କଟକ: ରାଜ୍ୟ ସରକାରଙ୍କ ଅଡୁଆ ବଢ଼ାଉଛି ଓଡ଼ିଶା ପୋଲିସ୍ ଡିଜି ନିଯୁକ୍ତି ବିବାଦ। ନିଯୁକ୍ତି ପ୍ରକ୍ରିୟାକୁ ବିରୋଧ କରି ସୁପ୍ରିମ୍କୋର୍ଟରେ ରୁଜୁ ମାମଲାରେ ସୋମବାର ପ୍ରଥମ ଚୟନ ତାଲିକାରେ ଥିବା ବରିଷ୍ଠ ଆଇପିଏସ୍ଙ୍କ ମଧ୍ୟରୁ ସୁଶାନ୍ତ ନାଥ ପକ୍ଷଭୁକ୍ତ ହୋଇଛନ୍ତି। ଚୟନ ତାଲିକାରେ ପ୍ରଥମେ ତାଙ୍କ ନାମ ସୁପାରିସ୍ କରାଯାଇଥିବା ବେଳେ ହଠାତ୍ କ’ଣ ପାଇଁ ତାଙ୍କ ଇଣ୍ଟିଗ୍ରିଟି ସାର୍ଟିଫିକେଟ୍ ପ୍ରତ୍ୟାହାର କରାଗଲା ଓ ତାଲିକାରୁ ତାଙ୍କୁ ବାଦ୍ ଦିଆଗଲା ସେ ସଂକ୍ରାନ୍ତ କାରଣ ଜଣାଇବା ପାଇଁ ପ୍ରାର୍ଥନା କରି ସୁଶାନ୍ତ ନାଥ ଏହି ପିଟିସନ୍ ଦାଏର କରିଛନ୍ତି। ଏହି ମାମଲାକୁ ଏକ ଗୁରୁତ୍ୱପୂର୍ଣ୍ଣ ମୋଡ଼ ଦେଇ ଡିଜି ପଦ ପାଇଁ ପ୍ରମୁଖ ଦାବିଦାର ଥିବା ବରିଷ୍ଠ ଆଇପିସ୍ ଅଧିକାରୀ ସୁଶାନ୍ତ ନାଥଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ କରୁଣା ନନ୍ଦୀ ପକ୍ଷଭୁକ୍ତ ପିଟିସନ୍ ଦାଏର କରିଥିଲେ।
ସୋମବାର ମାମଲାର ଶୁଣାଣି ଅବସରରେ କରୁଣା ନନ୍ଦୀ ଯୁକ୍ତିରେ ଦର୍ଶାଇଥିଲେ ଯେ, ସୁଶାନ୍ତ ନାଥଙ୍କ ୩୨ବର୍ଷର କ୍ୟାରିଅର ଭିତରେ କେବେ ବି କୌଣସି ପ୍ରକାର କଳାଦାଗ ଲାଗିନାହିଁ। ତାଙ୍କ ବିରୋଧରେ କୌଣସି ପ୍ରକାର ପ୍ରୋସିଡିଂ ହୋଇନାହିଁ, ବରଂ ଉଲ୍ଲେଖନୀୟ ଅବଦାନ ପାଇଁ ସେ ରାଷ୍ଟ୍ରପତିଙ୍କ ପୁରସ୍କାରରେ ସମ୍ମାନିତ ହୋଇଛନ୍ତି। ଡିଜି ଚୟନ ପ୍ରକ୍ରିୟା ପାଇଁ ପ୍ରଥମରୁ ତାଙ୍କୁ ଭିଜିଲାନ୍ସ କ୍ଲିୟରାନ୍ସ ସାଟିଫିକେଟ୍ ଦିଆଯାଇଥିଲା। ତେଣୁ କେଉଁ ଆଧାରରେ ରାଜ୍ୟ ସରକାର ତାଙ୍କ ଇଣ୍ଟିଗ୍ରିଟି ସାର୍ଟିଫିକେଟ୍ ପ୍ରତ୍ୟାହାର କରିନେଲେ ସେ ସଂକ୍ରାନ୍ତରେ ତାଙ୍କୁ ଅବଗତ କରାଯିବା ଦରକାର।
ଅପରପକ୍ଷେ ଓଡ଼ିଶା ସରକାରଙ୍କ ପକ୍ଷରୁ ମାମଲା ପରିଚାଳନା କରୁଥିବା ବରିଷ୍ଠ ଆଇନଜୀବୀ ତୁଷାର ମେହେଟ୍ଟା ଏ ସଂପର୍କରେ ଜବାବ ରଖିବା ଲାଗି ସୁପ୍ରିମ୍କୋର୍ଟଙ୍କଠାରୁ ସମୟ ନେଇଛନ୍ତି । ସୁପ୍ରିମ୍କୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟ କାନ୍ତ, ଜଷ୍ଟିସ୍ ଜୟମାଲା ବାଗ୍ଚୀ ଏବଂ ଜଷ୍ଟିସ୍ ଭି. ମୋହନାଙ୍କୁ ନେଇ ଗଠିତ ଖଣ୍ଡପୀଠ ଏଥିପାଇଁ ମହଲତ ଦେବା ସହ ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ୧୬କୁ ଧାର୍ଯ୍ୟ କରିଛନ୍ତି ।


Comments are closed.