍ଚ୍ଚା ହୋଇଥିଲା।

ଏଭଳି ସ୍ଥିତିରେ ଶ୍ରୀ ଜେନାଙ୍କ ସମର୍ଥକମାନେ ରାଜରାସ୍ତାକୁ ଓହ୍ଲାଇ ସ୍ୱରୂପ ଦାସଙ୍କ ବିରୋଧରେ ସ୍ୱର ଉଠାଇବା ସହିତ ଥାନାରେ ମାମଲା ରୁଜୁ କରିଥିବା ନେଇ ଜଣାପଡ଼ିଛି। ଆଜି ଶତାଧିକ ମହିଳା ସହରରେ ଶୋଭାଯାତ୍ରା କରିବା ସହ ବିଧାୟକ ସ୍ୱରୂପ ଦାସଙ୍କ ବିରୁଦ୍ଧରେ ଅଭିଯୋଗ କରିଛନ୍ତି। ତାଙ୍କ ସମର୍ଥକଙ୍କ ବିରୁଦ୍ଧରେ ଥାନାରେ ଏତଲା ବି ଦେଇଛନ୍ତି। ଏତଲା ମୁତାବକ ସମ୍ପୃକ୍ତ ମହିଳାଙ୍କୁ ଏହି ଅଭିଯୁକ୍ତ ତାମାନେ ଟଣା ଓଟରା କରିବା ସହ ତାଙ୍କୁ ସର୍ବସାଧାରଣରେ ଅପଦସ୍ତ କରିବାକୁ ଚେଷ୍ଟା କରିଛନ୍ତି। ଏଣୁ ତାଙ୍କ ବିରୁଦ୍ଧରେ ପୁଲିସ କାର୍ଯ୍ୟାନୁଷ୍ଠାନ ଆନ୍ଦୋଳନକାରୀମାନେ ଦାବି କରିଛନ୍ତି।

ଏଠାରେ କହି ରଖୁ କି କେବଳ ଏହି ଘଟଣା ନୁହେଁ, ବରଂ ବିଜେଡ଼ିର ଦୁଇ ନେତାଙ୍କ ଆଚରଣ ମଧ୍ୟ ଏହି ବିବାଦକୁ ଆଉ ଟିକେ ଆଗକୁ ନେଇଯାଇଛି। ଦୁଇ ଦିନ ପୂର୍ବରୁ ଗତ ରବିବାର ପୂର୍ବତନ ମନ୍ତ୍ରୀ ତଥା ଲାଞ୍ଜିଗଡ଼ର ପୂର୍ବତନ ବିଧାୟକ ବଳଭଦ୍ର ମାଝି ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ପ୍ରଦାନ କରିଥିଲେ। ଇସ୍ତଫାରେ ବ୍ୟକ୍ତିଗତ କାରଣ ଦର୍ଶାଇଥିଲେ ମଧ୍ୟ ଦଳରେ ଅବହେଳା କାରଣରୁ ଇସ୍ତଫା ଦେଇଥିବା ସାମ୍ବାଦିକମାନଙ୍କୁ କହିଛନ୍ତି। ବିଜେଡ଼ି ସଭାପତି ନବୀନ ପଟ୍ଟନାୟକଙ୍କୁ ବାରମ୍ବାର ଦେଖା କରିବାକୁ ଚାହୁଁଥିଲେ ମଧ୍ୟ ସେ ସାକ୍ଷାତ କରିବାରେ ବିଫଳ ହୋଇଥିଲେ। ଏଭଳି ପରିସ୍ଥିତିରେ ଅସନ୍ତୋଷ ଜାହିର କରି ସେ ଇସ୍ତଫା ପ୍ରଦାନ କରିଥିଲେ। ସେହିପରି ନିକଟରେ କେନ୍ଦ୍ରୀୟ ରେଳମନ୍ତ୍ରୀ ଅଶ୍ୱିନ ବୈଷ୍ଣବଙ୍କୁ ବିଜେଡ଼ି ନେତା ଅରିନ୍ଦମ ରୟ ସାକ୍ଷାତ କରିବା ଘଟଣା ଏଥିରେ ଆଉ ଟିକେ ଘିଅ ଢାଳିଛି। ତେବେ ଏହି ନିଆଁ ଶାସକ ବିଜେଡ଼ି ପାଇଁ କେତେ କ୍ଷତିକାରକ ହେବ ତାହା ସମୟ କହିବ।

ଗତ କିଛି ମାସ ଭିତରେ ଗଞ୍ଜାମ, ଭଦ୍ରକ, ରାୟଗଡ଼ା ଓ ଅନ୍ୟ କିଛି ଜିଲ୍ଲାରେ ଦଳ ଭିତରେ ଥିବା ଅନ୍ତଃକନ୍ଦଳ ସାମ୍ନାକୁ ଆସିଛି। ସମାନ୍ତର ଭାବେ ନେତାମାନେ ନିଜ ଶକ୍ତି ପ୍ରଦର୍ଶନ କରି ନିଜର ଟିକଟ ପାଇଁ ଦାବି ଏବଂ ଅସନ୍ତୋଷ ଜାହିର କରିଛନ୍ତି। ଏହା ଦଳର ବଡପଣ୍ଡା ପାଇଁ ମୁଣ୍ଡ ବିନ୍ଧାର କାରଣ ହୋଇଥିବା ନେଇ ଚର୍ଚ୍ଚା ହେଉଛି।

Leave A Reply

Your email address will not be published.