Latest Odisha News

BREAKING NEWS

ସାରା ବିଶ୍ଵରେ ମହକିବ ମାଣ୍ଡିଆର ବାସ୍ନା, ଉଦଘାଟିତ ହେଲା ଅନ୍ତର୍ଜାତୀୟ ମିଲେଟ୍ ସମ୍ମିଳନୀ

ଭୁବନେଶ୍ଵର: ଭୁବନେଶ୍ବରରେ ଆଜିଠାରୁ ଆରମ୍ଭ ହୋଇଛି ଦୁଇ ଦିନିଆ ଅନ୍ତର୍ଜାତୀୟ ମିଲେଟ୍ ସମ୍ମିଳନୀ । ଜନତା ମଇଦାନରେ ଏହାକୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଅନ୍ତର୍ଜାତୀୟ ସମ୍ମିଳନୀର ବିଷୟବସ୍ତୁ ରହିଛି ‘ଆଧୁନିକ ଯୁଗର ଆହ୍ୱାନ ନିମନ୍ତେ ପ୍ରାଚୀନ ଶସ୍ୟ-ମିଲେଟସ୍’ । ଏହି ସମ୍ମିଳନୀରେ ମିଲେଟ୍ ଚାଷ, ପ୍ରକ୍ରିୟାକରଣରେ କୃଷକମାନଙ୍କର ସଂପୃକ୍ତିରେ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ, ବୈଷୟିକ ଅଧିବେଶନ, ଅନ୍ତର୍ଜାତୀୟ ଖାଦ୍ୟମେଳା, କୁଇଜ୍ ପ୍ରତିଯୋଗିତା, ରନ୍ଧନ ପ୍ରତିଯୋଗିତା ଆଦି କାର୍ଯ୍ୟକ୍ରମ ହେବ ।

ଅନ୍ତର୍ଜାତୀୟ ସ୍ତରରେ ମାନ୍ୟତା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ରାଜ୍ୟ ସରକାରଙ୍କ ମହତ୍ତ୍ବାକାଂକ୍ଷୀ ଉଦ୍ୟମ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଉଦବୋଧନ ଦେଇ କହିଛନ୍ତି ୨୦୨୩କୁ ଅନ୍ତର୍ଜାତୀୟ ପୃଷ୍ଟିଶସ୍ୟ ବର୍ଷ ଘୋଷଣା କରିଛି ଜାତିସଂଘ। ଜାତିସଂଘକୁ ହୃଦୟରୁ କୃତଜ୍ଞତା ଜ୍ଞାପନ କରୁଛି। ପୁଷ୍ଟିଶସ୍ୟ ମାଣ୍ଡିଆର ବହୁଳ ଉତ୍ପାଦନ ଓ ବ୍ୟବହାରକୁ ପ୍ରୋତ୍ସାହନ ଦେବା ପାଇଁ ୨୦୧୭ରେ ଓଡ଼ିଶା ମିଲେଟ ମିଶନ ଆରମ୍ଭ ହୋଇଥିଲା । ଏହି ଶସ୍ୟ ଯେକୌଣସି ଜଳବାୟୁ ଏବଂ ଭୂଭାଗରେ ଅମଳ ହେଉଥିବାରୁ କ୍ଷୁଦ୍ର ଏବଂ ନାମମାତ୍ର ଚାଷୀଙ୍କୁ ଏହା ବିଶେଷ ସାହାଯ୍ୟ କରିଥାଏ । ଓଡ଼ିଶାରେ ଏହାକୁ ବିଶେଷତ ଆଦିବାସୀ ସମ୍ପ୍ରଦାୟର କୃଷକମାନେ ଚାଷ କରି ଆସୁଛନ୍ତି । ସେମାନଙ୍କ ପାଇଁ ଏହି ମୂଲ୍ୟବାନ ଶସ୍ୟ ଆଜି ବି ବଞ୍ଚି ରହିଛି ଓ ବର୍ତ୍ତମାନର ପିଢି ପାଖରେ ପହଞ୍ଚି ପାରିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ଓଡ଼ିଶା ନଭେମ୍ବର ୧୦ ତାରିଖକୁ ମାଣ୍ଡିଆ ଦିବସ ଭାବେ ପାଳନ କରୁଛି । ଏହି ପୁଷ୍ଟିଶସ୍ୟର ପୁନରୁଦ୍ଧାର ସହିତ ଏହାକୁ ମୁଖ୍ୟସ୍ରୋତରେ ସାମିଲ କରିବା ପାଇଁ ଓଡ଼ିଶା ସରକାର କାମ କରୁଛନ୍ତି । ପୁଷ୍ଟିଶସ୍ୟର ପୁନରୁଦ୍ଧାର କରିବା ସହିତ ଏହାକୁ ମୁଖ୍ୟସ୍ରୋତରେ ସାମିଲ କରିବା ପାଇଁ ଓଡ଼ିଶା ସରକାର ଉଭୟ ପ୍ରଶାସନ ଓ ସମାଜକୁ ନେଇ ଏକ ସାମଗ୍ରୀକ ଆଭିମୁଖ୍ୟ ଗ୍ରହଣ କରିଛି । ଏହି ମହତ ପ୍ରୟାସ ସହିତ ପ୍ରତ୍ୟେକ ସାଧାରଣ ଲୋକର ଖାଇବା ଥାଳିରେ ମିଲେଟ୍ ଭଳି ଏକ ସର୍ବୋତ୍ତମ ଖାଦ୍ୟ ପହଞ୍ଚାଇବାକୁ ଆମ ରାଜ୍ୟ ସର୍ବୋତ୍ତଭାବେ କାର୍ଯ୍ୟ କରିବ । ମିଲେଟ୍‌ ଓ ମିଲେଟ୍‌ ଭିଭିକ ଉଦ୍ୟୋଗ ମାଧ୍ୟମରେ ଆଦିବାସୀ ସମ୍ପ୍ରଦାୟକୁ ସଶକ୍ତ କରିବା ଆମର ଉଦ୍ଦେଶ୍ୟ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

ମାଣ୍ଡିଆ ବ୍ୟବହାରକୁ ପ୍ରୋତ୍ସାହିତ କରିବା ଓ ଏଥିପ୍ରତି ଜନ ସଚେତନତା ସୃଷ୍ଟି କରିବା ଅନ୍ତର୍ଜାତୀୟ ମିଲେଟ୍ ସମ୍ମିଳନୀ ଆୟୋଜନର ମୁଖ୍ୟ ଉଦ୍ଦେଶ୍ୟ । ଏଥିରେ ୩୦ ଜିଲ୍ଲାରୁ ମାଣ୍ଡିଆ ଚାଷୀଙ୍କ ସହ ଦେଶ ଓ ବିଦେଶରୁ ବିଭିନ୍ନ କ୍ଷେତ୍ରରୁ ପ୍ରାୟ ୩୦୦ ପ୍ରତିନିଧି ଯୋଗଦେଇଛନ୍ତି । ଓଡ଼ିଶାରେ ମାଣ୍ଡିଆ ଉପରେ ଆନ୍ତର୍ଜାତିକ ସମ୍ମିଳନୀ ଆୟୋଜନ ସାରା ଭାରତରେ ପ୍ରଥମ । ଏବେ ଧାନ ପରି ମିଲେଟରେ ମଧ୍ୟ ଏମଏସପି ଦିଆଯାଉଛି । ୨ ଲକ୍ଷ ୬୦ ହଜାର ହେକ୍ଟରରେ ମାଣ୍ଡିଆ ଚାଷ ହେଉଛି । ଆଦିବାସୀଙ୍କ ପାଇଁ ଏହା ବଡ଼ ରୋଜଗାର ହୋଇଛି ।

ଦୁଇଦିନିଆ ଏହି ଆନ୍ତର୍ଜାତିକ ସମ୍ମିଳନୀରେ ଖାଦ୍ୟ ମହୋତ୍ସବ, ମିଲେଟ୍ ଉପରେ କୁଇଜ ଓ ରନ୍ଧନ ପ୍ରତିଯୋଗିତା ହେବ । ଜାତିସଂଘର ବିଭିନ୍ନ ସଂସ୍ଥା, କୃଷି ସଂଗଠନ, ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମ, ଇଣ୍ଟରନ୍ୟାସନାଲ ଫଣ୍ଡ ଫର ଏଗ୍ରିକଲଚରାଲ ଡେଭଲମେଣ୍ଟ, ଆଫ୍ରିକୀୟ ଓ ୟୁରୋପୀୟ ଦେଶର କୃଷି ପରାମର୍ଶଦାତା ସାମିଲ ହେବେ । ଗ୍ରାମୀ ପୁରସ୍କାର ବିଜେତା ରିକି କେଜ୍, ଖାତନାମା ସେଫ୍ ବିକାଶ ଖାନ୍ନା ପ୍ରମୁଖ ସାମିଲ ହେବେ । ବୈଜ୍ଞାନିକ ପଦ୍ଧତି ଏବଂ ପାରମ୍ପରିକ ଜ୍ଞାନକୌଶଳର ମିଶ୍ରଣରେ ଓଡ଼ିଶାର ୩୦ଟି ଜିଲ୍ଲାର ୧୭୭ ବ୍ଲକକୁ ସଂପ୍ରସାରଣ କରାଯାଇଛି ମିଲେଟ୍ ଚାଷ । ଦିନକୁ ଦିନ ମିଲେଟ ମିଶନ ସଫଳତାର ସିଡ଼ି ଚଢୁଛି । ଆଗମୀ ଦିନରେ ଏହି ପଲିସି ରୋଡମ୍ୟାପ୍ ବେଶ୍ ସହାୟକ ହେବ ।

Leave A Reply

Your email address will not be published.