Latest Odisha News

BREAKING NEWS

ଯାଜପୁର ପିଇଓ ମୃତ୍ୟୁ ଘଟଣା: କ୍ରାଇମବ୍ରାଞ୍ଚକୁ ତଦନ୍ତଭାର ଦେବାକୁ କହିଲେ ରାଜ୍ୟ ମହିଳା କମିଶନ

ଭୁବନେଶ୍ୱର: ଯାଜପୁର ପିଇଓ ସ୍ମୃତିରାଣୀ ବିଶ୍ୱାଳଙ୍କ ମୃତ୍ୟୁ ଘଟଣାର ତଦନ୍ତ ଭାର କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର କରିବାକୁ ରାଜ୍ୟ ମହିଳା କମିଶନ ସୋମବାର ଦିନ ଅନୁରୋଧ କରିଛନ୍ତି ।

ଏହି ଘଟଣାରେ ସ୍ଥାନୀୟ ପୋଲିସଙ୍କ ତଦନ୍ତ ଅସନ୍ତୋଷ ପ୍ରକାଶ କରିବା ସହିତ ଏହି ତଦନ୍ତ ଭାର କ୍ରାଇମବ୍ରାଞ୍ଚକୁ ଦେବାକୁ ରାଜ୍ୟ ମହିଳା କମିଶନ (ଏସସିଡ଼ବ୍ଲ୍ୟୁ) ଅଧ୍ୟକ୍ଷା ମିନତୀ ବେହେରା କହିଛନ୍ତି ।

ଶ୍ରୀମତୀ ବେହେରା ଆହୁରି ମଧ୍ୟ କହିଛନ୍ତି, ଏହି ଘଟଣାରେ ଯାଜପୁର ଏସପି ଚରଣ ସିଂହ ମୀନା ଗଣମାଧ୍ୟମ ସାମ୍ନାରେ ମୃତା ସ୍ମୃତିରାଣୀଙ୍କ ବ୍ୟକ୍ତିଗତ ଜୀବନ ସମ୍ପର୍କରେ କହିବା ଉଚିତ ନଥିଲା ।

ରାଜ୍ୟ ମହିଳା କମିଶନଙ୍କ ପକ୍ଷରୁ ଏହି ଘଟଣାର ତଦନ୍ତ ରିପୋର୍ଟ ଅକ୍ଟୋବର ୧୮ ସୁଦ୍ଧା ଯାଜପୁର ଏସପିଙ୍କୁ ଦେବାକୁ ଅନୁରୋଧ କରାଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ଏହାର ତଦନ୍ତ ରିପୋର୍ଟ ମିଳିପାରିନାହିଁ ବୋଲି ଅଧ୍ୟକ୍ଷା କହିଛନ୍ତିି ।

ରାଜ୍ୟ ମହିଳା କମିଶନ ଏହି ଘଟଣାର ଠିକ୍ ରୂପେ ତଦନ୍ତ କରିନାହାନ୍ତି ବୋଲି ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ କରାଯାଇଥିବା ଅଭିଯୋଗ ପରି ଏକ ପ୍ରଶ୍ନର ଉତ୍ତରରେ ଏହାକୁ ସେ ଅସ୍ୱୀକାର କରିଛନ୍ତି । ଶ୍ରୀମତୀ ବେହେରା କହିଛନ୍ତିି ଯେ, ସେ ନିଜେ ଘଟଣାସ୍ଥଳକୁ ଯାଇଥିବା ବେଳେ କମିଶନଙ୍କ ପକ୍ଷରୁ ଅନ୍ୟ ଏକ ଟିମ୍ ହରିଦାସପୁରସ୍ଥିତ ତାଙ୍କର ପରିବାରର ବିଭିନ୍ନ ସଦସ୍ୟ ତଥା ତାଙ୍କର ସ୍ୱାମୀଙ୍କୁ ମଧ୍ୟ ଭେଟିଥିଲେ ।

ତଦନ୍ତରେ ଅବହେଳା ଯୋଗୁଁ ଅକ୍ଟୋବର ୨୬ରେ ମହିଳା କମିଶନ ଅଧ୍ୟକ୍ଷାଙ୍କ ଇସ୍ତଫା ଦାବି କରିଥିଲେ ବିଜେପି ମହିଳା ମୋର୍ଚ୍ଚା ସଭାନେତ୍ରୀ ପ୍ରଭାତୀ ପରିଡ଼ା ।

ଆବଶ୍ୟକ ପଡ଼ିଲେ ଏହି ଘଟଣାର ଆଉ ଏକ ରାଉଣ୍ଡ ତଦନ୍ତ ମହିଳା କମିଶନଙ୍କ ତରଫରୁ କରାଯିବ । ଏବେ ସୁଦ୍ଧା ତଦନ୍ତ ନସରିଥିବା ଯୋଗୁଁ ଏହାର ରିପୋର୍ଟ ସାଧାରଣରେ ପ୍ରକାଶିତ ହୋଇନାହିଁ ବୋଲି ମହିଳା କମିଶନ ଅଧ୍ୟକ୍ଷା ଗଣମାଧ୍ୟମକୁ ସୂଚନା ପ୍ରଦାନ କରିଛନ୍ତି ।

ମିଳିଥିବା ସୂଚନାନୁଯାୟୀ, ବିଜେପି ମହିଳା ମୋର୍ଚ୍ଚା କର୍ମୀମାନେ ସୋମବାର ଦିନ ରାଜ୍ୟ ମହିଳା କମିଶନଙ୍କ କାର୍ଯ୍ୟାଳୟ ଭିତରକୁ ପ୍ରବେଶ କରୁଥିବା ବେଳେ ପୋଲିସ ସହିତ ଧସ୍ତାଧସ୍ତି ହୋଇଥିବାର ଖବର ମିଳିଛି ।

Leave A Reply

Your email address will not be published.