Latest Odisha News

BREAKING NEWS

ଜନବସତିକୁ ହାତୀ ନ’ଆସିବା ଲାଗି ରାଜ୍ୟ ସରକାରଙ୍କ ନୂଆ ଉପାୟ; ସୃଷ୍ଟି ହେବ ନୂଆ ଜଙ୍ଗଲ

ଭୁବନେଶ୍ୱର: ଜନବସତି ଅଞ୍ଚଳକୁ ହାତୀ ପ୍ରବେଶ ବନ୍ଦ କରିବାକୁ ଓଡ଼ିଶା ସରକାର ନୂତନ ଯୋଜନା ହାତକୁ ନେବାକୁ ନିଷ୍ପତ୍ତି ଗ୍ରହଣ କରିଛନ୍ତି । ହାତୀ ମାନଙ୍କ ଲାଗି ଖାଦ୍ୟ ଉପଯୋଗୀ ଜଙ୍ଗଲ ସୃଷ୍ଟି କରାଯିବ । ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ ପ୍ରାୟ ୧,୨୫୦ ଏକର ପରିମିତ ଜମିରେ ନୂଆ ଜଙ୍ଗଲ ସୃଷ୍ଟି କରାଯିବ ।

ଏହି ଉପାୟ ଅବଲମ୍ବନ ଦ୍ୱାରା ଖାଦ୍ୟ ଅନ୍ୱେଷଣରେ ଜନବସତିକୁ ପ୍ରବେଶ କରୁଥିବା ହାତୀମାନଙ୍କୁ ଅଟକାଇ ହେବ ବୋଲି ସରକାର ସ୍ଥିର କରିଛନ୍ତି । ଏହାଦ୍ୱାରା ହାତୀ ଉପଦ୍ରବ ଯୋଗୁଁ ମଣିଷ-ହାତୀ ଖଣ୍ଡଯୁଦ୍ଧର ଅବସାନ ଘଟିପାରିବ ବୋଲି ଆଶା ରହିଛି ।

ନିକଟରେ ପୁରୀ ଜିଲ୍ଲା ପିପିଲି ଅନ୍ତର୍ଗତ ଗୋପୀନାଥପୁର ଅଞ୍ଚଳର ଜନବସତିକୁ ଗୋଟିଏ ହାତୀ ପ୍ରବେଶ କରି ଜନସାଧାରଣଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲା । ଏହି ଦନ୍ତାହାତୀର ଆକ୍ରମଣରେ ୪ଜଣ ଗ୍ରାମବାସୀଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଲୋକ ଗୁରୁତର ଭାବେ ଆହତ ହୋଇଥିଲେ ।

ଏହି ହାତୀମାନେ ଖାଦ୍ୟ ଅନ୍ୱେଷଣରେ ଜାତୀୟ ରାଜପଥ ଅତିକ୍ରମ କରି ଜଙ୍ଗଲ ନିକଟବର୍ତ୍ତୀ ଗ୍ରାମଗୁଡ଼ିକୁ ପ୍ରବେଶ କରିଥାଆନ୍ତି । ଏହି ହାତୀଗୁଡ଼ିକ ଫସଲ ନଷ୍ଟ କରୁଥିବା ବେଳେ ଏମାନଙ୍କୁ ଘଉଡ଼ାଇବାକୁ ଉଦ୍ୟମ କଲେ ହିଂସ୍ର ହୋଇ ଏହି ହାତୀଗୁଡ଼ିକ ଗ୍ରାମବାସୀଙ୍କ ଉପରେ ଆକ୍ରମଣ କରୁଥିବାର ନଜିର୍ ରହିଛି ।

ଜଙ୍ଗଲରେ ଖାଦ୍ୟ ଅଭାବ ଯୋଗୁଁ ଏହି ହାତୀ ଗୁଡ଼ିକ ଫସଲ ଖାଇବାକୁ ଜନବସତିକୁ ପ୍ରବେଶ କରିଥାଆନ୍ତି । ହାତୀମାନଙ୍କ ଲାଗି ନୂତନ ଜଙ୍ଗଲ ସୃଷ୍ଟି କରିବା ସହିତ ସେମାନଙ୍କର ଖାଦ୍ୟ ବ୍ୟବସ୍ଥା କଲେ ଏହି ସମସ୍ୟା ଦୂର ହୋଇପାରିବ ବୋଲି ଜଣେ ଜଙ୍ଗଲ ବିଭାଗ ଅଧିକାରୀ ସୂଚନା ଦେଇ କହିଛନ୍ତି ।

ଏଠାରେ ଉଲ୍ଲେଖଯୋଗ୍ୟ, ୨୦୧୯-୨୦ ବର୍ଷରେ ହାତୀ ଆକ୍ରମଣରେ ୧୦ ଜଣ ବ୍ୟକ୍ତିଙ୍କ ପ୍ରାଣହାନୀ ଘଟିଥିଲା ।

ସେହିପରିଭାବେ ୨୦୧୯-୨୦ ବର୍ଷରେ ଶିକାର, ବିଦ୍ୟୁତାଘାତ, ଦୁର୍ଘଟଣା ଏବଂ ଅନ୍ୟାନ୍ୟ କାରଣ ଲାଗି ପ୍ରାୟ ୭୦ଟି ହାତୀଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି ।

Leave A Reply

Your email address will not be published.