ପୁରୀ: ଅତୀତରେ ପାଣିରୁ ଭାଇକୁ ବଞ୍ଚାଇଥିଲେ । ହେଲେ ଆଜି ଦୁର୍ଘଟଣାଗ୍ରସ୍ତ ହୋଇ ନିଜେ ପାଣିରେ ବୁଡି ଚାଲିଗଲେ । ପୁରୀ ସ୍ୱର୍ଗଦ୍ୱାରରେ ମଧ୍ୟପ୍ରଦେଶର ନଳଖେଡା ଦୁର୍ଘଟଣାରେ ପ୍ରାଣ ହରାଇଥିବା ଶିବ ପ୍ରସାଦଙ୍କ ଭାଇ ସର୍ବେଶ୍ୱର ଏମିତି କିଛି ଦୁଃଖଭରା କଥା କହିଛନ୍ତି। ଶିବ ଅତ୍ୟନ୍ତ ସାହସୀ ଓ ପହଁରାରେ ବିଚକ୍ଷଣ ଥିଲେ । ଏକଦା ସେ ନିଜ ଭାଇ ସର୍ବେଶ୍ୱରଙ୍କୁ ପାଣିରେ ବୁଡି ଯାଉଥିବା ବେଳେ ବଞ୍ଚାଇଥିଲେ। ହେଲେ ଆଜି ସେଇ ଭାଇ ପାଣିରେ ବୁଡି ମୃତ୍ୟୁ ହେବାକୁ ସହଜରେ ଗ୍ରହଣ କରି ପାରୁ ନାହାଁନ୍ତି ଭାଇ ସର୍ବେଶ୍ୱର। ପୁରୀ ସ୍ୱର୍ଗଦ୍ୱାରରେ ଏକା ସାଙ୍ଗରେ ଜଳିଛି ୭ ଜୁଇ। ଆଉ ଏତିକି ବେଳେ ଏଠାରେ ସୃଷ୍ଟି ହୋଇଥିଲା ଶୋକାକୁଳ ପରିବେଶ।
ଆଜି ଭୋରରୁ ସ୍ୱର୍ଗଦ୍ୱାରରେ ଶୋକାକୁଳ ପରିବେଶ ମଧ୍ୟରେ ମଧ୍ୟପ୍ରଦେଶ ନଲଖେଡାରେ ଘଟିଥିବା ମର୍ମନ୍ତୁଦ ଦୁର୍ଘଟଣାରେ ପ୍ରାଣ ହରାଇଥିବା ୭ ଓଡ଼ିଆ ଶ୍ରଦ୍ଧାଳୁଙ୍କ ଜୁଇ ଜଳିଛି। ବେଶ ଶୋକାକୁଳ ପରିବେଶରେ ପରିବାର ସଦସ୍ୟଙ୍କ ଉପସ୍ଥିତିରେ ସମସ୍ତ ମୃତକଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି। ମହାକାଳେଶ୍ଵର ଦର୍ଶନ ହୋଇଥିଲା, ଶେଷ ଦର୍ଶନ ଏବେ ଶ୍ରୀକ୍ଷେତ୍ର ସ୍ୱର୍ଗଦ୍ୱାରରେ ୭ ମର ଶରୀରର ଜୁଇ ଜଳିଛି।
ମୃତ ଭଉଣୀ ରୀତାରାଣୀ ତାଙ୍କ ସ୍ୱାମୀ ଜ୍ଞାନେନ୍ଦ୍ର ଓ ତାଙ୍କ ସାନପୁଅ ସମେତ ଅବିବାହିତ ରାଧାରାଣୀଙ୍କୁ ଭାଇ ଦିଲ୍ଲୀପ ବେହେରା ମୁଖାଗ୍ନି ଦେଇଛନ୍ତି। ଶିବ ପ୍ରସାଦ ବେହେରା ଓ ତାଙ୍କ ଦୁଇ ପିଲାଙ୍କୁ ନିରଞ୍ଜନ ବେହେରା ମୁଖାଗ୍ନି ଦେଇଛନ୍ତି। ଆଜି ଭୋରରୁ ସମସ୍ତ ମୃତକଙ୍କ ଶେଷ କୃତ୍ୟ ସମ୍ପନ୍ନ ହୋଇଛି । ସରକାରଙ୍କ ନିର୍ଦ୍ଦେଶ କ୍ରମେ ସ୍ୱର୍ଗଦ୍ୱାରରେ ଜିଲ୍ଲା ପ୍ରଶାସନ ଓ ସ୍ୱର୍ଗଦ୍ୱାର କମିଟି ପକ୍ଷରୁ ସମସ୍ତ ବ୍ୟବସ୍ଥା ହୋଇଥିଲା । ପୁରୀ ଅତିରିକ୍ତ ଜିଲ୍ଲାପାଳ ନିଜେ ଉପସ୍ଥିତ ରହି ସମସ୍ତ ଆନୁସଙ୍ଗିକ ବ୍ୟବସ୍ଥା କରିଥିଲେ । ସେପଟେ ଏତେବଡ ଦୁର୍ଘଟଣା ପାଇଁ ମଧ୍ୟପ୍ରଦେଶ ପ୍ରଶାସନଙ୍କୁ ଦାୟୀ କରାଯାଇଛି । ସୂଚନା ଫଳକ ଓ ବ୍ୟାରିକେଟିଂ ନଥିବାରୁ ଏତେବଡ ଦୁର୍ଘଟଣା ହେଲା ବୋଲି ସର୍ବେଶ୍ୱର କହିଛନ୍ତି ।

